ପୁରୀ,୧୨ା୧୧:ଆଜିଠୁ ଆରମ୍ଭ ହେଉଛି କାର୍ତ୍ତିକ ମାସର ମହାପଞ୍ଚୁକ ବ୍ରତ। ଏଥିପାଇଁ ଶ୍ରୀକ୍ଷେତ୍ରରେ ସ୍ୱତନ୍ତ୍ର ବ୍ୟବସ୍ଥା କରଯାଇଛି। ଏଥର ତିଥି କ୍ଷୟ ଯୋଗୁ ୫ ଦିନ ବଦଳରେ ୪ ଦିନ ପାଳନ କରାଯିବ ପଞ୍ଚୁକ ବ୍ରତ।ଏହାସହିତ ଆଜି ଉତ୍ଥାପନ ଏକାଦଶୀ କାରଣରୁ ଶ୍ରୀମନ୍ଦିରରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି । ତେବେ ପଞ୍ଚୁକ ପାଇଁ କାଳିଆ ସାଆନ୍ତଙ୍କର ସ୍ବତନ୍ତ୍ର ନୀତିକ୍ରାନ୍ତି ଅନୁଷ୍ଠିତ ହେବା ସହିତ ଠିଆକିଆ ବେଶ ଅନୁଷ୍ଠିତ ହେବ । ମୂଲ୍ୟବାନ ସ୍ବର୍ଣ୍ଣ ଅଳଙ୍କାର, ପାଟବସ୍ତ୍ର ଓ ପୁଷ୍ପମାଲ୍ୟ ପରିଧାନ କରିବେ ମହାପ୍ରଭୁ । ଠାକୁରଙ୍କ ଏହି ବେଶ ନୀତି କରାଇବେ । ପୁଷ୍ପାଳକ ସେବକମାନେ ମହାପ୍ରଭୁଙ୍କର ଏହି ନୀତି କରାଇବେ । କୁହାଯାଏ ଯେ ଏହି ବେଶକୁ ଦର୍ଶନ କରିବା ଦ୍ବାରା ମନୁଷ୍ୟର ସାଧୁଜ୍ୟ ମୁକ୍ତି ଲାଭ ହୋଇଥାଏ । ତେଣୁ ଭକ୍ତଙ୍କୁ ୪ଟି ବେଶରେ ଦର୍ଶନ ଦେବେ ମହାପ୍ରଭୁ।ଗତକାଲିଠାରୁ ଶ୍ରୀମନ୍ଦିରେ ପ୍ରବଳ ଭିଡ଼ ପରିଲକ୍ଷିତ ହେଲାଣି। ପଞ୍ଚୁକ ଭିଡ଼କୁ ଦୃଷ୍ଟିରେ ରଖି ଆଜି ଠାରୁ କାର୍ତ୍ତିକ ପୂର୍ଣ୍ଣମା ପର୍ଯ୍ୟନ୍ତ କେବଳ ସିଂହଦ୍ୱାର ଦେଇ ଶ୍ରଦ୍ଧାଳୁ ପ୍ରବେଶ କରିବେ। ଶ୍ରୀଜିଉଙ୍କ ଦର୍ଶନ ସାରି ଅନ୍ୟ ୩ ଦ୍ୱାର ଦେଇ ପ୍ରସ୍ଥାନ କରିବେ ଶ୍ରଦ୍ଧାଳୁ। ଏନେଇ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ଶ୍ରୀମନ୍ଦିର ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |