ବାରବାଟୀ ମ୍ୟାଚ୍‌ ପାଇଁ କଟକଣା ଜାରି

କଟକ,୯।୨: ବାରବାଟୀ ମୈଦାନ ପ୍ରସ୍ତୁତ। କେବଳ ମୁକାବିଲାକୁ ଅପେକ୍ଷା। ୪୦ହଜାରରୁ ଅଧିକ ଦର୍ଶକଙ୍କ ମେଳରେ ଲଢେ଼ଇ କରିବେ ଭାରତ ଏବଂ ଇଂଲଣ୍ଡ ଦଳ। କ୍ରିକେଟପ୍ରେମୀଙ୍କ ଭିତରେ ଉତ୍ସାହ ଭରପୁର। ମ୍ୟାଚ୍‌ ପୂର୍ବରୁ ଶନିବାର ଭାରତୀୟ ଦଳ ଅଭ୍ୟାସ କରିବାକୁ ବାରବାଟୀକୁ ଆସିବ। ଏହାକୁ ଦେଖିବା ନିମନ୍ତେ ମଧ୍ୟ ଲୋକଙ୍କ ଭିତରେ ଉକ୍ରଣ୍ଠା ପ୍ରକାଶ ପାଇଲାଣି। ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) ପକ୍ଷରୁ ଦୁଇଟି ଗ୍ୟାଲେରୀ ଖୋଲାଯିବ। ଗ୍ୟାଲେରୀ ନଂ-୫ ଏବଂ ଗ୍ୟାଲେରୀ ନଂ-୬ରେ ବସି ଦର୍ଶକ ଅଭ୍ୟାସ ସେସନ ଦେଖିବେ। ସନ୍ଧ୍ୟା ୫ଟାରେ ଭାରତୀୟ ଦଳ କଟକରେ ପହଞ୍ଚିବ। ରାତି ୮ଟା ପର୍ଯ୍ୟନ୍ତ ଫ୍ଲଡ ଲାଇଟ୍‌ରେ ଅଭ୍ୟାସ କରିବ।ଅନ୍ୟପକ୍ଷରେ ଭାରତୀୟ ଦଳ ଅପରାହ୍ନ ୫ଟା ୩୦ରେ ବାରବାଟୀରେ ପହଞ୍ଚତ୍ ନେଟ୍‌ ପ୍ରାକ୍ଟିସ କରିଛି। ନେଟ୍ସ ସମୟରେ ଆକର୍ଷଣର କେନ୍ଦ୍ରରେ ରହିଥିଲେ ତାରକା ବ୍ୟାଟର ବିରାଟ କୋହଲି। ଆଣ୍ଠୁରେ ଆଘାତଜନିତ ସମସ୍ୟା ଯୋଗୁ ବିରାଟ ନାଗପୁର ମ୍ୟାଚ୍‌ରେ ଖେଳିପାରି ନ ଥିଲେ।କ୍ରିକେଟ ମ୍ୟାଚ ପାଇଁ ଯାନବାହନ ଚଳାଚଳରେ ଯେପରି କୌଣସି ସମସ୍ୟା ଦେଖା ନଦିଏ ସେଥିପାଇଁ କମିଶନରେଟ ଟ୍ରାଫିକ ପୁଲିସ ପକ୍ଷରୁ କଟକଣା ଜାରି କରାଯାଇଛି। ଅଭ୍ୟାସ ମ୍ୟାଚ ପାଇଁ ଦିନ ୧ଟାରୁ ରାତି ୯ଟା ଏବଂ ମ୍ୟାଚ ଦିନ ସକାଳ ୮ଟାରୁ ଭିଡ଼ ଭାଙ୍ଗିବା ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ।ମାତାମଠ ପଟୁ ରିଂରୋଡରେ ଆସୁଥିବା ଗାଡିଗୁଡିକ ବାଲିଯାତ୍ରା ତଳ ପଡିଆରେ ପାର୍କିଂ କରିବେ। କେବଳ ପାସ ଥିବା ଗାଡିଗୁଡିକ ବାଉଁଶ ଡିପୋ ଗଡ଼ାରେ ବାମକୁ ଯାଇ ଉପର ବାଲିଯାତ୍ରା ପଡିଆରେ ଗାଡ଼ି ରଖିପାରିବେ। ହାଓଡାମୋଟର ଓ ମଣିସାହୁ ଛକ ପଟୁ ଆସୁଥିବା ଗାଡି ଗୁଡିକ ଲ’ ହଷ୍ଟେଲ ଛକ ଦେଇ ରିଂରୋଡକୁ ଯାଇ ତଳ ବାଲିଯାତ୍ରା ପଡିଆରେ ପାର୍କିଂ କରିପାରିବେ। ବିଜୁ ପଟ୍ଟନାୟକ ଛକ ଓ ମଧୁସୂଦନ ଛକ ପଟୁ ଆସୁଥିବା ଗାଡିଗୁଡିକ ଆନନ୍ଦଭବନ ଛକରୁ ସିଧା କିଲ୍ଲା ପଡିଆ ଆଡକୁ ଯାଇପାରିବ ନାହିଁ। ଏହି ଗାଡିଗୁଡିକ ଖ୍ରୀଷ୍ଟିଆନ ପଡିଆରେ ପାର୍କିଂ କରିବେ। ହରିଣ ପାର୍କ ବା ମଧୁସୂଦନ ନଗର ଆଡୁ ରିଂରୋଡରେ ଆସୁଥିବା ଗାଡିଗୁଡିକ କାର୍ତ୍ତିକେଶ୍ୱର ଗଡାରେ ବାମକୁ ଗଡି ପାର୍କିଂ ଷ୍ଟାଣ୍ଡରେ ରଖିବେ। ସମାଜ ଅଫିସ ଛକ ଆଡୁ ଆସୁଥିବା ଗାଡିଗୁଡିକ ହନୁମାନ ମନ୍ଦିର ଆଡ଼କୁ ନଯାଇ ଚଣ୍ଡୀ ଛକ ହୋଇ ଖ୍ରୀଷ୍ଟିଆନ ପଡିଆକୁ ଯିବେ।କେବଳ ଓସିଏ ପାସଧାରୀ ଗାଡି ଷ୍ଟାଡିୟମର ୧ନଂ ଗେଟ ଦେଇ ଓସିଏ ପାର୍କିଂସ୍ଥାନକୁ ଯିବେ। ମଧୁସୂଦନ ଷ୍ଟାଚ୍ୟୁ ଛକରୁ କୌଣସି ଗାଡି ଷ୍ଟାଡିୟମ ଆଡକୁ ଯାଇପାରିବ ନାହିଁ। ଆଖି ହସ୍ପିଟାଲ ଛକରୁ କିଲ ଖାନା ରାସ୍ତାରେ ଗାଡି ଚଳାଚଳ ବନ୍ଦ ରହିବ। ସେହି ରାସ୍ତାରେ ଆସୁଥିବା ଗାଡିଗୁଡିକ କଳାବିକାଶ କେନ୍ଦ୍ର ଦେଇ ପାର୍କିଂସ୍ଥଳକୁ ଯିବ।ମ୍ୟାଚ ଦିନ ସକାଳ ୮ଟାରୁ ରାତି ୨ଟା ପର୍ଯ୍ୟନ୍ତ ମହାନଦୀ ଓ କାଠଯୋଡି ରିଂବନ୍ଧରେ କୌଣସି ଭାରୀଯାନ ଚଳାଚଳ କରିପାରିବ ନାହିଁ। ସେହିପରି ଶନିବାର ଅଭ୍ୟାସ ମ୍ୟାଚ ନିମନ୍ତେ ମହାନଦୀ ରିଂରୋଡର ଚହଟା ଛକ ଓ ଶିଖରପୁର ଛକରୁ ବାଉଁଶ ଗଡା ପର୍ଯ୍ୟନ୍ତ ଦିନ ୧ଟାରୁ ରାତି ୯ଟା ପର୍ଯ୍ୟନ୍ତ କୌଣସି ଭାରୀଯାନ ଚଳାଚଳ କରିବ ନାହିଁ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!