ପୁରୀ ,୧।୦୨ : ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କର ପଦ୍ମବେଶ ଅନୁଷ୍ଠିତ ହେବ।ମାଘ ମାସ ଅମାବାସ୍ୟାଠାରୁ ଶ୍ରୀପଞ୍ଚମୀ ମଧ୍ୟରେ ବୁଧବାର କିମ୍ବା ଶନିବାର ପଡ଼ିଲେ, ସେହିଦିନ ମହାପ୍ରଭୁଙ୍କ ଅତୀବ ରମଣୀୟ ପଦ୍ମବେଶ ହୋଇଥାଏ। ତେଣୁ, ଶନିବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଦ୍ମବେଶ ଅନୁଷ୍ଠିତ ହେବ। ବଡ଼ସିଂହାର ବେଶରେ ଠାକୁରମାନଙ୍କୁ ବେଶ କରାଯିବ। ଏହି ବେଶ ପରେ ଖିରି ଓ ଅମାଲୁ ଭୋଗ କରାଯିବ। ପଦ୍ମବେଶ ଥାଇ ଠାକୁର ପହୁଡ଼ ହେବେ। ରବିବାର ମଙ୍ଗଳ ଆଳତି ପର୍ଯ୍ୟନ୍ତ ମହାପ୍ରଭୁଙ୍କର ଏହି ବେଶ ରହିବ। ମଙ୍ଗଳ ଆଳତିରେ ଭକ୍ତମାନେ ଦୁର୍ଲଭ ପଦ୍ମବେଶରେ ଠାକୁରଙ୍କୁ ଦର୍ଶନ କରିପାରିବେ। ରାତିରେ ବଡ଼ସିଂହାର ବେଶରେ ମହାପ୍ରଭୁ ଦୁର୍ଲଭ ପଦ୍ମବେଶରେ ବିଭୂଷିତ ହେବେ। ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।ତେବେ କିମ୍ବଦନ୍ତୀ ଅନୁଯାୟୀ, ସନ୍ଥ ମନୋହର ଦାଶଙ୍କ ପାଇଁ ପ୍ରଭୁ ଶ୍ରୀପଞ୍ଚମୀ ପୂର୍ବରୁ ଏହି ବେଶରେ ଦର୍ଶନ ଦେଇଥିଲେ। ତେଣୁ ବଡ଼ଛତା ମଠ ପକ୍ଷରୁ ଏହି ବେଶ ପ୍ରସ୍ତୁତ କରାଯାଇଥାଏ। ଦ୍ୱାଦଶ ଶତାଦ୍ଦୀରେ ସନ୍ଥ ମନୋହର ଦାଶ ଶୀତ ଦିନରେ ପୁଷ୍କରଣୀରୁ ପଦ୍ମ ନିଜ ଗାମୁଛାରେ ସଂଗ୍ରହ କରି ମହାପ୍ରଭୁଙ୍କ ଲାଗି ପାଇଁ ଆଣିଥିଲେ। ତେବେ ଫୁଲ ଗୁଡ଼ିକ ସବୁ ମଳିନ ପଡ଼ିଯାଇଥିବାରୁ ସେଠାରେ ଥିବା ପଣ୍ଡା ମାନେ ତାଙ୍କୁ ସେଠାରୁ ଫେରାଇ ଦେଇଥିଲେ। ସେହିଦିନ ରାତିରେ ହିଁ ମହାପ୍ରଭୁ ଶ୍ରୀଜଗନ୍ନାଥ ଗଜପତି ମହାରାଜାଙ୍କୁ ସ୍ୱପ୍ନାଦେଶ କରିବା ପରେ ପଦ୍ମବେଶରେ ଦର୍ଶନ ଦେଇଥିଲେ। ସେହିଦିନ ଠାରୁ ବଡ଼ଛତା ମଠ ପକ୍ଷରୁ ମହାପ୍ରଭୁଙ୍କ ପାଇଁ ପଦ୍ମବେଶ ଯୋଗାଇ ଆସୁଥିବା ପରମ୍ପରା ଚାଲି ଆସୁଛି। ଶ୍ରୀମନ୍ଦିର ମୁଖ୍ୟ ପାରମ୍ପରିକ ବେଶ କାରିଗର ମାନେ ହବିଷ୍ୟାନ ଗ୍ରହଣ କରି ଅତି ନିଷ୍ଠାର ସହିତ ପଣ୍ଡୁ ପୂର୍ଣ୍ଣିମା ଠାରୁ ଏହି ବେଶ ନିର୍ମାଣ କରିଥାନ୍ତି। ସୋଲ, ଜରି, କଇଁଥଅଠା, ବାଉଁଶ, ବେତ ଓ ବିଭିନ୍ନ ପ୍ରକାର କନା ବ୍ୟବହାର କରି ଏହି ବେଶ ତିଆରି କରାଯାଇଥାଏ। ତେବେ ବେଶ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ଆଜି ସନ୍ଧ୍ୟାରେ ଏହା ଶ୍ରୀମନ୍ଦିରକୁ ଅଣାଯିବ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |