ଭୁବନେଶ୍ୱର,୨୯ା୮: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓଡ଼ିଶାର ଗଣପର୍ବ ନୂଆଖାଇ ଉପଲକ୍ଷେ ସେପ୍ଟେମ୍ବର ୯ ତାରିଖକୁ ଛୁଟି ଘୋଷଣା କରିଛନ୍ତି। ନୂଆଖାଇ ସେପ୍ଟେମ୍ବର ୮ ତାରିଖ ରବିବାର ପଡ଼ୁଥିବାରୁ ୯ ତାରିଖ ସୋମବାର ମଧ୍ୟ ଛୁଟି ରହିବ।ଏହି ଦିନ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ଏବଂ ମାଜିଷ୍ଟ୍ରେରିଆଲ କୋର୍ଟ (କାର୍ଯ୍ୟ ନିର୍ବାହୀ) ବନ୍ଦ ରହିବ। ଏହା ସହିତ ସମସ୍ତ ଶିକ୍ଷାନୁଷ୍ଠାନ ମଧ୍ୟ ବନ୍ଦ ରହିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।ନୂଆଁଖାଇ ପାଇଁ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ବିଭିନ୍ନ ଜିଲ୍ଲାରେ ନବାନ୍ନ ଲାଗି ପାଇଁ ଲଗ୍ନ ଧାର୍ଯ୍ୟ ହୋଇସାରିଛି। ସମ୍ବଲପୁରରେ ମା’ ସମଲେଇଙ୍କଠାରେ ୮ ତାରିଖ ପୂର୍ବାହ୍ନ ୯ଟା ୧୨ରୁ ୯ଟା ୨୭ ମିନିଟ ମଧ୍ୟରେ ନବାନ୍ନ ଲାଗି ନେଇ ଶୁଭଲଗ୍ନ ସ୍ଥିର ହୋଇଛି। ଏହି ସମୟରେ ଲୋକେ ନିଜ ନିଜ ଇଷ୍ଟ ଦେବାଦେବୀଙ୍କ ନିକଟରେ ନବାନ୍ନ ଲାଗି କରି ନୂଆ ଖାଇ ପାରିବେ।ସୁବର୍ଣ୍ଣପୁରରେ ପୂର୍ବାହ୍ନ ୯ଟା ୨୩ରୁ ୯ଟା ୩୭ ମିନିଟ୍ ମଧ୍ୟରେ ଅଧିଷ୍ଠାତ୍ରୀ ଦେବୀ ସୁରେଶ୍ୱରୀଙ୍କ ପାଖରେ ନବାନ୍ନ ଲାଗି ହେବ। ଏହି ସମୟରେ ସୁବର୍ଣ୍ଣପୁର ଗଡ଼ଜାତ ଅଞ୍ଚଳ ତଥା ବୌଦ୍ଧ ଜିଲ୍ଲାର କଣ୍ଟାମାଳ-ପଞ୍ଚରା ଅଞ୍ଚଳରେ ଲୋକେ ନିଜ ନିଜର ଇଷ୍ଟ ଦେବାଦେବୀଙ୍କ ପାଖରେ ନବାନ୍ନ ସମର୍ପଣ କରି ସାରିଲା ପରେ ନବାନ୍ନ ଭକ୍ଷଣ କରିବେ।ବରଗଡ଼ରେ ନିଶାର୍ଦ୍ଧ ପରେ ଓ ପାହାନ୍ତିଆ ପୂର୍ବରୁ ମା’ ସମଲେଶ୍ୱରୀଙ୍କ ପାଖରେ ପ୍ରଥମେ ନବାନ୍ନ ଲାଗି କରାଯିବ l ସକାଳ ୯ଟା ୩୫ମିନିଟରୁ ୧୦ଟା ୪ ମଧ୍ୟରେ ନବାନ୍ନ ଖାଇବେ ବରଗଡ଼ବାସୀ। ବଲାଙ୍ଗିର ଜିଲ୍ଲାରେ ଲୋକେ ୮ ତାରିଖ ସକାଳ ୯ଟା ୩୫ରୁ ୧୦ଟା ୭ ମଧ୍ୟରେ ନିଜ ଇଷ୍ଟଦେବୀଙ୍କ ନିକଟରେ ନବାନ୍ନ ଲଗାଇ ନୂଆ ଖାଇବେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |