ଭୁବନେଶ୍ବର, ,୨୨ା୨:ଶିମିଳିପାଳ ଜଙ୍ଗଲରେ ବଡ଼ ଏନ୍କ୍ଲୋଜରରେ ବାଘୁଣୀ ‘ଜିନ୍ନତ୍’କୁ ରଖାଯିବ। ଏଥିପାଇଁ ବନବିଭାଗ ପକ୍ଷରୁ ପ୍ରସ୍ତୁତି ଚାଲିଛି। ଶିମିଳିପାଳରେ ୧ ହେକ୍ଟରର ସଫ୍ଟ ଏନକ୍ଲୋଜରରେ ଏବେ ବାଘୁଣୀ ରହିଛି। ହେଲେ ଏନ୍କ୍ଲୋଜର ପରିସୀମାକୁ ବୃଦ୍ଧି କରିବାକୁ ସ୍ଥିର କରାଯାଇଛି। ଏଥିପାଇଁ ୮ରୁ ୯ ହେକ୍ଟରର ବଡ଼ ଏନକ୍ଲୋଜର ତିଆରି କରାଯାଉଛି। ଖୁବ୍ ଶୀଘ୍ର ବାଘୁଣୀକୁ ଏହି ବଡ଼ ଏନ୍କ୍ଲୋଜରକୁ ସ୍ଥାନାନ୍ତର କରାଯିବ ବୋଲି ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ ପ୍ରେମ୍ କୁମାର ଝା। ସେ କହିଛନ୍ତି ଯେ, ଜିନ୍ନତ୍ ବଡ଼ ଏନ୍କ୍ଲୋଜରକୁ ସ୍ଥାନାନ୍ତର ପରେ ତା’ର ଗତିବିଧି ଉପରେ ନଜର ରଖାଯିବ। ବାଘୁଣୀର ବ୍ୟବହାରରେ ପରିବର୍ତ୍ତନ ଆସିଲେ ଜଙ୍ଗଲକୁ ଛଡ଼ାଯିବ। ସେଥିପାଇଁ ଜିନ୍ନତର ଗତିବିଧିକୁ ନିରୀକ୍ଷଣ କରୁଛି ବନ ବିଭାଗ।ବାଘୁଣୀ ଜିନ୍ନତକୁ ଉତ୍ତର ଶିମିଳିପାଳରେ ଛଡ଼ାଯାଇଥିଲା, ହେଲେ ସେଠାରୁ ସେ ଝାଡ଼ଖଣ୍ଡ ଜଙ୍ଗଲକୁ ପଳାଇ ଯାଇଥିଲା। ଝାଡ଼ଖଣ୍ଡରୁ ଆସି ପଶ୍ଚିମବଙ୍ଗର ଘଞ୍ଚ ଜଙ୍ଗଲରେ ଘୂରି ବୁଲୁଥିଲା। ଶିମିଳିପାଳ ଅଭୟାରଣ୍ୟକୁ ଫେରିବାକୁ ନାଁ ଧରୁନଥିଲା। ଝାଡ଼ଖଣ୍ଡ ଛାଡ଼ିବା ପରେ ସେ ପଶ୍ଚିମବଙ୍ଗର ଝାରଗ୍ରାମ, ପୁରୁଲିଆ ଦେଇ ବାଙ୍କୁରା ଜିଲାରେ ଘୂରି ବୁଲୁଥିଲା। ତା’ର ଗତିବିଧି ଉପରେ ତିନି ରାଜ୍ୟ ଝାଡ଼ଖଣ୍ଡ, ଓଡ଼ିଶା ଓ ପଶ୍ଚିମବଙ୍ଗ ବନ ବିଭାଗ ନଜର ରଖିଥିଲା। ‘ଜିନ୍ନତ ’ ଶିମିଳିପାଳ ଫେରୁନଥିବାରୁ ଟ୍ରାଙ୍କୁଲାଇଜ୍ କରିବା ପାଇଁ ବନ ବିଭାଗ ନିଷ୍ପତ୍ତି ନେଇଥିଲା। ଦୀର୍ଘ ୨୦ ଦିନର ଛକାପଞ୍ଝା ପରେ ପଶ୍ଚିମବଙ୍ଗ ବାଙ୍କୁରାରେ ବାଘୁଣୀକୁ ଟ୍ରାଙ୍କୁଲାଇଜ୍ କରିବାରେ ସଫଳ ହୋଇଥିଲା ବନ ବିଭାଗ। ଟ୍ରାଙ୍କୁଲାଇଜ୍ ପରେ ପଶ୍ଚିମବଙ୍ଗ ଆଲିପୁର ଚିଡ଼ିଆଖାନା ନିଆଯାଇଥିଲା। ବାଘୁଣୀକୁ ପଶ୍ଚିମବଙ୍ଗ ସରକାର ନଛାଡ଼ିବା କାରଣରୁ ବନ ବିଭାଗ ପକ୍ଷରୁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣକୁ ପତ୍ର ଲେଖି ଜଣାଇଥିଲେ। ଏନ୍ଟିସିଏ ପକ୍ଷରୁ ପଶ୍ଚିମବଙ୍ଗ ସରକାରଙ୍କୁ ତୁରନ୍ତ ବାଘୁଣୀକୁ ଛାଡ଼ିବାକୁ ନିର୍ଦେଶ ଦିଆଯାଇଥିଲା। ଶେଷେର ପଶ୍ଚିମବଙ୍ଗ ସରକାର ବାଘୁଣୀକୁ ଛାଡ଼ିଥିଲେ। ଏହି ଘଟଣାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଜଙ୍ଗଲ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆଙ୍କ ମଧ୍ୟରେ ବାକ୍ ବିତଣ୍ଡା ହୋଇଥିଲା।ସୂଚନାଥାଉକି ଶିମିଳିପାଳ ଅଭୟାରଣ୍ୟରୁ ମହାରାଷ୍ଟ୍ର ତଡ଼ୋବା ଅନ୍ଧାରୀ ବ୍ୟାଘ୍ର ଅଭୟାରଣ୍ୟରୁ ନଭେମ୍ବର ୧୫ରେ ବାଘୁଣୀ ‘ଜିନ୍ନତ୍’କୁ ଅଣାଯାଇଥିଲା। ମହାରାଷ୍ଟ୍ରରେ ଏହି ବାଘୁଣୀର ନାମ ‘ଜିନ୍ନତ୍’ ରଖାଯାଇଥିବା ବେଳେ ଶିମିଳିପାଳରେ ବି ସେହି ନାମରେ ପରିଚିତ ହୋଇଥିଲା। ଶିମିଳିପାଳ କୋର୍ ଏରିଆରେ ଥିବା ଏକ ସ୍ୱତନ୍ତ୍ର ଏନକ୍ଲୋଜରରେ ଛଡ଼ା ଯାଇଥିଲା। ନଭେମ୍ବର ୧୩ ତାରିଖରେ ମହାରାଷ୍ଟ୍ରର ତଡ଼ୋବା ଅନ୍ଧାରୀ ବ୍ୟାଘ୍ର ଅଭୟାରଣ୍ୟରେ ବାଘୁଣୀକୁ ଟ୍ରାଙ୍କୁଲାଇଜ କରାଯିବା ପରେ ଏକ ସ୍ୱତନ୍ତ୍ର ଗାଡ଼ିରେ ଶିମିଳିପାଳକୁ ଅଣାଯାଇଥିଲା। ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପରେ ଥିବା ବାଘବଂଶର ଆନୁବଂଶୀୟ ବିବିଧତା ଓ ଗୁଣବତ୍ତାରେ ଉନ୍ନତି ଓ ଲିଙ୍ଗଗତ ଅସଙ୍ଗତିକୁ ଦୂର କରିବା ପାଇଁ ମହାରାଷ୍ଟ୍ରର ତଡ଼ୋବା ଅନ୍ଧାରୀ ବ୍ୟାଘ୍ର ପ୍ରକଳ୍ପରୁ ଦୁଇଟି ବାଘୁଣୀ ଶିମିଳିପାଳକୁ ଆଣିବା ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନ୍ଟିସିଏ) କୁ ପ୍ରସ୍ତାବ ଦିଆଯାଇଥିଲା । ଏନ୍ଟିସିଏରୁ ଅନୁମତି ମିଳିଲା ପରେ ତଡ଼ୋବା ଅନ୍ଧାରୀ ବ୍ୟାଘ୍ର ପ୍ରକଳ୍ପରୁ ବାଘ ଆଣିବା ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ଏହି ଦୁଇ ବାଘୁଣୀ ଆସିବା ପରେ ଶିମିଳିପାଳକୁ ବାଘୁଣୀ ଆସିବା ପ୍ରକ୍ରିୟା ଶେଷ ହୋଇଥିଲା। ଫଳରେ ଏଠାରେ ଥିବା କଳାବାଘଙ୍କୁ ନୂଆ ସାଥୀ ମିଳିବେ, ଭବିଷ୍ୟତରେ ଶିମିଳିପାଳରେ ଆଉ ବାଘବଂଶରେ ଜେନେଟିକ ସମସ୍ୟା ଦେଖାଯିବନି ବୋଲି ଆଶା ରଖିଥିଲା ବନ ବିଭାଗ। ହେଲେ ଦୁଇ ବାଘୁଣୀ ‘ଯମୁନା’ ଏବଂ ‘ଜିନ୍ନତ’ ଶିମିଳିପାଳ ମନ ଲାଗୁନଥିଲା ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |