କଟକ, ୮ା୮: ପଡୋଶୀ ବାଂଲାଦେଶରେ ବର୍ତମାନ ଅଶାନ୍ତ ରହିଥିଲା ବେଳେ ସେଠାରୁ ଲୋକେ ଦେଶଛାଡ଼ି ଅନ୍ୟତ୍ର ଯିବାକୁ ଉଦ୍ୟମ କରୁଛନ୍ତି। ଭାରତ ସବୁଠାରୁ ନିକଟବର୍ତୀ ସୁରକ୍ଷିତ ସ୍ଥାନ ହୋଇଥବାରୁ ସମସ୍ତେ ଭାରତ ଆସିବାକୁ ଚେଷ୍ଟା ଚଳାଇଛନ୍ତି। ଗତ ଦୁଇ ଦିନ ମଧ୍ୟରେ ଦୁଇ ଦେଶର ସୀମାର ଅନେକ ସ୍ଥାନରେ ଅନେକ ଅନୁପ୍ରବେଶ ରୋକିଲାଣି ସେନା। ବାଂଲାଦେଶରେ ଜେଲ୍ ଭାଙ୍ଗି ଅସ୍ତ୍ରଶସ୍ତ୍ର ସହିତ ଫେରାର୍ ଦୁର୍ଦ୍ଦାନ୍ତ ଅପରାଧୀ ସମୁଦ୍ରପଥରେ ଓଡ଼ିଶା ଆସିବାର ଆଶଙ୍କା କରାଯାଉଛି। ଏଥିପାଇଁ ଓଡ଼ିଶା ଉପକୂଳରେ ଥିବା ୧୮ଟି ସାମୁଦ୍ରିକ ଥାନାକୁ ହାଇଆଲର୍ଟ କରାଯାଇଛି। କୂଳକୁ ଆସୁଥିବା ସମସ୍ତ ବୋଟ୍ ଓ ଟ୍ରଲରରେ ଆସୁଥିବା ବ୍ୟକ୍ତିଙ୍କ ଗତିବିଧି ଅନୁଧ୍ୟାନ କରିବା ସହ ଗୁଇନ୍ଦା ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଆଇନଶୃଙ୍ଖଳା ଏଡିଜି ସଂଜୟ କୁମାର ନିର୍ଦ୍ଦେଶ ଦେଇଛନ୍ତି। ବାଂଲାଦେଶ ହିଂସା ଓ ପରବର୍ତ୍ତୀ ସମୟରେ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଇସ୍ତଫା ପରେ ଶେରପୁର ଜିଲ୍ଲା ଜେଲ୍ରୁ ପାଖାପାଖି ୫୧୮ ଅପରାଧୀ ଅସ୍ତ୍ରଶସ୍ତ୍ର ସହିତ ଫେରାର ହୋଇଛନ୍ତି। ବାଂଲାଦେଶରୁ ସମୁଦ୍ରପଥରେ ଓଡ଼ିଶା ପ୍ରବେଶ କରିବା ଆଶଙ୍କାକୁ ନେଇ ଭାରତ ସରକାର ହାଇଆଲର୍ଟ ଜାରି କରିବା ପରେ ଓଡ଼ିଶା ସରକାର ଉପକୂଳ ଜିଲ୍ଲାଗୁଡ଼ିକୁ ସତର୍କ କରିଛନ୍ତି। ବାଲେଶ୍ବରରୁ ଗଞ୍ଜାମ ଯାଏ ୪୫୦ କିମି ଯାଏ ଲମ୍ବିଥିବା ବଙ୍ଗୋପସାଗର ଉପକୂଳ ଏବେ ଓଡ଼ିଶା ପୁଲିସ ପାଇଁ ଅଧିକ ଚ୍ୟାଲେଞ୍ଜ ସୃଷ୍ଟି କରିଛି|
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |