ଭୁବନେଶ୍ୱର,୨୬ା୨ : ଆଜି ମହାଶିବରାତ୍ରି ତଥା ଜାଗର ଯାତ୍ରା। ଏଥିପାଇଁ ଉତ୍ସବ ମୁଖରିତ ହୋଇଉଠିଛି ଏକାମ୍ର କ୍ଷେତ୍ର। ରଙ୍ଗିନ ଆଲୋକମାଳା ସହ ଫୁଲରେ ଝଲସୁଛି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର। ରାତି ୧୦ଟାରେ ଉଠିବ ମହାଦୀପ। ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି।ଜାଗର ପାଇଁ ଚଳଚଞ୍ଚଳ ରାଜ୍ୟର ପ୍ରମୁଖ ଶୈବପୀଠ। ଭୋରରୁ ହିଁ ସମସ୍ତ ଶିବ ମନ୍ଦିର ଓ ପୀଠରେ ମହାଦେବଙ୍କ ଦର୍ଶନ ପାଇଁ ଭିଡ ଲାଗିରହିଛି। ଓଁ ନମଃ ଶିବାୟ ଧ୍ୱନିରେ ପ୍ରକମ୍ପିତ ହେଉଛି ପରିବେଶ। ପ୍ରମୁଖ ଶିବମନ୍ଦିର ଓ ଶୈବପୀଠରେ ମହାଶିବରାତ୍ରୀ ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ଶ୍ରୀଲିଙ୍ଗରାଜ ମନ୍ଦିର, ଶ୍ରୀଲୋକନାଥ ମନ୍ଦିର, ବାବା ଧବଳେଶ୍ଵର, ବାବା ଆଖଣ୍ଡଳମଣି, ଗୁପ୍ତେଶ୍ୱର ପୀଠରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଛି। ଶ୍ରଦ୍ଧାଳୁ କିପରି ଶାନ୍ତିଶୃଙ୍ଖଳାର ସହ ବାବାଙ୍କୁ ଦର୍ଶନ କରିବେ ଓ ଦୀପ ଜାଳିବେ, ସେ ନେଇ ବିଭିନ୍ନ ଶୈବପୀଠରେ ବ୍ୟାପକ ପ୍ରସ୍ତୁତି କରାଯାଇଛି ।ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ଲାଗିଛି ପ୍ରବଳ ଭିଡ। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ବ୍ୟାରିକେଡ ଭିତରେ ଲାଇନ୍ କରି ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଯାଉଛନ୍ତି। ଭୋର ସମୟରୁ ମହାପ୍ରଭୁଙ୍କର ମଙ୍ଗଳ ଆଳତି ଓ ଅବକାଶ ସରି ଚାଲିଛି ସାହାଣମେଲା ଦର୍ଶନ। ଆରମ୍ଭରୁ ଦର୍ଶନ ପାଇଁ ମନ୍ଦିର ଭିତରେ ଠେଲାପେଲା ପରିସ୍ଥିତି ଉପୁଜିଛି । ମୁଖ୍ୟ ମନ୍ଦିର ଭିତରକୁ ଭକ୍ତମାନେ ଧସେଇ ପଶିବାକୁ ଚେଷ୍ଟା କରିଛନ୍ତି । ସେବାୟତ ଓ ପୁଲିସ ମଧ୍ୟରେ ଧସ୍ତା ଧସ୍ତାଧସ୍ତି ହୋଇଥିବା ସୂଚନା ମିଳିଛି। ଭକ୍ତମାନେ ଦର୍ଶନ କରିବାକୁ ଧାଡ଼ି ବାନ୍ଧି ଅପେକ୍ଷା କରିଛନ୍ତି। ଶୃଙ୍ଖଳିତ ନୀତିକାନ୍ତିକୁ ମନ୍ଦିର ପ୍ରଶାସନ ପକ୍ଷରୁ ଗୁରୁତ୍ଵ ଦିଆଯାଇଥିବା ବେଳେ ଭକ୍ତମାନେ ଯେମିତି ସୁରୁଖୁରୁରେ ଦର୍ଶନ କରିପାରିବେ, ତାର ସୁବ୍ୟବସ୍ଥା କରାଯାଇଛି। ଭକ୍ତଙ୍କ ସୁରକ୍ଷା ପାଇଁ ମଧ୍ୟ ବ୍ୟାପକ ବ୍ୟବସ୍ଥା ହୋଇଛି।ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଶୃଙ୍ଖଳିତ ଦର୍ଶନ ଲାଗି ଆଇନ୍ଶୃଙ୍ଖଳା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଜାଗର ଯାତ୍ରା ଲାଗି ରାଜ୍ୟର ବିଭିନ୍ନ ପ୍ରାନ୍ତ ତଥା ରାଜ୍ୟ ବାହାରୁ ଆସିବାକୁ ଥିବା ବିପୁଳ ସଂଖ୍ୟାରେ ଶ୍ରଦ୍ଧାଳୁ କିପରି ଶାନ୍ତିଶୃଙ୍ଖଳାରେ ମହାପ୍ରଭୁଙ୍କୁ ଦର୍ଶନ କରିବେ, ସେଥିଲାଗି କମିସନରେଟ୍ ପୁଲିସ ପକ୍ଷରୁ ପ୍ରସ୍ତୁତି କରାଯାଇଛି। ସୁରକ୍ଷା ଦାୟିତ୍ୱରେ ୩୨ ପ୍ଲାଟୁନ୍ ପୁଲିସ ଫୋର୍ସ ନିୟୋଜିତ କରାଯାଇଛି। ଏଥିସହ ୫ ଜଣ ଅତିରିକ୍ତ ଡିସିପି, ୧୫ ଜଣ ଏସିପି, ୨୮ ଜଣ ଇନ୍ସପେକ୍ଟର, ୧୨୨ ଜଣ ଏସ୍ଆଇ/ଏଏସ୍ଆଇ, ୪୧ ଜଣ ଏପିଆର୍ କନଷ୍ଟେବଳ, ୯୦ ଜଣ ଓଆର୍ ହାବିଲ୍ଦାର ଓ କନଷ୍ଟେବଳ, ୫୮ ଜଣ ମହିଳା କନଷ୍ଟେବଳଙ୍କ ସମେତ ୮୪ ଜଣ ଗୃହରକ୍ଷୀଙ୍କୁ ମୁତୟନ ହୋଇଛନ୍ତି। ପ୍ରାତଃ ୩ଟାରୁ ଦ୍ୱାର ଫିଟାଯାଇ ମଙ୍ଗଳ ଆଳତି, ଅବକାଶ ନୀତି ପରେ ସାହଣମେଲା ଦର୍ଶନ ଆରମ୍ଭ ହେବ। ସିଂହଦ୍ୱାର ସମ୍ମୁଖରୁ ବ୍ୟାରିକେଡ୍ ଦେଇ ଶ୍ରଦ୍ଧାଳୁମାନେ ମନ୍ଦିରରେ ପ୍ରବେଶ କରି ଠାକୁରଙ୍କ ଦର୍ଶନ କରିବେ। ଶୃଙ୍ଖଳିତ ଦର୍ଶନ ପଇଁ ସମସ୍ତ ବ୍ୟବସ୍ଥା ହୋଇଛି। ମନ୍ଦିରକୁ ସଂଯୋଗ କରୁଥିବା ସମସ୍ତ ରା଼ସ୍ତାରେ ଭାରିଯାନ ପ୍ରବେଶ ଉପରେ ନିଷେଧ କରାଯାଇଛି। ଗ୍ୟାରେଜ ଛକ ସାମନ୍ତରାପୁର ଏବଂ ରବିଟକିଜ କେଦାରଗୌରୀ ଛକରୁ କୌଣସି ଭାରିଯାନ ଆସିପାରିବେ ନାହିଁ। ସେହିପରି ବିନ୍ଦୁସାଗର ନ୍ୟୁ ମାର୍କେଟ ଛକ ଇଲେକ୍ଟ୍ରିକ ଛକରେ ପାର୍କିଂ ବ୍ୟବସ୍ଥା ରହିଛି। ସେହିଭଳି ଭିଭିଆଇପିଙ୍କ ଗାଡ଼ି ରହଣୀ ନେଇ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |