ଭୁବନେଶ୍ୱର,୫ା୨ :ଷୋଡ଼ଶ ଅର୍ଥ କମିଶନ ମଙ୍ଗଳବାର ୪ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। କେନ୍ଦ୍ରୀୟ ଷୋଡ଼ଶ ଅର୍ଥ କମିଶନ ଅଧ୍ୟକ୍ଷ ଅରବିନ୍ଦ ପନଗରିୟାଙ୍କ ସମେତ ମୋଟ ୧୫ ଜଣ ସଦସ୍ୟ ଗତକାଲିଠୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଅର୍ଥ କମିଶନଙ୍କ ଏହି ଟିମ୍ ୬ ତାରିଖରେ ରାଜ୍ୟ ଅର୍ଥ କମିଶନ, ମୁଖ୍ୟମନ୍ତ୍ରୀ, ବିଭିନ୍ନ ରାଜନୈତିକ ଦଳଗୁଡ଼ିକୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ଓଡ଼ିଶା ପକ୍ଷରୁ କେନ୍ଦ୍ର ଅର୍ଥ କମିଶନଙ୍କ କମିଟରେ ବିଧିବଦ୍ଧ ଭାବେ ଦାବିପତ୍ର ଉପସ୍ଥାପନ କରିବେ। ଉକ୍ତ ଦିନ ଅରୁଣ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗଠିତ ଷଷ୍ଠ ରାଜ୍ୟ ଅର୍ଥ କମିଶନ ମଧ୍ୟ କେନ୍ଦ୍ର ଅର୍ଥ କମିଶନଙ୍କ ସହ ବୈଠକ କରିବେ। ଏହାସହ ବିଭିନ୍ନ ରାଜନୈତିକ ଦଳ, ଅର୍ଥନୈତିକ ବିଶେଷଜ୍ଞ ଏବଂ ଅନ୍ୟ ଅଂଶୀଦାରମାନଙ୍କ ସହ କେନ୍ଦ୍ରୀୟ କମିଶନଙ୍କର ସାକ୍ଷାତ କାର୍ଯ୍ୟକ୍ରମ ରହିଛି। କମିଶନର ଅଧ୍ୟକ୍ଷ ଅରବିନ୍ଦ ପାନାଗାରିଆ ଓ ତାଙ୍କ ସହ ୧୫ ଜଣିଆ ଟିମ୍ ୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ରହିବେ। ଏହି ଅବସରରେ ରାଜ୍ୟ ସରକାର ଏବଂ ଷୋଡ଼ଶ ଅର୍ଥ କମିଶନଙ୍କ ମଧ୍ୟରେ ବିଭିନ୍ନ ବିଷୟରେ ଆଲୋଚନା ହେବ ବୋଲି ଜଣାପଡ଼ିଛି। ବୁଧବାର ସେମାନେ ପୁରୀ ଓ କୋଣାର୍କ ଗସ୍ତ କରିବେ। କେନ୍ଦ୍ର ସରକାରଙ୍କୁ ବିଭିନ୍ନ କ୍ଷେତ୍ର ଲାଗି ରାଜ୍ୟ ସରକାର ମାଗିଥିବା ଅର୍ଥ କେଉଁ କ୍ଷେତ୍ରରେ ବ୍ୟବହାର କରାଯିବ, ୬ ତାରିଖରେ ରାଜ୍ୟ ସରକାରଙ୍କ ସହ ହେବାକୁ ଥିବା ବୈଠକରେ ଷୋଡ଼ଶ ଅର୍ଥ କମିଶନ ଏହାର ଅନୁଧ୍ୟାନ କରିବେ। କମିଶନ ସବୁ ଦିଗରୁ ତର୍ଜମା କରିବେ ବୋଲି ଜଣାପଡ଼ିଛି। ଅନ୍ୟପଟେ କମିଶନରଙ୍କ ନିକଟରେ ରାଜ୍ୟ ସରକାର ୧୨ ଲକ୍ଷ ୫୬ ହଜାର ୧୪୮ କୋଟି ଟଙ୍କାର ଦାବି ରଖିପାରନ୍ତି। ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଲାଗି ରାଜ୍ୟ ସରକାର ସ୍ବତନ୍ତ୍ର ଅନୁଦାନ ପ୍ୟାକେଜ ମଧ୍ୟ ମାଗିପାରନ୍ତି।୪ ଦିନିଆ ଗସ୍ତରେ ଆସିଥିବା ଷୋଡ଼ଶ ଅର୍ଥ କମିଶନ ଭୁବନେଶ୍ୱରଠାରେ ପହଞ୍ଚିବା ପରେ ଅପରାହ୍ନରେ ସମସ୍ତ ସଦସ୍ୟ ରାଜ୍ୟ ଜନଜାତି ସଂଗ୍ରହାଳୟ ଏବଂ କଳିଙ୍ଗ ଷ୍ଟାଡିୟମ ପରିଦର୍ଶନ କରିଛନ୍ତି। ସଂଗ୍ରହାଳୟ ପରିଦର୍ଶନ ପରେ ବ୍ୟକ୍ତିଗତ ଆଭୂଷଣ କେନ୍ଦ୍ରରେ ଜନଜାତି ଅଳଙ୍କାର, ଗୋଡ଼ ଖଡୁ, ବାହୁଟି, ଅଣ୍ଟାସୂତା ମାଳିହାର ଆଦି ଦେଖିଛନ୍ତି। ଏହାସହ ପ୍ରେକ୍ଷାଳୟରେ ଆଦିମ ଜନଜାତିଙ୍କ ସଂସ୍କୃତି, ପରମ୍ପରା, ଜୀବନଯାପନ ଶୈଳୀକୁ ନେଇ ପ୍ରସ୍ତୁତ ବୃତ୍ତଚିତ୍ର ଦେଖିଛନ୍ତି। ପରେ କମିଶନ ଟିମ୍ କଳିଙ୍ଗ ଷ୍ଟାଡିୟମ ପରିଦର୍ଶନ କରିଛନ୍ତି। ଏହି ସମୟରେ ସ୍ପୋର୍ଟସ ସାଇନ୍ସ ସେଣ୍ଟର, ବାୟୋ ମେକାନିକ୍ସ ଲାବ୍, ଗେଟ୍ ଲାବ୍, ସ୍ପିନ୍ ଷ୍ଟୁଡିଓ, ପାରା ଆଥ୍ଲେଟ ପରଫରମାନ୍ସ ସେଣ୍ଟର, ଟେନିସ ସେଣ୍ଟର, ଆଥ୍ଲେଟିକ୍ସ ସେଣ୍ଟର, ହକି ଷ୍ଟାଡିୟମ, ଜିମ୍ନାଷ୍ଟିକ କେନ୍ଦ୍ର, ସନ୍ତରଣ କେନ୍ଦ୍ର ଆଦି ବୁଲି ଦେଖିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |