ଲେବାନନ୍‌ ଉପରେ ଇସ୍ରାଏଲର ଆକ୍ରମଣ: ୩୫୬ ମୃତ

ଜେରୁଜେଲମ,୨୪।୯: ଲେବାନନ ଉପରେ ଇସ୍ରାଏଲ ଭୟଙ୍କର ଆକ୍ରମଣ କରିଛି । ଏଥିରେ ୩୫୬ ଜଣ ପ୍ରାଣ ହରାଇଥିବା ବେଳେ ୧୨୦୦ରୁ ଅଧିକ ଆହତ ହୋଇଛନ୍ତି । ଇସ୍ରାଏଲର ଏହି ଆକ୍ରମଣ ଫଳରେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । ଗୋଟିଏ ପଟେ ପାଲେଷ୍ଟାଇନ ଉପରେ ଆକ୍ରମଣ ଜାରି ରଖିଥିବା ବେଳେ ପୁଣି ଲେବାନନ ଉପରେ ଆକ୍ରମଣ କରି ଇସ୍ରାଏଲ ପରିସ୍ଥିତିକୁ ବିଗାଡ଼ିବାରେ ଲାଗିଛି । ହିଜବୁଲ୍ଲା ଇସ୍ରାଏଲ ଉପରେ ରକେଟ ମାଡ଼ କରୁଥିବାରୁ ଏହାର ପ୍ରତିଶୋଧ ନେବାକୁ ଯାଇ ଲେବାନନ ଉପରେ ଇସ୍ରାଏଲ ବଡ଼ ଧରଣର ଆଖିବୁଜା ଆକ୍ରମଣ କରୁଛି ।ଲେବାନନ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ ଗତ ଅକଟୋବରରୁ ହିଜବୁଲ୍ଲା ଓ ଇସ୍ରାଏଲ ମଧ୍ୟରେ ଆରମ୍ଭ ହୋଇଥିବା ସଂଘର୍ଷର ଆଜି ଥିଲା ସବୁଠାରୁ ଭୟଙ୍କର ଦିନ । ଲେବାନନର ଦକ୍ଷିଣ ଏବଂ ପୂର୍ବାଞ୍ଚଳ ଉପରେ ଇସ୍ରାଏଲ ବୋମା ସହିତ କ୍ଷେପଣାସ୍ତ୍ର ମାଡ଼ କରିଛି । ଆଜି ସକାଳୁ ଦକ୍ଷିଣ ଲେବାନନର ସହର ଏବଂ ଗ୍ରାମାଞ୍ଚଳ ଉପରେ ଭୀଷଣ ଅକ୍ରମଣରେ ୩୫୬ ଜଣ ପ୍ରାଣ ହରାଇଛନ୍ତି । ମୃତକମାନଙ୍କ ମଧ୍ୟରେ ଅଧିକାଂଶ ହେଉଛନ୍ତି ଶିଶୁ, ମହିଳା ଓ ଅନ୍ୟ ସାଧାରଣ ନାଗରିକ । ହିଜବୁଲ୍ଲାକୁ ଟାର୍ଗେଟ କରି ଇସ୍ରାଏଲ ଆକ୍ରମଣ କରୁଥିବା କହୁଥିବା ବେଳେ ପ୍ରକୃତରେ ପ୍ରାଣ ହରାଉଛନ୍ତି ସାଧାରଣ ନାଗରିକ । ୨୦୦୬ ପରେ ପ୍ରଥମ ଥର ଲାଗି ଏତେ ବଡ଼ ଆକ୍ରମଣ ହୋଇଛି ଏବଂ ଗୋଟିଏ ଦିନରେ ଏତେ ଲୋକ ପ୍ରାଣ ହରାଇଛନ୍ତି । ବିଶେଷକରି ହେଜବୋଲ୍ଲା ଆତଙ୍କବାଦୀମାନେ ଅସ୍ତ୍ରଶସ୍ତ୍ର ଗଚ୍ଛିତ କରି ରଖିଥିବା ସ୍ଥାନ ଓ ଘରଦ୍ବାରକୁ ଛାଡି ଦିଅନ୍ତୁ କାରଣ ଆଗାମୀ ଦିନରେ ହେଜବୋଲ୍ଲା ବିରୋଧରେ ବଡ ଧରଣର ଆକ୍ରମଣ ହେବ। ଇସ୍ରାଏଲ ସେନା କହିଛି ଯେ ଲେବାନନ୍‌ର ପ୍ରାୟ ୩୦୦ଟି ସ୍ଥାନକୁ ନିଶାଣ କରି ରକେଟ୍ ଓ କ୍ଷେପଣାସ୍ତ୍ର ମାଡ କରାଯାଇଛି। ହେଜବୋଲ୍ଲା ଉପରେ ଚାପ ପକାଇବାକୁ ଆଗାମୀ ଦିନରେ ଅଧିକ ଆକ୍ରମଣ କରିବା ଲାଗି ଇସ୍ରାଏଲ ସେନାମୁଖ୍ୟ ଲେପ୍ଟନାଣ୍ଟ ଜେନେରାଲ ହେର୍ଜି ହାଲେଭି ସେନାକୁ ଅନୁମତି ପ୍ରଦାନ କରିଛନ୍ତି। ପେଜର ଓ ୱାକିଟକି ବିସ୍ଫୋରଣ ହେବା ପରଠାରୁ ଇସ୍ରାଏଲର ଆକ୍ରମଣରେ ଲେବାନନ୍‌ରେ ପ୍ରାୟ ୬୦୦ ନାଗରିକ ପ୍ରାଣ ହରାଇଲେଣି। ପ୍ରାଣ ହରାଇଥିବା ନାଗରିକଙ୍କ ମଧ୍ୟରେ ହେଜବେଲ୍ଲୋର ଅନେକ ଯୋଦ୍ଧା ରହିଛନ୍ତି। ହେଜବୋଲ୍ଲା ଉପରେ ଇସ୍ରାଏଲର ଏପରି ଆକ୍ରମଣକୁ ଗାଜାସ୍ଥିତ ହମାସ ଆତଙ୍କବାଦୀ ସଂଗଠନ ନିନ୍ଦା କରିଛି। ହମାସ କହିଛି ଯେ ହେଜବୋଲ୍ଲା ଉପରେ ଇସ୍ରାଏଲ ଯେଉଁ ଆକ୍ରମଣ କରିଛି ତାହା ଏକ ଯୁଦ୍ଧ ଅପରାଧ। ସେହିପରି ଇରାନ ମଧ୍ୟ ଏପରି ଆକ୍ରମଣ ପାଇଁ ଇସ୍ରାଏଲକୁ ଚେତାବନୀ ଦେଇଛି। ଇରାନ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଇସ୍ରାଏଲର ଏପରି ଆକ୍ରମଣ ପାଇଁ ଏହା ଆଗାମୀ ଦିନରେ ଭୟଙ୍କର ପରିଣତି ଭୋଗିବ। ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ନାସେର କାନାନି କହିଛନ୍ତି ଯେ ଇସ୍ରାଏଲ ପାଲେଷ୍ଟାଇନର ଭୂଖଣ୍ଡ ଓ ଲେବାନନ୍‌ ଉପରେ ଯେଉଁ ଆକ୍ରମଣ କରୁଛି ତାହା ଆନ୍ତର୍ଜାତିକ ଶାନ୍ତି ପାଇଁ ବଡ ବିପଦ। ଇସ୍ରାଏଲର ଆକ୍ରମଣ ଆନ୍ତର୍ଜାତିକ ଶାନ୍ତି ଭଙ୍ଗ କରୁଥିବାବେଳେ ଏହାକୁ ଆମେରିକା ସମର୍ଥନ ଦେବା ନିନ୍ଦନୀୟ। ଏ ଦିଗରେ ଜାତିସଂଘ ସୁରକ୍ଷା ପରିଷଦ ଆବଶ୍ୟକ ହସ୍ତକ୍ଷେପ କରିବା ଦରକାର।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!