ଲୋକସଭାରେ ଆଗତ ହେବ ୱାକଫ୍‌ ସଂଶୋଧିତ ବିଲ୍,୮ ଘଣ୍ଟାର ହେବ ବିତର୍କ

ନୂଆଦିଲ୍ଲୀ ,୦୨।୦୪; ୱାକଫ ସଂଶୋଧନ ବିଲ୍‌ ବୁଧବାର ଲୋକସଭାରେ ଆଗତ ହେବ । ଆଜି ଲୋକସଭାରେ ଉପସ୍ଥାପନ ହେବ ବହୁ ବିତର୍କିତ ୱାକଫ୍ ସଂଶୋଧନ ବିଧେୟକ । ମଧ୍ୟାହ୍ନ ୧୨ଟାରେ ବିଲ ଉପସ୍ଥାପନ କରିବେ କେନ୍ଦ୍ର ସରକାର ।   ପ୍ରଶ୍ନକାଳ ପରେ ମଧ୍ୟାହ୍ନ ୧୨ଟାରେ ଏହାକୁ ଉପସ୍ଥାପନ କରାଯିବ । ବାଚସ୍ପତି ଓମ୍‌ ବିର୍ଲା ଏହା ଉପରେ ୮ ଘଣ୍ଟା ଚର୍ଚ୍ଚା ଲାଗି ସମୟ ଧାର୍ଯ୍ୟ କରିଛନ୍ତି । ୮ ଘଣ୍ଟା ଧରି ଆଲୋଚନା ହେବା ପରେ ଏହାକୁ ଗୃହୀତ କରାଯିବ । ଏହାକୁ ଦୃଷ୍ଟିରେ ରଖି ବିଜେପି ପକ୍ଷରୁ ଏହାର ସାଂସଦମାନଙ୍କ ପାଇଁ ହ୍ୱିପ୍‌ ଜାରି କରାଯାଇଛି । ଗୃହରେ ଉପସ୍ଥିତ ରହିବାକୁ ସମସ୍ତଙ୍କୁ କୁହାଯାଇଛି । ବିଜ୍‌ନେସ୍‌ ଆଡ୍‌ଭାଇଜରି କମିଟି (ବିଏସି) ଏହି ସୂଚନା ଦେବା ପରେ ବିରୋଧୀ ଦଳଗୁଡ଼ିକ ବିଲ୍‌ ଉପରେ ୧୨ ଘଣ୍ଟା ଚର୍ଚ୍ଚା ପାଇଁ ଦାବି କରିଥିଲେ । ଆଲୋଚନା ସମୟ ବଢ଼ାଯାଇପାରେ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍‌ ରିଜିଜୁ କହିଛନ୍ତି । ମଙ୍ଗଳବାର ବିଏସି ବୈଠକ ବସିଥିଲା । ତେବେ ବିରୋଧୀ ଦଳଗୁଡ଼ିକ ବୈଠକ ଛାଡ଼ି ଅଧାରୁ ପଳାଇଥିଲେ । କଂଗ୍ରେସ ସାଂସଦ ଗୌରବ ଗୋଗୋଇ କହିଛନ୍ତି, ସରକାର ନିଜ ଏଜେଣ୍ଡାକୁ ଲଦିଦେବାକୁ ଚେଷ୍ଟା କରୁଛନ୍ତି । ବିରୋଧୀ ସଦସ୍ୟଙ୍କ କଥା ଶୁଣିବାକୁ ସେମାନେ ପ୍ରସ୍ତୁତ ନାହାନ୍ତି । ୱାକଫ ସଂଶୋଧନ ବିଲ୍‌ରେ ଥିବା ପ୍ରସ୍ତାବକୁ ଆମେ ବିରୋଧ କରୁଛୁ । ଲୋକସଭାରେ ଗଣତନ୍ତ୍ରର ସ୍ୱରକୁ ଚାପି ଦିଆଯାଉଥିବା ସମଗ୍ର ଦେଶ ଦେଖୁଛି । ଆମେ ଲୋକସଭାରୁ କକ୍ଷତ୍ୟାଗ କରିଛୁ । ସରକାରଙ୍କ ମନରେ କ’ଣ ଅଛି ଆମେ ତାହା ଜାଣିନାହୁଁ । ଗୋଗୋଇ ଆହୁରି କହିଛନ୍ତି, ଏପିକ୍‌ କାର୍ଡ, ମଣିପୁର ପ୍ରସଙ୍ଗ ଓ ୱାକଫ ସଂଶୋଧନ ବିଲ୍‌ ଆଦି ନେଇ ଚର୍ଚ୍ଚା ଲାଗି ସମସ୍ତ ବିରୋଧୀ ଦଳ ଦାବି କରିଥିଲେ । ବିରୋଧୀଙ୍କ ପାଖରେ ଅନ୍ୟ ବିକଳ୍ପ ନ ଥିବାରୁ ସେମାନେ ବିଏସି ବୈଠକକୁ ଅଧାରୁ ଛାଡ଼ି ପଳାଇ ଆସିଛନ୍ତି । ସରକାରଙ୍କ ଏଜେଣ୍ଡାକୁ ବିରୋଧ ପ୍ରଦର୍ଶନ ପୂର୍ବକ ବିରୋଧୀ ଦଳଗୁଡ଼ିକ ବୈଠକ ଅଧାରୁ ଉଠି ପଳାଇଥିଲେ । ଟିଏମ୍‌ସି ସାଂସଦ କଲ୍ୟାଣ ବାନାର୍ଜୀ କହିଛନ୍ତି, ସଂସଦ ବିରୋଧୀଙ୍କ ପାଇଁ ମଧ୍ୟ ସମାନ ଭାବେ ମହତ୍ତ୍ୱପୂର୍ଣ୍ଣ । କିନ୍ତୁ ସରକାର କୌଣସି ଆଲୋଚନାକୁ ଅନୁମତି ଦେଉନାହାନ୍ତି । ଅତ୍ୟନ୍ତ ଦୁଃଖର ସହ କହିବାକୁ ପଡ଼ୁଛି ଯେ ଆମେ ବାଧ୍ୟ ହୋଇ ବିଏସି ବୈଠକକୁ ଅଧାରୁ ଛାଡ଼ି ବାହାରି ଆସିଥିଲୁ । ଏଆଇଏମ୍‌ଆଇଏମ୍‌ ମୁଖ୍ୟ ଅସଦୁଦ୍ଦିନ୍‌ ଓୱେସି କହିଛନ୍ତି, ୱାକଫ ସଂଶୋଧନ ବିଲ୍‌ ଅସାମ୍ବିଧାନିକ । ଅନ୍ୟପକ୍ଷରେ ୱାକଫ ବିଲ୍‌ ଆଲୋଚନାରେ ବିରୋଧୀ ଇଣ୍ଡିଆ ମେଣ୍ଟର ସଦସ୍ୟମାନେ ଭାଗ ନେବେ । କିନ୍ତୁ ଏହାକୁ ସେମାନେ ପାରୁ ପର୍ଯ୍ୟନ୍ତ ବିରୋଧ କରିବେ । ବିଲ୍‌ ବିରୋଧରେ ଭୋଟ ଦେବେ । ଆଜି ଇଣ୍ଡିଆ ମେଣ୍ଟର ଏକ ବୈଠକରେ ବିରୋଧୀ ଦଳ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!