ଆଜି ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ଵିତୀୟ ଟ୍ବେଣ୍ଟି-୨୦ ମ୍ୟାଚ୍

ନୂଆଦିଲ୍ଲୀ,୨୫।୧: ଆଜି ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟି-୨୦। ଚେନ୍ନାଇର ଏମ.ଏ. ଚିଦାମ୍ବରମ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଏହି ଦୁଇ ପ୍ରତିଦ୍ୱନ୍ଦ୍ୱୀ। ସନ୍ଧ୍ୟା ୭ଟାରୁ ଆରମ୍ଭ ହେବ ମ୍ୟାଚ୍‌। ପ୍ରଥମ ମ୍ୟାଚ୍‌ ଜିତି ୧-୦ରେ ଆଗୁଆ ରହିଛି ଟିମ୍‌ ଇଣ୍ଡିଆ। ଗତ ୨୨ରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ଦମଦାର ପ୍ରଦର୍ଶନ କରି ଇଂଲଣ୍ଡକୁ ଘାଇଲା କରିଥିଲା ଟିମ୍‌ ଇଣ୍ଡିଆ। ଇଂଲଣ୍ଡକୁ ୭ ୱିକେଟରେ ହରାଇ ପ୍ରଥମ ଟି-୨୦ରେ ବିଜୟ ବାନା ଉଡ଼ାଇଥିଲା। ୧୩୩ ରନର ଟାର୍ଗେଟକୁ ପିଛା କରି ଭାରତ ବିଜୟ ହାସଲ କରିଛି। ଭ୍ରମଣକାରୀ ଇଂଲଣ୍ଡକୁ କୋଲକାତାର ଇଡେନ ଗାର୍ଡେନରେ ଘାଇଲା କରି ୫ ଟିକିଆ ଶୃଙ୍ଖଳାରେ ୧-୦ରେ ଆଗୁଆ ରହିଛି ସୂର୍ଯ୍ୟ ବାହିନୀ। ସିରିଜ୍‌କୁ ହାତେଇବା ଲକ୍ଷ୍ୟରେ ବର୍ତ୍ତମାନ ଗୋଟିଏ ପାଦ ଆଗୁଆ ଅଛି ମେନ୍‌ ଇନ୍‌ ବ୍ଲୁ। ପ୍ରଥମ ମ୍ୟାଚ୍‌ରେ ଅଭିଷେକ ଶର୍ମାଙ୍କ ଧୂଆଁଦାର ବ୍ୟାଟିଂ ବଳରେ ଘାଇଲା ହୋଇଥିଲା ଇଂଲଣ୍ଡ । ଅଭିଷେକ ଶର୍ମା ୩୪ ବଲ୍‌ରେ ୭୯ ରନ୍‌ କରିଥିବା ବେଳେ ୨୦ ବଲ୍‌ରେ ୨୬ ରନ୍‌ କରିଥିଲେ ସଞ୍ଜୁ ସାମସନ। ତେବେ ଆଜି ସୂର୍ଯ୍ୟକୁମାର ଯାବଦଙ୍କ ନେତୃତ୍ୱରେ ପୁଣିଥରେ ପଡ଼ିଆକୁ ଓହ୍ଲାଇବ ଭାରତୀୟ ଦଳ।ଚେପକ୍‌ର କଳା ମାଟିର ପିଚ୍‌ ସ୍ପିନରଙ୍କୁ ନିଶ୍ଚିତ ସୁହାଇବ। କାକର ନିଶ୍ଚିତ ପଶ୍ଚାତ୍‌ଧାବନ କରୁଥିବା ଦଳକୁ ସହାୟକ ହେବ। ସେହି ଦୃଷ୍ଟିରୁ ଟସ୍ ଜିତି ପ୍ରଥମେ କ୍ଷେତ୍ରରକ୍ଷଣ କରିବା ସ୍ବାଭାବିକ ନିଷ୍ପତ୍ତି ରହିବ ଏବଂ ଏଥିରୁ ଫାଇଦା ମିଳିବ। ଇଡେନ୍‌ରେ ୨ ୱିକେଟ୍ ଅକ୍ତିଆର କରିବା ସହ ଦେଶର ଅଗ୍ରଣୀ ଟ୍ବେଣ୍ଟି-୨୦ ବୋଲର ହୋଇଥିବା ଅର୍ଶଦୀପ ସିଂହ ଆଉ ୩ ୱିକେଟ୍‌ ପାଇଲେ ୧୦୦ ପୂର୍ଣ୍ଣ କରିବେ। ଶନିବାର ସେ ଏହି ଲକ୍ଷ୍ୟରେ ପହଞ୍ଚିପାରିଲେ ବିଶ୍ବର ଦ୍ରୁତତମ ଦ୍ରୁତ ବୋଲର୍ ହେବେ। ମୋଟ ଉପରେ କିନ୍ତୁ ରସିଦ୍ ଖାନ୍‌ ଓ ସନ୍ଦୀପ ଲାମିଚାନଙ୍କ ପରେ ତୃତୀୟ ଦ୍ରୁତତମ ହେବେ। ୨୦୨୪ ଆଇପିଏଲ୍‌ ଆରମ୍ଭ ଦିନଠାରୁ ପାୱାର ପ୍ଲେ ଭିତରେ ଅଭିଷେକ ଶର୍ମାଙ୍କ ଷ୍ଟ୍ରାଇକ୍ ରେଟ୍‌ ହେଉଛି ୧୯୧.୭୧। ଏହି ସମୟରେ କେବଳ ସନ୍‌ରାଇଜର୍ସ ହାଇଦ୍ରାବାଦର ଟ୍ରାଭିସ୍ ହେଡ୍‌ଙ୍କ ଷ୍ଟ୍ରାଇକ୍ ରେଟ୍ (୧୯୫.୭୧) ଆଗରେ ରହିଛି। ଭାରତରେ ଭାରତ ବିପକ୍ଷରେ ଇଂଲଣ୍ଡ ମୋଟ ୧୨ ଟ୍ବେଣ୍ଟି-୨୦ ଖେଳିଛି। ୫ ଜିତି ୭ ହାରିଛି। କିନ୍ତୁ ଶେଷ ୩ଟିରେ କ୍ରମାଗତ ହାରିଛି।

ଭାରତୀୟ ଦଳ (ସମ୍ଭାବ୍ୟ): ଅଭିଷେକ ଶର୍ମା, ସଂଜୁ ସାମସନ୍‌ (ୱିକେଟ୍‌ରକ୍ଷକ), ସୂର୍ଯ୍ୟକୁମାର ୟାଦବ (ଅଧିନାୟକ), ତିଳକ ବର୍ମା, ହାର୍ଦିକ ପାଣ୍ଡ୍ୟା, ରିଙ୍କୁ ସିଂହ, ନୀତୀଶ କୁମାର ରେଡ୍ଡୀ, ଅକ୍ଷର ପଟେଲ (ଉପଅଧିନାୟକ), ରବି ବିଷ୍ଣୋଇ/ମହମ୍ମଦ ସାମି, ଅର୍ଶଦୀପ ସିଂହ, ବରୁଣ ଚକ୍ରବର୍ତ୍ତୀ।
ଇଂଲଣ୍ଡ ଦଳ (ସମ୍ଭାବ୍ୟ): ଫିଲ୍ ସଲ୍ଟ (ୱିକେଟରକ୍ଷକ), ବେନ୍‌ ‌ଡକେଟ୍‌, ଜୋସ୍ ବଟଲର୍ (ଅଧିନାୟକ), ହାରି ବ୍ରୁକ୍‌, ଲିଆମ୍ ଲିଭିଂଷ୍ଟୋନ୍‌, ଜ୍ୟାକବ୍‌ ବେଥେଲ/ଜାମି ସ୍ମିଥ୍‌, ଜାମି ଓଭରଟନ୍‌, ବ୍ରାଏଡନ୍ କାର୍ସ, ‌ଜୋଫ୍ରା ଆର୍ଚର, ଆଦିଲ୍ ରସିଦ୍‌, ମାର୍କ ଉଡ୍‌।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!