ଭୁବନେଶ୍ୱର,୮।୧: ଆରମ୍ଭ ହେଲା ପ୍ରବାସୀ ଭାରତୀୟ ଦିବସ। ଭୁବନେଶ୍ୱରର ଜନତା ମଇଦାନରେ ଆରମ୍ଭ ହେଲା ପ୍ରବାସୀ ଭାରତୀୟ ଦିବସ। ଯୁବ ସମାବେଶରୁ ଆରମ୍ଭ ହେଲା ସମ୍ମେଳନ। ଶୁଭାରମ୍ଭ କଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରୀ ମନସୁଖ ମାଣ୍ଡଭିୟ।ଦୁଲୁକୁଛି ଭୁବନେଶ୍ୱର ଜନତା ମଇଦାନ। ଯୁବ ସମାବେଶରୁ ଆରମ୍ଭ ହୋଇଛି ସମ୍ମେଳନ । ୩ ଦିନ ଧରି କାର୍ଯ୍ୟକ୍ରମ ଚାଲିବ। ଆସନ୍ତାକାଲି ଆନୁଷ୍ଠାନିକ ଭାବେ ସମ୍ମେଳନକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିପାଇଁ ଆଜି ସନ୍ଧ୍ୟାରେ ଭୁବନେଶ୍ୱର ଆସୁଛନ୍ତି ପ୍ରଧାନମନ୍ତ୍ରୀ।ଜଗନ୍ନାଥ ଭୂମିରେ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ କହିଲେ ମୁଖ୍ୟମନ୍ତ୍ରୀ। କହିଲେ, ଅଜସ୍ର ସ୍ନେହ, ଶ୍ରଦ୍ଧାର ସହ ଆପଣଙ୍କ ଅପେକ୍ଷାରେ ଥିଲୁ ।ଆଜି ଅପେକ୍ଷାର ଅନ୍ତ ହେଲା, ସଂପର୍କ ଆହୁରି ସୁଦୃଢ଼ ହେବ । ପ୍ରତ୍ୟେକ ପ୍ରବାସୀଙ୍କୁ ଜଣେ ଜଣେ ସାଂସ୍କୃତିକ ଆମ୍ବାସଡର ବୋଲି କହିଲେ ମୁଖ୍ୟମନ୍ତ୍ରୀ। ଆପଣଙ୍କ ସଫଳତା ଆମକୁ ଖୁସି ଦେଇଥାଏ । ଓଡ଼ିଶାର ସଂସ୍କୃତି ଓ ଐତିହ୍ୟ ସ୍ବତନ୍ତ୍ର। ମୁଁ ଚାହୁଁଛି ଆପଣ ଓଡ଼ିଶାର ସଂସ୍କୃତି ଓ ଐତିହ୍ୟ ବିଷୟରେ ଜାଣନ୍ତୁ । ପୁରୀ, କୋଣାର୍କ, ଧଉଳି, ଚିଲିକା ଭଳି ପର୍ଯ୍ୟଟନସ୍ଥଳୀ ବୁଲନ୍ତୁ । ଡାଲମା, ରସଗୋଲା, ଛେନାପୋଡ଼ ଭଳି ଓଡ଼ିଆ ଖାଦ୍ୟର ମଜା ନିଅନ୍ତୁ । ଏହି ଅବସରରେ ଭୁବନେଶ୍ବରରେ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ହେଉଛି । ପ୍ରବାସୀଙ୍କୁ ସବୁ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ଅନୁରୋଧ କଲେ। ଏହାଦ୍ବାରା ସମ୍ପର୍କ ଆହୁରି ମଜବୁତ ହେବ, ଅତୁଟ ରହିବ ବୋଲି ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ କହିଛନ୍ତି।ଆଜି ନିଜ ଅଭିଭାଷଣରେ କେନ୍ଦ୍ରମନ୍ତ୍ରୀ ଜୟଶଙ୍କର କହିଲେ, ବିକଶିତ ଭାରତ ଅଭିମୁଖେ ଆମେ ଗତି କରୁଛେ। କୋଭିଡ ସମୟରେ ଭାରତ ନିଜସ୍ୱ ଟିକା ତିଆରି କରିଥିଲା। ଚନ୍ଦ୍ରଯାନ-୩, ଗଗନଯାନ ମିଶନ ଗୋଟିଏ ଗୋଟିଏ ସଫଳତା। ବହୁତ ଯୁଗାନ୍ତକାରୀ ଯୋଜନା ଲୋକଙ୍କ ଜୀବନଧାରଣ ମାନକୁ ବଦଳାଇଛି। ସ୍ୱଚ୍ଛ ଭାରତ, ଆବାସ, ବେଟି ବଚାଅ ବେଟି ପଢ଼ାଅ ଏହାର ଉଦାହରଣ ବୋଲି କହିଛନ୍ତି ଜୟଶଙ୍କର।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |