ଭୁବନେଶ୍ୱର,୧୭।୧୦: ଆସନ୍ତା ୨୦ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗରସ୍ଥ ବାୟୁମଣ୍ଡଳର ଉପରି ଭାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ୨୨ ତାରିଖରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ପରବର୍ତ୍ତୀ ସମୟରେ ଏହା ଆହୁରି ଘନୀଭୂତ ହୋଇ ଉତ୍ତରପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୨୩ ଓ ୨୪ ତାରିଖରେ ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି।କ୍ରମେ ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ଅଧିକ ଘନୀଭୂତ ହେବା ନେଇ ଭୁବନେଶ୍ବର ଆଂଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି। କିନ୍ତୁ ଏ ନେଇ କୌଣସି ୱାର୍ଣ୍ଣିଂ ଦିଆଯାଇ ନାହିଁ। ଲଘୁଚାପ କ୍ଷେତ୍ର ସୃଷ୍ଟି ପରେ ଚିତ୍ର ଆହୁରି ସ୍ପଷ୍ଟ ହେବ ବୋଲି ମନୋରମା କହିଛନ୍ତି। ତେବେ ବାତ୍ୟା ନେଇ କୌଣସି ସୂଚନା ନାହିଁ।ଅନ୍ୟପକ୍ଷରେ ପାଣିପାଗ ବିଶେଷଜ୍ଞ ଶରତ ସାହୁଙ୍କ ଆକଳନ ଅନୁଯାୟୀ, ଲଘୁଚାପଟି ଅଧିକ ଘନୀଭୂତ ହୋଇ ଆସନ୍ତା ୨୪ ତାରିଖ ବେଳକୁ ଗଭୀର ଅବପାତ କିମ୍ବା ଏକ ଛୋଟ ବାତ୍ୟାର ରୂପ ନେଇପାରେ। ବିଭିନ୍ନ ମଡେଲର ଆକଳନ ଅନୁଯାୟୀ ଏହା ଓଡ଼ିଶା ଉପକୂଳ କିମ୍ବା ପଶ୍ଚିମବଙ୍ଗ କିମ୍ବା ବାଂଲାଦେଶ ମୁହାଁ ହେବାର ସମ୍ଭାବନା ରହିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |