ଭୁବନେଶ୍ୱର,୨୯।୩: ଆଗାମୀ ତିନି ଦିନ ମଧ୍ୟରେ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ତାପମାତ୍ରା ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଶନିବାର ପୂର୍ବାନୂମାନ କରାଯାଇଛି।ଗତ ଦୁଇଦିନ ହେଲା ରାଜ୍ୟରେ ଜାରି ରହିଛି ଅସହ୍ୟ ତାତି। ଦିନ ସହ ରାତି ବି ପଡୁନି ବାଦ୍। ରାତିରେ ଘରେ ପୁରେଇ ଦେଉନି ଗୁଳୁଗୁଳି। ତେବେ ଆଜି ଦିନ ସାଢେ ୨ ଟା ସୁଦ୍ଧା ୪୨ ଡିଗ୍ରୀ ସେଲସିୟସ ସହ ସବୁଠୁ ଉତ୍ତପ୍ତ ସହର ପାଲଟିଛି ସମ୍ବଲପୁର। ଆସନ୍ତା ୩ଦିନ ପାଇଁ ହିଟ୍ ଓ୍ବେଭ୍ ନେଇ ପୂର୍ବାନୁମାନ କରାଯାଇଛି। ଉଭୟ ଦିନ ଓ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି।ଆସନ୍ତାକାଲି ସମ୍ବଲପୁର, ଝାରସୁଗୁଡା, ବୌଦ୍ଧ, ସୋନପୁର, ବଲାଙ୍ଗୀର, କଳାହାଣ୍ଡି, ଅନୁଗୁଳ ଓ ଢେଙ୍କାନାଳ ପାଇଁ ୟେଲୋ ଓ୍ବାର୍ଣ୍ଣି ଜାରି କରାଯାଇଛି। ଏହି ସବୁ ଜିଲାରେ ସୋମବାର ମଧ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ତେବେ ଏପ୍ରିଲ ୨ ତାରିଖ ପରେ ଆସିପାରେ ପାଗରେ ପରିବର୍ତ୍ତନ। କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାରେ ଗୋଟିଏରୁ ୨ ଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଏପ୍ରିଲ ୩ରୁ ୫ ତାରିଖ ଭିତରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଯାହା ଘନୀଭୂତ ହୋଇ ଅବପାତର ରୂପ ନେଇପାରେ। ଯାହାର ପ୍ରଭାବରେ କେତେକ ସ୍ଥାନରେ ବର୍ଷା ହୋଇପାରେ।ଶନିବାର ସାଢ଼େ ୨ଟା ସୁଦ୍ଧା ସମ୍ବଲପୁର ୪୨ ଡିଗ୍ରୀ, ଝାରସୁଗୁଡ଼ା ଓ ହୀରାକୁଦରେ ୪୦.୪ ଡିଗ୍ରୀ, ରାଉରକେଲା ୩୮.୮ ଡିଗ୍ରୀ, ଭୁବନେଶ୍ୱର ୩୮ ଡିଗ୍ରୀ, କେନ୍ଦୁଝର ୩୭.୮ ଡିଗ୍ରୀ, ଚାନ୍ଦବାଲିରେ ୩୭.୬ ଡିଗ୍ରୀ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |