ଭୁବନେଶ୍ୱର,୨୯ା୭: ଭୁବନେଶ୍ବର ଅବକାରୀ ଜଏଣ୍ଟ କମିଶନର ରାମଚନ୍ଦ୍ର ମିଶ୍ର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ସୋମବାର ଶ୍ରୀ ମିଶ୍ରଙ୍କ ଘରେ ରେଡ୍ ଚାଲିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ରେଡ୍ ଚାଲିଥିବା ଜଣାପଡ଼ିଛି। ଏକାସାଙ୍ଗରେ ୧୦ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢ଼ାଉ ଚଲାଇଛି। ଭୁବନେଶ୍ୱର, ସୋନପୁର, ବଲାଙ୍ଗୀର ଘର ସମେତ ଅଫିସରେ ଚଢ଼ାଉ ଜାରି ରହିଛି। ଏହି ଚଢ଼ାଉରେ ୧୦ ଡିଏସ୍ପି, ୧୫ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ ସାମିଲ ହୋଇଛନ୍ତି। ଭଡ଼ାଘରେ ରହୁଥିବା ବେଳେ ବାଇକ୍ରେ କରୁଛନ୍ତି ଯାତାୟତ । ହେଲେ ବାବୁ ଠୁଳ କରିଛନ୍ତି ଅମାପ ସମ୍ପତ୍ତି । ରେଡ ବେଳେ ସରକାରୀ ବାବୁଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀ ବି ତାଜୁବ । ଅବସର ନେବାକୁ ଆଉ ମାତ୍ର ବର୍ଷେ ଥିବା ବେଳେ ଭିଜିଲାନ୍ସ ଜାଲରେ ପଡ଼ି ଯାଇଛନ୍ତି ଭୁବନେଶ୍ୱର ଅବକାରୀ ବିଭାଗ ଜଏଣ୍ଟ କମିଶନର ରାମଚନ୍ଦ୍ର ମିଶ୍ର ।ରାମଚନ୍ଦ୍ର ଅବକାରୀ ବିଭାଗର ସବ୍ଇନ୍ସପେକ୍ଟର ପଦବୀରେ କାର୍ଯ୍ୟରେ ଯୋଗ ଦେଇଥିବା ବେଳେ ଏବେ ସେ ଜଏଣ୍ଟ କମିଶନର ଭାବେ କାର୍ଯ୍ୟ କରୁଛନ୍ତି । ଆସନ୍ତା ବର୍ଷ ସେ ଅବସର ନେଇଥାନ୍ତେ। ରାମଚନ୍ଦ୍ରଙ୍କ ମାଳ ମାଳ ଘର ଓ ଫ୍ଲାଟ୍ ଠାବ ହୋଇ ସାରିଲାଣି । ଏହାବାଦ ଘରୁ ବିଡ଼ା ବିଡ଼ା ଟଙ୍କାକୁ ପୁଳା ପୁଳା ସୁନା ଅଳଙ୍କାର ବି ଜବତ ହୋଇଛି। ଏଯାବତ ଠାବ ହୋଇଥିବା ସମ୍ପତ୍ତିର ମୂଲ୍ୟ ୨ କୋଟି ଟଙ୍କାରୁ ଅଧିକ ହେବ ବୋଲି ଜଣାଯାଇଛି। ଚଢ଼ାଉ ସରି ନ ଥିବାରୁ ଏହି ସମ୍ପତ୍ତି ତାଲିକା ଆହୁରି ବଢ଼ିବ ବୋଲି ଅନୁମାନ କରାଯାଉଛି।ରାମଚନ୍ଦ୍ର ମିଶ୍ରଙ୍କର ୩୦ରୁ ଅଧିକ ପ୍ଲଟ୍ ଠାବ ହୋଇଥିବା ସୂଚନା ମିଳିଛି। ବଲାଙ୍ଗିର ଠିକାଦାରପଡ଼ା, ସମ୍ବଲପୁର ଅଇଁଠାପାଲି, ବୁର୍ଲା, ତରଭାରେ ରାମଚନ୍ଦ୍ର ମିଶ୍ରଙ୍କ ଘର ରହିଛି ।ସେହିପରି ବରଗଡ଼ ବଦ୍ରିପ୍ରସାଦ ଆପାର୍ଟମେଣ୍ଟରେ 2 BHK ଫ୍ଲାଟ୍, ସମ୍ବଲପୁର ମୟୂର ରେସିଡେନ୍ସିରେ 3 BHK ଆପାର୍ଟିମେଣ୍ଟ, ଭୁବନେଶ୍ୱର ଖାରବେଳନଗର ଚନ୍ଦ୍ରମା କମ୍ପ୍ଲେକ୍ସରେ ରହିଛି 2BHK ଆପାର୍ଟମେଣ୍ଟ। ସୋନପୁରର ତରଭାରେ ରାଇସ୍ ମିଲ୍ ଓ ସୋନପୁରରେ ରହିଛି ଫାର୍ମ ହାଉସ୍ । ଏସବୁ ସ୍ଥାନ ସମେତ ଭୁବନେଶ୍ୱର ଧର୍ମବିହାର ଭଡ଼ା ଘରେ ରାମଚନ୍ଦ୍ର ରହୁଥିବା ବେଳେ ସେଠାରେ ବି ରେଡ୍ କରିଛି ଭିଜିଲାନ୍ସ।ଭୁବନେଶ୍ୱର, ସୋନପୁର, ବରଗଡ଼, ବଲାଙ୍ଗୀର ସମେତ ରାଜ୍ୟର ୧୦ଟି ସ୍ଥାନରେ ଏକକାଳୀନ ରେଡ୍ ଚାଲିଛି। ଏକାଧିକ ବ୍ୟାଙ୍କରେ ରହିଛି ମୋଟା ଅଙ୍କର ଜମା ରାଶି। ବର୍ତ୍ତମାନ ସୁଦ୍ଧା ଭିଜିଲାନ୍ସ ରାମଚନ୍ଦ୍ରଙ୍କର ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ଠାବ କରି ସାରିଥିବା ବେଳେ ଏହି ତାଲିକା ଆହୁରି ବଢ଼ିବ ବୋଲି ସୂଚନା ମିଳିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |