ଭୁବନେଶ୍ୱର,୨୪ା୧:ଫେବୃଆରୀ ୯ରେ ଦୁଲୁକିବ ବାରବାଟୀ । ଐତିହାସିକ ବାରବାଟୀ କ୍ରିକେଟ ଷ୍ଟାଡିୟମ୍ରେ ଆୟୋଜିତ ହେବାକୁ ଯାଉଥିବା ଭାରତ-ଇଂଲଣ୍ଡ ଦିନିକିଆ ଦିବାରାତ୍ର କ୍ରିକେଟ୍ ମ୍ୟାଚ୍ର ଟିକେଟ୍ ବିକ୍ରି ନେଇ ତାରିଖ ଘୋଷଣା ହୋଇଯାଇଛି। ବାରବାଟୀ ଦିନିକିଆ ପାଇଁ ପ୍ରଥମ ଟିକେଟ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ପ୍ରଦାନ କରାଯାଇଛି। ଓଡ଼ିଶା କ୍ରିକେଟ୍ ସଂଘ (ଓସିଏ) ପକ୍ଷରୁ ସଂପାଦକ ସଞ୍ଜୟ ବେହେରା ମହାପ୍ରଭୁଙ୍କ କରକମଳରେ ମ୍ୟାଚ୍ ଟିକେଟ ଚଢ଼ାଇ ଏହାର ସଫଳ ଆୟୋଜନ ଲାଗି ଆଶୀର୍ବାଦ ଭିକ୍ଷା କରିଛନ୍ତି। ଫେବ୍ରୁଆରୀ ୯ରେ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଦିନିକିଆ।ଏହାଛଡା ପ୍ରଥମ ଥର ପାଇଁ ଏଥର ରାଜ୍ୟକୁ ବିଭିନ୍ନ କ୍ଷେତ୍ରରେ ଗୌରବ ଆଣିଥିବା ବ୍ୟକ୍ତିଙ୍କୁ ନେଇ ଲିଜେଣ୍ଡାରୀ ବକ୍ସର ଆୟୋଜନ କରାଯାଇଛି । ଉଭୟ ଉପର, ତଳ ବାଲିଯାତ୍ରା ପଡ଼ିଆ ଓ ସତ୍ୟବ୍ରତ ଷ୍ଟାଡିଅମରେ ଖୋଲିବ ଫ୍ୟାନ୍ କ୍ଲବ । ଯେଉଁଠି ଖେଳର ମଜା ସହ ସହର ଦହିବରା ଆଳୁଦମରୁ ଆରମ୍ଭ କରି ବିଭିନ୍ନ ସୁସ୍ୱାଦୁ ଖାଦ୍ୟର ମଜା ଉଠାଇ ପାରିବେ ଫ୍ୟାନ୍ସ । ମ୍ୟାଚ ଦେଖିବା ପାଇଁ ଷ୍ଟାଡିଅମ ଆସୁଥିବା ଦର୍ଶକ ମାନଙ୍କ ପାଇଁ ସୁଲଭ ମୂଲ୍ୟରେ ସମସ୍ତ ଗ୍ୟାଲେରୀରେ ସୁସ୍ୱାଦୁ ଖାଦ୍ୟ ଉପଲବ୍ଧ ହେବ । ଏହାବ୍ୟତୀତ ଅଫଲାଇନ୍ ଟିକେଟ କିଣିବା ବେଳେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନ ଉପୁଜେ ସେନେଇ ସବୁ ବ୍ୟବସ୍ଥା କରାଯାଇଥିବା କହିଛନ୍ତି କ୍ରୀଡାମନ୍ତ୍ରୀ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |