ଭୁବନେଶ୍ୱର,୭ା୨:ଆଜି ଅପରାହ୍ନରେ ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ କେତେକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିପାରେ। ଏହି କ୍ୟାବିନେଟ ବୈଠକରେ ରାଜ୍ୟ ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟ ଏବଂ ସଚିବମାନେ ଯୋଗ ଦେବେ ବୋଲି ଜଣାଯାଇଛି।ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ ବା ବଜେଟ ଅଧିବେଶନ ଆସନ୍ତା ୧୩ ତାରିଖରୁ ଆରମ୍ଭ ହେବ। ଏହା ଦୁଇଟି ପର୍ଯ୍ୟାୟରେ ଫେବୃଆରୀ ୧୩ରୁ ୨୧ ଓ ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୭ରୁ ଏପ୍ରିଲ ୫ ପର୍ଯ୍ୟନ୍ତ ଚାଲିବ। ୧୭ ତାରିଖରେ ୨୦୨୫-୨୬ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ବିଧାନସଭାରେ ଉପସ୍ଥାପିତ ହେବ। ଏହା ପୂର୍ବରୁ ୧୨ ତାରିଖ ପୂର୍ବାହ୍ନ ୧୧ଟାରେ ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିବ। ଏହି ଅଧିବେଶନର ୨୮ଟି ଲମ୍ବା କାର୍ଯ୍ୟଦିବସ ଥିବାରୁ ବିଶେଷକରି ବଜେଟ ସମୟରେ ଶାନ୍ତିଶୃଙ୍ଖଳାର
ସହ ଗୃହ ପରିଚାଳନା ପାଇଁ ବାଚସ୍ପତି ସବୁ ଦଳର ନେତାଙ୍କ ସହ ଆଲୋଚନା କରିବେ। ଫେବୃଆରୀ ୧୪ ଓ ୧୫ ଦୁଇଦିନ ଧରି ରାଜ୍ୟପାଳ ହରିବାବୁ କମ୍ଭମପାଟିଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ହେବ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |