ଆଜି ପବିତ୍ର ମକର ସଂକ୍ରାନ୍ତି , ମହାପ୍ରଭୁ ଲାଗି ହେବ ମକର ଚାଉଳ ଭୋଗ

ପୁରୀ,୧୪ା୧:ଆଜି ପବିତ୍ର ମକର ସଂକ୍ରାନ୍ତି । ଶ୍ରୀମନ୍ଦିରରେ ପାଳନ ହେଉଛି ମହାପ୍ରଭୁଙ୍କ ସ୍ବତନ୍ତ୍ର ମକରନୀତି । ଶ୍ରୀଜଗନ୍ନାଥଙ୍କ ଦ୍ବାଦଶ ଯାତ୍ରା ମଧ୍ୟରେ ମକରସଂକ୍ରାନ୍ତି ପ୍ରମୁଖ ଯାତ୍ରା ହୋଇଥିବାରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି । ଭୋରରୁ ଶ୍ରୀମନ୍ଦିର ଦ୍ୱାର ଫିଟିବା ପରେ ମହାପ୍ରଭୁଙ୍କର ମଙ୍ଗଳ ଆଳତି ଓ ଅବକାଶ ନୀତି ବଢ଼ିବା ପରେ ଶ୍ରୀଜିଉଙ୍କ ପଟା ପହରଣ ଲାଗି କରାଯାଇଛି । ମହାପ୍ରଭୁଙ୍କ ନିକଟରେ ଲାଗି ହେଉଛି ମକରଚାଉଳ ଭୋଗ । ଗୋପାଳବଲ୍ଲଭ ଓ ସକାଳଧୂପ ନୀତି ବଢ଼ିବା ପରେ ମଇଲମ, ମହାସ୍ନାନ, ସର୍ବାଙ୍ଗ ଲାଗି, ନୂଆଲୁଗା ଲାଗି, ମାଳଚୂଳ ଲାଗି ହେବା ପରେ ୬ ମୂର୍ତ୍ତି ଅଳଙ୍କାର ଲାଗି ହୋଇ ମହାପ୍ରଭୁ ମକରଚୌରାସୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି।ଏହି ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିଥାନ୍ତି। ସୌର ଗଣନା ଅନୁସାରେ ମକର ସଂକ୍ରାନ୍ତିକୁ ମକର ମାସର ପ୍ରଥମ ଦିନ ହିସାବରେ ଗ୍ରହଣ କରାଯାଏ।ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଧନୁ ରାଶିରୁ ମକର ରାଶିକୁ କ୍ରମଶଃ ଗମନ କରନ୍ତି। ଏହି ଦିନଠାରୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ଆରମ୍ଭ ହୋଇଥାଏ। ଏହି ସର୍ବ ଭାରତୀୟ ପର୍ବକୁ ସମସ୍ତେ ଉତ୍ସାହର ସହ ପାଳନ କରନ୍ତି। ଏହି ପର୍ବ ପାଳନର କିଛି ବିଶେଷତ୍ୱ ରହିଥାଏ।ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଆଜିଠାରୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ଆରମ୍ଭ ହୋଇଛି । ସୂର୍ଯ୍ୟଙ୍କ ଉତ୍ତରାୟଣ ଗତିକୁ ଅତି ଶୁଭଙ୍କର ବିଶ୍ବାସ କରାଯାଏ । ଏହି ଅବସରରେ ମାଳଚୂଳ ଅଳଙ୍କାର ପିନ୍ଧି ମକର ଚୌରାସୀ ବେଶରେ ସଜ୍ଜିତ ହୋଇଛନ୍ତି ଶ୍ରୀଜିଉ । ମହାପ୍ରଭୁଙ୍କ ମକରବେଶ ପାଇଁ ଜଗନ୍ନାଥ ବଲ୍ଲଭ ମଠ ପକ୍ଷରୁ ସୁସଜ୍ଜିତ ମାଳଚୂଳ ପ୍ରସ୍ତୁତ କରାଯାଇଥିବାବେଳେ ବଡ଼ଓଡିଆ ମଠ ପକ୍ଷରୁ ରଙ୍ଗ ବେରଙ୍ଗର ବିଭିନ୍ନ ସୁବାସିତ ପୁଷ୍ପ ଓ ତୁଳସୀ ସଜ୍ଜିତ ମାଳ ଚୂଳ ପ୍ରସ୍ତୁତ କରାଯାଇଛି । ଗତକାଲି ରାତିରୁ କୁମ୍ଭାରପଡ଼ା ସ୍ଥିତ ଆଲାମଚଣ୍ଡୀ ମନ୍ଦିର ପକ୍ଷରୁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ମକର ଚାଉଳ ଭୋଗ ପାଇଁ ଏକ ପଟୁଆରରେ ଯାଇ ପାଞ୍ଚଟି ମକରତାଡ ଯୋଗାଇ ଦିଆଯାଇଥିଲା ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!