ନୂଆଦିଲ୍ଲୀ,୨୫ା୮:ଆଜି ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି। ପବିତ୍ର ଜନ୍ମାଷ୍ଟମୀ ତଥା ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ। ଆଜି ସାରା ଦେଶରେ ବିଶେଷ କରି ବୈଷ୍ଣବ ଧର୍ମାବଲମ୍ବୀ ଶ୍ରଦ୍ଧାଳୁମାନେ ବେଶ ଉତ୍ସାହର ସହ ପାଳିବେ ନନ୍ଦଲାଲାଙ୍କ ଜନ୍ମୋତ୍ସବ। ଦ୍ୱାପର ଯୁଗରେ ଭଗବାନ ଶ୍ରୀକୃଷ୍ଣ ଏହି ଦିନ ଜନ୍ମ ନେଇଥିଲେ ।ତେବେ ଜନ୍ମାଷ୍ଟମୀ ପାଇଁ ଚଳଚଞ୍ଚଳ ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନ ମଥୁରା ନଗରୀ । ଉତ୍ତରପ୍ରଦେଶ ମଥୁରା ସ୍ଥିତ ଶ୍ରୀକୃଷ୍ଣ ଜନ୍ମଭୂମି ମନ୍ଦିରରେ ଭବ୍ୟ ଆୟୋଜନ ହୋଇଛି । ସେପଟେ ଗୁଜରାଟ ଦ୍ୱାରକାଧୀଶ ମନ୍ଦିର ମଧ୍ୟ ଝଲସୁଛି ଆକର୍ଷଣୀୟ ଆଲୋକମାଳାରେ । ତୀର୍ଥଯାତ୍ରୀଙ୍କ ଭିଡ଼ ସହ ଗହଳ ଚହଳରେ ପୁରି ଉଠିଛି ଦ୍ୱାରକା ନଗରୀ ।କଂସକୁ ବଧ କରିବା ନିମନ୍ତେ ଦେବକୀଙ୍କ ଗର୍ଭରୁ ବନ୍ଦୀଶାଳାରେ ମାନବ ରୂପରେ ଜନ୍ମଗ୍ରହଣ କରିଥିଲେ ଶ୍ରୀକୃଷ୍ଣ । ଏହି ପବିତ୍ର ଉତ୍ସବରେ ଦହିହାଣ୍ଡି ଭଙ୍ଗା ପରମ୍ପରା ରହିଛି ।ମଥୁରା ଓ ବୃନ୍ଦାବନରେ ଭକ୍ତିମୟ ପରିବେଶରେ ମହାପ୍ରଭୁଙ୍କ ଆବାହନ କରାଯିବ।ଏହି ଅବସରରେ ପୁରୀ ଶ୍ରୀମନ୍ଦିରରେ ମଧ୍ୟ ଅନୁଷ୍ଠିତ ହେବ ଶ୍ରୀକୃଷ୍ଣଙ୍କ ଜନ୍ମ ନୀତି। ସଂନ୍ଧ୍ୟାଧୂପ ଶେଷ ହେବା ପରେ ଶ୍ରୀକୃଷ୍ଣଙ୍କ ଜନ୍ମନୀତି ଅନୁଷ୍ଠିତ ହେବ।ଗତକାଲି ପ୍ରସବ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଯେଉଡ଼ ଭୋଗ ସହ ଗର୍ଭଉଦକ ବନ୍ଦାପନା ନୀତି କରାଯାଇଥିଲା। ଆଜି ମହାଜନ ସେବକଙ୍କ ଦ୍ୱାରା ଶ୍ରୀକୃଷ୍ଣ ଜନ୍ମନୀତି ଅନୁଷ୍ଠିତ ହେବ। ଜନ୍ମ ଚକଡ଼ାରେ ନିଶାର୍ଦ୍ଧରେ ପ୍ରଭୁ କୃଷ୍ଣ ଜନ୍ମ ନେବେ। ସଂନ୍ଧ୍ୟାଧୂପ ସରିବା ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇ ଭଣ୍ଡାର ଘର ସମ୍ମୁଖ ଭାଗରେ ପୂଜାପଣ୍ଡା ସେବାୟତ ମାନେ ପଞ୍ଚବର୍ଣ୍ଣ ମୁରୁଜରେ ଜନ୍ମମଣ୍ଡଳୀ ଅଙ୍କନ କରିବେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |