ଆଜି ଦିନରେ ଆଡ଼ପ ମଣ୍ଡପରେ ଶ୍ରୀଜିଉଙ୍କ ନବମୀ ସନ୍ଧ୍ୟା ଦର୍ଶନ

ପୁରୀ,୧୪।୭:   ଗୁଣ୍ଡିଚା ମନ୍ଦିର ଆଡପମଣ୍ଡପରେ ସରି ସରି ଆସୁଛି ମହାପ୍ରଭୁଙ୍କ ଲୀଳାଖେଳା। ଆଉ ଦିନକ ପରେ ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ିଯିବେ ଚତୁର୍ଦ୍ଧାମୂର୍ତ୍ତି। ରବିବାର ନବମୀ ସନ୍ଧ୍ୟା ଦର୍ଶନ। ସକାଳ ୭ରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ। ୫ଟା ପରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ତେବେ ଭକ୍ତମାନେ କିପରି ଶୃଙ୍ଖଳିତ ଭାବେ ଦର୍ଶନ କରିବେ ସେଥିଲାଗି ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ବାହୁଡା ଯାତ୍ରା ପାଇଁ ପୁରୀରେ ଆରମ୍ଭ ହୋଇଛି ପ୍ରସ୍ତୁତି। ତିନି ରଥର ଦକ୍ଷିଣ ମୋଡ଼ ସରିଛି। ତିନି ରଥ ନାକଚଣା ଦ୍ବାର ଆଗରେ ମହାପ୍ରଭୁଙ୍କ ଆଗମନକୁ ଅପେକ୍ଷା କରିଛନ୍ତି। ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରିଛି ପ୍ରଶାସନ। ତେବେ ଅପରାହ୍ନ ୫ଟାରୁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ। ବାହୁଡ଼ା ଯାତ୍ରା ପ୍ରସ୍ତୁତି ଲାଗି ଗୁଣ୍ଡିଚା ମନ୍ଦିରରେ ସାନ୍ଧ୍ୟ ଦର୍ଶନ ବନ୍ଦ ରହିବ । ଧାର୍ଯ୍ୟ ଅବଧି ମଧ୍ୟରେ ଆଡ଼ପ ମଣ୍ଡପ ନବମୀ ଦର୍ଶନ କରିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।ଶୃଙ୍ଖଳିତ ହେବ ରଥଯାତ୍ରାର ଅବଶିଷ୍ଟ ରୀତିନୀତି । ଏହାକୁ ସୁନିଶ୍ଚିତ କରିବାକୁ ଆଜିଠାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ପୁରୀରେ ରହିବେ ଉପମୁଖ୍ୟମନ୍ତ୍ରୀ, ଆଇନ ମନ୍ତ୍ରୀ ଓ ସଂସ୍କୃତି ମନ୍ତ୍ରୀ । ଏହି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏବଂ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଆଜିଠୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ପୁରୀରେ ରହିବେ ।ରଥଯାତ୍ରାର ଅବଶିଷ୍ଟ ରୀତିନୀତି ନିରୀକ୍ଷଣ କରି, ସେସବୁ ଯେପରି ଶୃଙ୍ଖଳିତ ଓ ବ୍ୟବସ୍ଥିତ ହେବ ତାହା ସୁନିଶ୍ଚିତ କରିବାକୁ ଏହି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ଶ୍ରଦ୍ଧାଳୁ ତଥା ଭକ୍ତମାନଙ୍କର ଯେପରି କୌଣସି ଅସୁବିଧା ନହେବ, ସେଥିପ୍ରତି ମଧ୍ୟ ଯତ୍ନବାନ ହେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।ତେବେ ସନ୍ଧ୍ୟା ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି। ଚୂଡ଼ାନ୍ତ ହୋଇଥିବା ନୀତି ଅନୁଯାୟୀ, ଭୋର ୪ଟାରେ ଦ୍ୱାରଫିଟା, ମଙ୍ଗଳ ଆଳତି ୪ଟା ୩୦, ମଇଲମ-ତଡ଼ପଲାଗି ଭୋର ୫ଟା, ଅବକାଶ ସକାଳ ୬ଟା, ରୋଷହୋମ ୬ଟା ୧୫, ସୂର୍ଯ୍ୟପୂଜା ୬ଟା ୩୦, ଦ୍ୱାରପାଳ ପୂଜା ୬ଟା ୪୫, ବେଶ ଶେଷ ୭ଟା, ଗୋପାଳ ବଲ୍ଲଭ ୭ଟା ୩୦, ସକାଳ ଧୂପ ୮ଟାରୁ ୯ଟା ୩୦, ଭୋଗମଣ୍ଡପ ୮ଟା ୩୦ରୁ ପୂର୍ବାହ୍ନ ୧୦ଟା ୩୦, ମଇଲମ ୧୦ଟା ୪୫, ଯାତ୍ରାଙ୍ଗୀ ମହାସ୍ନାନ ୧୧ଟା ୩୦, ସର୍ବାଙ୍ଗ ମଧ୍ୟାହ୍ନ ୧୨ଟା, ନୂଆ ଲୁଗାଲାଗି ଓ ବେଶ ଅପରାହ୍ନ ୧ଟା, ମଧ୍ୟାହ୍ନ ଧୂପ ୧ଟା ୩୦ରୁ ୩ଟା, ଦ୍ୱିତୀୟ ଭୋଗମଣ୍ଡପ ୨ଟାରୁ ୩ଟା ୩୦, ମଇଲମ, ବେଶ ୩ଟା ୪୫ରୁ ୪ଟା ୪୦, ସନ୍ଧ୍ୟା ଆଳତି ଅପରାହ୍ନ ୫ଟା, ସନ୍ଧ୍ୟା ଧୂପ ୫ଟା ୩୦ରୁ ସନ୍ଧ୍ୟା ୭ଟା, ତୃତୀୟ ଭୋଗମଣ୍ଡପ ୫ଟା ୪୫ରୁ ୭ଟା ୩୦, ରାହାସକୁ ଦିଅଁ ବିଜେ ରାତି ୮ଟା, ମଇଲମ ୮ଟା ୧୫, ଚନ୍ଦନଲାଗି ୮ଟା ୩୦, ବଡ଼ସିଂହାର ବେଶ ୯ଟା, ବଡ଼ସିଂହାର ଭୋଗ ୯ଟା ୩୦, ପହୁଡ଼ ଆଳତି ୧୦ଟା, ଶ୍ରୀମୁଖ ଖଣ୍ଡୁଆ ୧୦ଟା ୧୫, ବାହୁଟକଣ୍ଟ ୧୦ଟା ୩୦, ଚାରବନ୍ଧା ରାତି ୧୧ଟାରୁ ୨ଟା ଏବଂ କୁସୁମିଲାଗି ରାତି ୨ଟା ୩୦ରୁ ୪ଟା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!