ୱାସିଂଟନ ୧୯।୧:ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆସନ୍ତାକାଲି (ଜାନୁଆରୀ ୨୦, ସୋମବାର) ଦ୍ୱିତୀୟ ଥର ପାଇଁ ଆମେରିକାର ୪୭ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବେ। ଆମେରିକା ପ୍ରେସିଡେଣ୍ଟ ଭାବେ ଏହା ତାଙ୍କର ଦ୍ବିତୀୟ ପାଳି । ଲଗାତାର ନହେଲେ ୪ ବର୍ଷ ପରେ ପୁଣି ଥରେ ହ୍ବାଇଟ୍ ହାଉସକୁ ଫେରୁଛନ୍ତି । ଟ୍ରମ୍ପଙ୍କ ଶପଥ ଉତ୍ସବ ପାଇଁ ସମସ୍ତ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ସୋମବାର ସ୍ଥାନୀୟ ସମୟ ଦିନ ୧୨ଟାରୁ ୟୁଏସଏ କ୍ୟାପିଟାଲ ଭିତରେ ହେବ । ଉଭୟ ଟ୍ରମ୍ପ ଏବଂ ନବନିର୍ବାଚିତ ଉପରାଷ୍ଟ୍ରପତି ଜେଡି ଭାନ୍ସ ଶପଥ ଗ୍ରହଣ କରିବେ।ତେବେ ଆମେରିକା ରାଷ୍ଟ୍ରପତିଙ୍କ ପାରମ୍ପରିକ ଶପଥ ଗ୍ରହଣ ଭଳି ଏଥିରେ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ଏବଂ ଏପରିକି ତାଙ୍କର କିଛି ପ୍ରତିଦ୍ୱନ୍ଦ୍ୱୀଙ୍କ ସମେତ ଅନେକ ବିଦେଶୀ ନେତା ସାମିଲ ହେବେ। ଏଥିରେ ଅତି କମରେ ୭ ଜଣ ରାଷ୍ଟ୍ରମୁଖ୍ୟ ଓ ଦୁଇ ଜଣ ପୂର୍ବତନ ନେତାଙ୍କୁ ନିମନ୍ତ୍ରଣ କରାଯାଇଛି। ସମ୍ବାଦ ସରବରାହ ସଂସ୍ଥା ରଏଟର୍ସ ଅନୁଯାୟୀ, ମୋଟ ୫ ଲକ୍ଷ ଅତିଥି ଆସିବାର ସମ୍ଭାବନା ରହିଛି। ଶପଥଗ୍ରହଣର ତୁରନ୍ତ ବାଦ ସୋମବାର ମଧ୍ୟାହ୍ନରେ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯେବେ ହ୍ୱାଇଟ୍ ହାଉସ୍ କୁ ଯିବେ ଓଭାଲ ଅଫିସ ଡେସ୍କରେ ୧୦୦ରୁ ଅଧିକ କାର୍ଯ୍ୟକାରୀ ଆଦେଶ ଫାଇଲ ତାଙ୍କୁ ମଞ୍ଜୁରୀ ନିମନ୍ତେ ଅପେକ୍ଷା କରିଥିବେ, ଯେଉଁଗୁଡିକୁ ତାଙ୍କ ଟିମ୍ ବିନା ବିଳମ୍ବରେ ରାଷ୍ଟ୍ରପତିଙ୍କ ଦ୍ୱିତୀୟ କାର୍ଯ୍ୟକାଳ ପ୍ରାରମ୍ଭ ପାଇଁ ପ୍ରସ୍ତୁତ କରି ରଖିଛନ୍ତି। ଏହି କାର୍ଯ୍ୟକାରୀ ଆଦେଶଗୁଡିକ ମୁଖ୍ୟତଃ ତାଙ୍କ ନିର୍ବାଚନୀ ପ୍ରତିଶ୍ରୁତି ସମ୍ପର୍କିତ ବୋଲି ଜଣାପଡିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |