ଆଜି ଆଡ଼ପ ମଣ୍ଡପକୁ ବିଜେ କରିବେ ଶ୍ରୀଜିଉ

ପୁରୀ, ,୯।୭ :ଆଜି ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପକୁ ବିଜେ କରିବେ ଶ୍ରୀଜିଉ।ଶରଧାବାଲିରେ ରଥାରୁଢ଼ ତିନି ଦିଅଁଙ୍କୁ ଦେଖି ବିଭୋର ଭକ୍ତ।   ସନ୍ଧ୍ୟା ଧୂପ ଶେଷ ହେବା ପରେ ଚାରମାଳ ବନ୍ଧାଯିବ ଏବଂ ଜନ୍ମବେଦୀକୁ ପହଣ୍ଡିରେ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି। ମଦନ ମୋହନ, ରାମକୃଷ୍ଣ, ଶ୍ରୀ ସୁଦର୍ଶନ, ବଡ଼ଭାଇ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶେଷରେ ଶ୍ରୀଜଗନ୍ନାଥ ମହାପ୍ରଭୁ ଗୋଟି ପହଣ୍ଡିରେ ଆଡ଼ପ ମଣ୍ଡପ ବିଜେ କରିବେ। ଆଜି ଅପରାହ୍ନ ଯାଏ ରଥାରୁଢ଼ ବିଶ୍ୱନିୟନ୍ତାଙ୍କୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ। ଆସନ୍ତାକାଲିଠୁ ମିଳିବ ଆଡ଼ପ ଅବଢ଼ା।ଘୋଷଯାତ୍ରାରେ ରବିବାର କିଛି ବାଟ ଗଡ଼ି ପୁରୀ ବଡ଼ଦାଣ୍ଡରେ ଅଟକି ରହିଥିବା ତିନି ରଥ ସୋମବାର ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲିରେ ପହଞ୍ଚିଛି। ତିନିରଥକୁ ଲକ୍ଷାଧିକ ଭକ୍ତ ଅତି ଆନନ୍ଦ ଓ ଉତ୍ସାହର ସହିତ ଟାଣିନେଇଥିଲେ। ଏହାପରେ ଶରଧାବାଲିରେ ରଥ ଉପରେ ଶ୍ରୀବିଗ୍ରହମାନଙ୍କ ଦର୍ଶନ ନିମନ୍ତେ ପ୍ରବଳ ଗହଳି ଲାଗିଛି। ମଙ୍ଗଳବାର ଶ୍ରୀବିଗ୍ରହଙ୍କ ଆଡ଼ପ ମଣ୍ଡପ ବିଜେ ନୀତି ଅନୁଷ୍ଠିତ ହେବ। ସେହିପରି ବୁଧବାରଠାରୁ ଆଡ଼ପ ଦର୍ଶନ ଆରମ୍ଭ ହେବା ସହ ଆଡ଼ପ ଅବଢ଼ା ବାହାରିବ।ରବିବାର ସଅଳ ରଥ ଟଣା ହୋଇଥିଲେ ମଧ୍ୟ ୩ ରଥ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିପାରି ନ ଥିଲା। ସନ୍ଧ୍ୟା ହୋଇଯିବାରୁ ରଥ ଟଣା ବନ୍ଦ ରଖାଯାଇଥିଲା। ଫଳରେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ମରୀଚିକୋଟ ଛକରେ, ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ଶ୍ରୀକୃଷ୍ଣ ସିନେମା ଛକରେ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ସିଂହଦ୍ୱାରଠାରୁଟିକେ ଦୂର ଗଡ଼ି ଅଟକି ରହିଥିଲା। ରଥଟଣା ପରେ ରଥ ଉପରେ ମହାପ୍ରଭୁଙ୍କ ଅନ୍ୟାନ୍ୟ ନୀତି ଅନୁଷ୍ଠିତ ହୋଇଥିଲା। ରବିବାର ରାତି ୧୨ଟାରୁ ୧୨ଟା ୨୫ ମଧ୍ୟରେ ତିନି ରଥର ମଇଲମ ଓ ୧୨ଟା ୩୦ରେ ମହାସ୍ନାନ ସମ୍ପନ୍ନ କରାଯାଇଥିଲା। ପରେ ସର୍ବାଙ୍ଗ ନୀତି ସମ୍ପନ୍ନ ହୋଇ ଘଣ୍ଟଛତା, ମଧ୍ୟାହ୍ନ ଧୂପ ରାତି ୨ଟା ୪୫ରେ ସରିଥିଲା।ସେହିପରି ରଥ ଟଣାର ଦ୍ୱିତୀୟ ଦିନ ସୋମବାର ସକାଳ ୭ଟା ୩୦ରୁ ୮ଟା ମଧ୍ୟରେ ମଙ୍ଗଳ ଆଳତି, ଅବକାଶ ସରି ୯ଟା ୧୦ରେ ବେଶ ଶେଷ ହୋଇଥିଲା। ବିଜେ କାହାଳୀ ବାଜିବା ପରେ ୯ଟା ୨୦ରେ ରଥ ଟଣା ଆରମ୍ଭ ହୋଇଥିଲା। ଭକ୍ତମାନେ ଜୟ ଜଗନ୍ନାଥ ଧ୍ୱନି ଦେଇ ୩ ରଥକୁ ଟାଣି ଟାଣି ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚାଇଥିଲେ। ମହାପ୍ରଭୁଙ୍କ ତାଳଧ୍ୱଜ ରଥ ମଧ୍ୟାହ୍ନ ୧୨ଟା ୩୫, ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ଅପରାହ୍ନ ୧ଟା ୪୦ ଏବଂ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ୨ଟା ୩୫ରେ ଶରଧାବାଲିରେ ପହଞ୍ଚି ଥିଲା। ସେଠାରେ ରଥ ଉପରେ ଶ୍ରୀବିଗ୍ରହଙ୍କ ନୀତି ଅନୁଷ୍ଠିତ ହେବା ସହ ଶୁଖିଲା ଭୋଗ ଲାଗି କରାଯାଉଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!