ଭୁବନେଶ୍ୱର,୫।୭: ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାର ଖୋଲିବାକୁ ନେଇ ଚର୍ଚ୍ଚା ଲାଗି ରହିଥିବାବେଳେ ରାଜ୍ୟ ସରକାର ଗତକାଲି ପୁରୁଣା କମିଟିକୁ ଭାଙ୍ଗି ଦେଇଛନ୍ତି । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ରତ୍ନଭଣ୍ଡାର ଯାଞ୍ଚ ସହ ଅଳଙ୍କାର ଗଣନା ପାଇଁ ନବୀନ ପଟ୍ଟନାୟକ ସରକାର ଗଢ଼ିଥିବା କମିଟିକୁ ଭଙ୍ଗ କରି ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ୧୬ଜଣିଆ କମିଟି ଗଠନ କରିଛନ୍ତି ରାଜ୍ୟର ମୋହନ ମାଝୀ ସରକାର ।ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିବା ପରେ ଜଷ୍ଟିସ୍ ବିଶ୍ଵନାଥ ରଥ କହିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ଆଜି ଏହି କମିଟିରେ ନିଯୁକ୍ତି ପାଇ କିଛି କରିବାର ସୁଯୋଗ ପାଇଛି।ରତ୍ନଭଣ୍ଡାର ଯାଞ୍ଚ ପାଇଁ ଆଜି ହେବାକୁ ଥିବା ବୈଠକରେ ଯୋଗ ଦେବାକୁ ଓଡ଼ିଶା ଆସିଛନ୍ତି ରତ୍ନଭଣ୍ଡାର ଯାଞ୍ଚ କମିଟି ଅଧ୍ୟକ୍ଷ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଅରଜିତ୍ ପଶାୟତ । ମାତ୍ର ଏହାପୂର୍ବରୁ ସରକାର ଏହି କମିଟିକୁ ଭଙ୍ଗ କରିଦେଇଛନ୍ତି ।ଆଇନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାରର ଅଳଙ୍କାର ଗଣନାର ତଦାରଖ ପାଇଁ ୨୦୨୪ ମାର୍ଚ୍ଚ ୨ତାରିଖରେ ଗଠିତ ଉଚ୍ଚସ୍ତରୀୟ କମିଟିକୁ ରାଜ୍ୟ ସରକାର ଭାଙ୍ଗି ଦେଇଛନ୍ତି । ଏହି କମିଟି ପରିବର୍ତ୍ତେ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି କମିଟି ଶ୍ରୀମନ୍ଦିର ପରିଚାଳନା କମିଟି ଦ୍ୱାରା ହେବାକୁ ଥିବା ରତ୍ନଭଣ୍ଡାରର ଗଣନା ଆଦିର ତଦାରଖ କରିବେ ।ଏହା ସହିତ ସେ କହିଛନ୍ତି ”ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ଆଜି ଏହି କମିଟିରେ ନିଯୁକ୍ତି ପାଇ କିଛି କରିବାର ସୁଯୋଗ ପାଇଛି। ଓଡ଼ିଶାର ସାଢ଼େ ୪କୋଟି ଲୋକଙ୍କ ଆଶୀର୍ବାଦ ଓ କମିଟିର ପ୍ରତ୍ୟେକ ସଦସ୍ୟଙ୍କ ସହଯୋଗରେ ରତ୍ନ ଭଣ୍ଡାର ଖୋଲିବା ଓ ଅଳଙ୍କାର ଗଣନା ପାଇଁ ତାଙ୍କୁ ସୁଯୋଗ ମିଳିଥିବାରୁ ସେ ଏବଂ ତାଙ୍କ କମିଟିର ସମସ୍ତ ସଦସ୍ୟ ଏହି କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବାକୁ ଚେଷ୍ଟା କରିବାକୁ ଜଷ୍ଟିସ୍ ବିଶ୍ଵନାଥ ରଥ କହିଛନ୍ତି।”ସୂଚନାଯୋଗ୍ୟ ଜଷ୍ଟିସ୍ ରଥଙ୍କ ବାପା ତଥା ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ, ସ୍ବାଧୀନତା ସଂଗ୍ରାମୀ ବିପିନ ବିହାରୀ ରଥ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ତିନି ଥର ଅବୈତନିକ ସଦସ୍ୟ ଭାବେ କାମ କରିଥିଲେ।ତେବେ ରତ୍ନଭଣ୍ଡାର ଖୋଲିବା ନେଇ ରାଜ୍ୟ ସରକାର ୧୬ ଜଣିଆ କମିଟି ଗଠନ କରିଛନ୍ତି। ଏ ନେଇ ଗୁରୁବାର ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ ହୋଇଛି। ଏଥିରେ ଡାକ୍ତର ସିବିକେ ମହାନ୍ତି, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ରାଜୀବ ସାହୁ, ଅବସରପ୍ରାପ୍ତ ଆଇଏଏସ୍ ଅଫିସର ଜଗଦୀଶ ମହାନ୍ତି, ଅବସରପ୍ରାପ୍ତ ଆଇପିଏସ୍ ଅଫିସର ପ୍ରକାଶ ମିଶ୍ର, ସ୍ବାମୀ ପ୍ରଜ୍ଞାନନ୍ଦଜୀ, ହରିହର ହୋତା, ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ଗଜପତି ମହାରାଜାଙ୍କ ପ୍ରତିନିଧି, ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ(ଏଏସ୍ଆଇ)ର ପ୍ରତିନିଧି, ମଧୁସୂଦନ ସିଂଘାରି, ଜନାର୍ଦ୍ଦନ ପାଟଯୋଶୀ ମହାପାତ୍ର, ଜଗନ୍ନାଥ ଦାସ ମହାପାତ୍ର, ସୌମେନ୍ଦ୍ର ମୁଦୁଲି, ପୁରୀ ଜିଲାପାଳ ଏବଂ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସଦସ୍ୟ ରହିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |