ଆଜି ମହାପ୍ରଭୁଙ୍କ ଖସାପଡ଼ା ନୀତି

ପୁରୀ,୩୧ା୩: ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତି ଅନୁଷ୍ଠିତ ହେବ। ଚୈତ୍ର ମାସ ଶୁକ୍ଳ ଦ୍ୱିତୀୟା ତିଥି ସୋମବାର ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଶ୍ରୀଅଙ୍ଗଲାଗି ସେବକ ଦଇତାପତିମାନେ ଏହି ନୀତି ସମ୍ପନ କରିବେ। ମହାପ୍ରଭୁଙ୍କ ବିଭିନ୍ନ ଗୁପ୍ତନୀତି ମଧ୍ୟରେ ଏହି ନୀତି ଅନ୍ୟତମ। ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ସମ୍ପନ୍ନ ହୋଇ ଦ୍ୱିତୀୟ ଭୋଗମଣ୍ଡପ ସରିବା ପରେ ମଇଲମ ନୀତି ଅନୁଷ୍ଠିତ ହେବ। ପରେ ଜୟବିଜୟ ଦ୍ୱାର ବନ୍ଦ କରାଯିବ। ଏହାପରେ ଶ୍ରୀଦେବୀ, ଭୂଦେବୀ ଖଟଶେଜ ଘର ବିଜେ କରିବେ। ମହାପ୍ରଭୁଙ୍କ ଖସାପଡ଼ା ନୀତି ନିମନ୍ତେ ଦଇତାପତିମାନେ ଗର୍ଭଗୃହକୁ ପ୍ରବେଶ କରିବେ। ମହାପ୍ରଭୁଙ୍କ ଏହା ଗୁପ୍ତ ନୀତି ହୋଇଥିବାରୁ ଏହି ସମୟରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ। ଖସାପଡ଼ା ନୀତି ସମ୍ପନ୍ନ ହେବା ପରେ ଦଇତାପତି ଶ୍ରୀମନ୍ଦିରରୁ ବାହାରିବା ପରେ ମହାପ୍ରଭୁଙ୍କ ମହାସ୍ନାନ ନୀତି ବଢ଼ିବ। ପରେ ମହାପ୍ରଭୁଙ୍କ ମଇଲମ ବେଶ ସନ୍ଧ୍ୟା ଆଳତି ବଢ଼ି ଅନ୍ୟାନ୍ୟ ନୀତି ସମ୍ପନ୍ନ ହେବ। ଏହି ନୀତି ନିମନ୍ତେ ସୋମବାର ସନ୍ଧ୍ୟା ୫ଟାରୁ ରାତିି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!