ଭୁବନେଶ୍ୱର,୧୩।୧୧: ଚଳିତବର୍ଷ ଡିସେମ୍ବର ୩୧ସୁଦ୍ଧା ରାଜସ୍ୱ ବିଭାଗର ବାକି ରହିଥିବା ସମସ୍ତ ଜମିଜମା ମାମଲା କାର୍ଯ୍ୟ ଶେଷ ହେବ। ପ୍ରତି ମାସରେ ପ୍ରତି ଜିଲାର ରିପୋର୍ଟ କାର୍ଡ ରାଜସ୍ୱ ବିଭାଗ ପାଖରେ ରହୁଛି ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ମନ୍ତ୍ରୀ କହିଛନ୍ତି, ଓଡ଼ିଶାର ଜବରଦଖଲ ମାମଲା କହିଲେ ଏକ ପାହାଡ଼କୁ ବୁଝାଏ। କିନ୍ତୁ ଉଚ୍ଛେଦ ଉପରେ ମଧ୍ୟ ଯଥେଷ୍ଟ ଧ୍ୟାନ ଦେଇଛି ବିଭାଗ। ଖୁବଶୀଘ୍ର ବେଦାନ୍ତ ପାଇଥିବା ଜମିକୁ ଲୋକଙ୍କୁ ଫେରସ୍ତ କରାଯିବ । ପୁରୀ ବେଦାନ୍ତ ଜମି ପ୍ରସଙ୍ଗରେ ଏହି ବଡ଼ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଅନୀଲ ଅଗ୍ରୱାଲ ଫାଉଣ୍ଡେସନ ପାଇଥିବା ଜମି ଲୋକଙ୍କୁ ଫେରସ୍ତ ହେବ । ଜମି ଫେରସ୍ତ ପାଇଁ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି ।ମୋଟ ୩ ହଜାର ୩୪୨.୫୩ ଏକର ଘରୋଇ ଜମି ଅଧିଗ୍ରହଣ କରାଯାଇଥିଲା । ଜମିହରାଙ୍କୁ ଚିହ୍ନଟ କରି ସେମାନଙ୍କ ଜମି ଫେରସ୍ତ କରାଯିବ । ଏନେଇ ସରକାରୀ ଭାବେ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି, ଦିନେ ଦୁଇ ଦିନରେ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ମନ୍ତ୍ରୀ କହିଛନ୍ତି । ଲୋକଙ୍କୁ ସେମାନଙ୍କ ଜମି ମିଳିବା ସହ ସେମାନେ ନିଜ ଜମିକୁ ଦଖଲକୁ ନେବେ । ଫେରି ପାଉଥିବା ଜମିକୁ ସଂପୃକ୍ତ ଲୋକଙ୍କ ନାଁରେ ପଞ୍ଜୀକୃତ କରାଯିବ । ଜମି ପାଇଁ ଲୋକମାନେ ପାଇଥିବା କ୍ଷତିପୂରଣ ସରକାରଙ୍କୁ ଫେରାଇବେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |