ଆଜି ଉତ୍କଳ ଦିବସ , ରାଜ୍ୟରେ ପାଳିତ ହେଉଛି ଓଡିଶା ଦିବସ

ଭୁବନେଶ୍ୱର, ୧ା୪:ଆଜି ଉତ୍କଳ ଦିବସ (ଓଡ଼ିଶା ଦିବସ)। ରାଜ୍ୟରେ ଆଜି ପାଳିତ ହେଉଛି ଓଡିଶା ଦିବସ । ୧୯୩୬ ମସିହା ଏପ୍ରିଲ ମାସ ଆଜିର ଦିନରେ ଓଡ଼ିଶା ଭାଷାଭିତ୍ତିକ ରାଜ୍ୟ ଭାବେ ଗଠନ କରାଯାଇଥିଲା । ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଆଜି ଗର୍ବ ଏବଂ ଗୌରବର ଦିନ । ପୃଥିବୀର ୨୦ଟି ସମୃଦ୍ଧ ସଭ୍ୟ ଓ ସୃଜନଶୀଳ ଭାଷା ମଧ୍ୟରୁ ଓଡ଼ିଆ ଭାଷା ଗୋଟିଏ । ଓଡ଼ିଆ ଭାଷା ତା’ର କଳା, ସଂସ୍କୃତି, ଐତିହ୍ୟ ଏବଂ ଭାସ୍କର୍ଯ୍ୟରେ ପରିପୂର୍ଣ୍ଣ ଇତିହାସକୁ ନେଇ ବିଶ୍ୱରେ ଖ୍ୟାତିଲାଭ କରିଛି ।ପରାଧୀନ ଶୃଙ୍ଖଳରୁ ମୁକ୍ତ ହୋଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ କରିବାରେ ଉକ୍ରଳ ଗୌରବ ମଧୁସୂଦନ ଦାସ, ଉକ୍ରଳମଣି ଗୋପବନ୍ଧୁ ଦାସଙ୍କଠାରୁ ଆରମ୍ଭ କରି ସ୍ୱଭାବକବି ଗଙ୍ଗାଧର ମେହେର, କର୍ମବୀର ଗୌରୀଶଙ୍କର ରାୟଙ୍କ ପର୍ଯ୍ୟନ୍ତ ମହାନ୍‍ ବ୍ୟକ୍ତିତ୍ୱଙ୍କର ଓଡ଼ିଆ ଭାଷା, ସାହିତ୍ୟ ସହିତ ଏକ ସ୍ୱତନ୍ତ୍ର ରାଜ୍ୟ ଗଠନରେ ଗୁରୁ୍‍ତ୍ୱପୂର୍ଣ୍ଣ ଭୂମିକା ଥିଲା । ୧୯୫୪ ମସିହାରେ ଭାଷା ଆଇନ୍‍ ସଂଶୋଧିତ ହୋଇ ଓଡ଼ିଆ ଭାଷା ସରକାରୀ ଭାଷାର ମାନ୍ୟତା ପାଇଥିଲା ।ଅନେକ ବରପୁତ୍ରଙ୍କ ଅବଦାନ ଯୋଗୁ ଏହା ସମ୍ଭବ ହୋଇପାରିଥିଲା। ଏହାକୁ ମନେ ପକାଇବା ଲାଗି ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। କଟକ ସାଲେପୁର ସତ୍ୟଭାମାପୁରରେ ଏହି ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ସମାରୋହର ଆୟୋଜନ କରାଯାଉଛି।ଓଡିଶା ଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଶୁଭେଚ୍ଛା ଜଣାଇଛନ୍ତି । ଏହି ଦିବସରେ ସରକାର ଏବଂ ରାଜ୍ୟବାସୀ ଏକାଠି ହୋଇ ନ୍ୟାୟୋଚିତ ଭବିଷ୍ୟତ ଗଠନ ଦିଗରେ କାର୍ଯ୍ୟ କରିବେ ବୋଲି ଆହ୍ୱାନ ଦେଇଛନ୍ତି । ଉପରାଷ୍ଟ୍ରପତି ଜଗଦୀପ ଧନଖଡ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜ୍ଞାପନ କରିବା ସହ ରାଜ୍ୟ ଅଧିକ ସମୃଦ୍ଧି ଏବଂ ଉକ୍ରର୍ଷତା ଆଡକୁ ଯାତ୍ରା ଜାରି ରଖିବା ନେଇ କାମନା କରିଛନ୍ତି । ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି ରାଜ୍ୟବାସୀଙ୍କୁ ଆନ୍ତରିକ ଶୁଭେଚ୍ଛା ଏବଂ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି । ଓଡ଼ିଶାକୁ ଏକ ସମୃଦ୍ଧ ଓ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ଆଜିର ଦିବସରେ ସମସ୍ତେ ସଂକଳ୍ପବଦ୍ଧ ହେବାକୁ ଆହ୍ୱାନ ଦେଇଛନ୍ତି ।ରାଜ୍ୟ ସରକାରଙ୍କ ତରଫରୁ ରାଜ୍ୟବ୍ୟାପୀ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, “ଓଡ଼ିଶା ଦିବସ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ନିଜର ଅସୀମ ତ୍ୟାଗ ତଥା ଆମ ଭାଷା, ସାହିତ୍ୟ ଓ ସଂସ୍କୃତିର ଗୌରବ ବୃଦ୍ଧି କରିଥିବା ମହାପୁରୁଷମାନଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି। ଆଜିର ଦିନରେ ଆସନ୍ତୁ ଏକ ସୁସ୍ଥ ଓ ବିକଶିତ ଓଡ଼ିଶା ଗଠନ କରିବାର ସଂକଳ୍ପକୁ ଆହୁରି ଦୃଢ଼ କରିବା।”

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!