ଓଡ଼ିଶାରେ ସୃଷ୍ଟି ହେବ ୯୫,୯୧୫ ନିଯୁକ୍ତି ସୁଯୋଗ

  ନୂଆଦିଲ୍ଲୀ,୯ା୪: ଦୁଇଦିନିଆ ଦିଲ୍ଲୀ ଇନଭେଷ୍ଟର୍ସ ମିଟରେ ୧୩ଟି ଏମଓୟୁ ସ୍ୱାକ୍ଷରିତ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିିରେ ଏମଓୟୁ ସ୍ୱାକ୍ଷରିତ ହୋଇଥିବା ସୂଚନା ।ଆଇଓସିଏଲ୍ ସହ ଡୁଆଲ-ଫିଡ୍ ନାପଥା କ୍ରାକର ପୋଜେକ୍ଟ ପାଇଁ ଏମଓୟୁ ହୋଇଛି । ଏହି ଏମଓୟୁ ପାଇଁ ରାଜ୍ୟକୁ ୫୮ ହଜାର କୋଟିର ପୁଞ୍ଜି ସହ ୨୪ ହଜାର ନିଯୁକ୍ତି ଲକ୍ଷ୍ୟ ରଖାଯାଇଛି ।ଏତିସହ ଇସ୍ରୋ,ପେଟ୍ରୋନେଟ୍ ଏଲଏନଜି ସହ ମଧ୍ୟ ବୁଝାମଣା ସ୍ୱାକ୍ଷର କରାଯାଇଛି । ଓଡ଼ିଶାକୁ ମୋଟ ୧ ଲକ୍ଷ ୩ ହଜାର ୯୦ କୋଟିର ପୁଞ୍ଜି ନିବେଶ କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇଦିନିଆ ଦିଲ୍ଲୀ ଗସ୍ତରେ ଯାଇ ଦେଶର ବହୁ ଶିଳ୍ପ ନେତୃତ୍ୱଙ୍କ ସହ ଆଲୋଚନା କରିଛନ୍ତି। ମଙ୍ଗଳବାର ରାଜ୍ୟରେ ପୁଞ୍ଜିନିବେଶ ନେଇ ୧୩ କମ୍ପାନୀ ସହ ମୁଖ୍ୟମନ୍ତ୍ରୀ ଚୁକ୍ତି ସ୍ବାକ୍ଷର କରିଛନ୍ତି। ବିଭିନ୍ନ କମ୍ପାନୀ ସହ ହୋଇଥିବା ଏହି ଚୁକ୍ତି ୧,୦୩,୦୯୦ କୋଟି ଟଙ୍କାର ପୁଞ୍ଜି ଆକର୍ଷିତ କରିଥିବାବେଳେ ୯୫,୯୧୫ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଉଛି।ଗସ୍ତର ଦ୍ୱିତୀୟ ଦିନରେ ଓଡ଼ିଶା ଇନ୍‌ଭେଷ୍ଟର୍ସ ମିଟ୍‌ ଅବସରରେ ଆୟୋଜିତ ଚୁକ୍ତି ସ୍ବାକ୍ଷର ସମାରୋହରେ ମୁଖ୍ୟମନ୍ତ୍ରୀ ଶିଳ୍ପନେତୃତ୍ୱଙ୍କୁ ସମ୍ବୋଧିତ କରି କହିଛନ୍ତି, ଶିଳ୍ପକ୍ଷେତ୍ରରେ ଅଗ୍ରଗତି ପାଇଁ ଓଡ଼ିଶା ପ୍ରସ୍ତୁତ ଅଛି। ରାଜ୍ୟର ଉଜ୍ଜ୍ୱଳ ଭବିଷ୍ୟତ ସକାଶେ ନିବେଶ କରିବା ପାଇଁ ଏହା ହିଁ ପ୍ରକୃଷ୍ଟ ସମୟ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ। ଏହି ଅବସରରେ ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେଶନ ଲିମିଟେଡ୍‌(ଆଇଓସିଏଲ), ପେଟ୍ରୋନେଟ୍‌ ଏଲ୍‌ଏନ୍‌ଜି, ଇଣ୍ଡିଆନ୍‌ ଷ୍ଟ୍ରାଟେଜିକ୍‌ ପେଟ୍ରୋକେମିକାଲ ରିଜର୍ଭସ୍‌ ଲିମିଟେଡ୍‌ ଏବଂ ଅନ୍ୟାନ୍ୟ କମ୍ପାନୀ ସହ ନିବେଶ ସଂକ୍ରାନ୍ତ ଆଲୋଚନାପରେ ପୁଞ୍ଜିନିବେଶ ନେଇ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଆଇଓସିଏଲ୍‌ ସହ ଚୁକ୍ତି ଅନୁଯାୟୀ ୫୮,୦୪୨ କୋଟି ଟଙ୍କାର ପୁଞ୍ଜି ନିବେଶ ଦ୍ୱାରା ପାରାଦୀପରେ ଡୁଆଲ୍‌ ଫିଡ୍‌ ନାପଥା କ୍ରାକର ଏବଂ ଡାଉନ୍‌ଷ୍ଟ୍ରମିମ୍‌ ୟୁନିଟ୍‌ ସ୍ଥାପନ ପୂର୍ବକ ଶିଳ୍ପ ଅଭିବୃଦ୍ଧିରେ ସହାୟକ ହେବ। ଏହି ପ୍ରକଳ୍ପ ୨୪ ହଜାର ଲୋକଙ୍କୁ ନିଯୁକ୍ତି ପ୍ରଦାନ କରିବ। ପୂର୍ବୋଦୟ ଯୋଜନା ଅଧୀନରେ ପୂର୍ବଭାରତ ବିଶେଷକରି ଓଡ଼ିଶାରେ ଥିବା ଶିଳ୍ପ ସମ୍ଭାବନାକୁ ନୂଆ ରୂପ ଦେବାରେ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ସହାୟକ ହେବ ବୋଲି ଆଶା କରାଯାଉଛି। ଏଥିସହ ରାଜ୍ୟରେ କେମିକାଲ, ପେଟ୍ରୋକେମିକାଲ ଓ ଖାଦ୍ୟ ଶିଳ୍ପ ସୁଦୃଢ଼ୀକରଣ ଆଶା ଉଜ୍ଜୀବିତ ହୋଇଛି। ସେହିପରି କିରି ଇଣ୍ଡଷ୍ଟ୍ରିଜ୍‌ ପାରାଦୀପରେ ସ୍ବତନ୍ତ୍ର କେମିକାଲ ୟୁନିଟ୍‌ ସ୍ଥାପନ କରିବାକୁ ଥିବାବେଳେ ଏସ୍‌ଏଲ୍‌ଏମ୍‌ଜି ବେଭେରେଜ୍‌ସ ପ୍ରାଇଭେଟ ଲିମିଟେଡ୍‌ ରାଜ୍ୟରେ ବେଭେରେଜ ମ୍ୟାନୁଫାକ୍ଚରିଂ ୟୁନିଟ୍‌ ସ୍ଥାପନ ପାଇଁ ଆଗ୍ରହ ପ୍ରକାଶ କରିଛି। ଏହାବ୍ୟତୀତ ଜଳଜାହାଜ ନିର୍ମାଣ ଓ ମରାମତି ସୁବିଧା ଓଡ଼ିଶାରେ ଉପଲବ୍ଧ କରାଇବା ପାଇଁ ଚୌଗୁଲେ ଗ୍ରୁପ୍‌ ପ୍ରସ୍ତୁତ ଅଛି। ଅନ୍ୟ କମ୍ପାନୀଗୁଡ଼ିକ ମଧ୍ୟରେ ହିମାଦ୍ରି ସ୍ପେଶିଆଲିଟି ବାଲେଶ୍ୱରରେ ଟାୟାର ମ୍ୟାନୁଫାକ୍‌ଚରିଂ ୟୁନିଟ୍‌ ସ୍ଥାପନ କରିବ। ଆଇନକ୍ସ ଜିଏଫ୍‌ଏଲ୍‌ କେମିକାଲ ୟୁନିଟ୍‌ ଏବଂ ବମ୍ବେ ଡାଇଙ୍ଗ ମ୍ୟାନୁଫାକ୍ଚରିଂ କୋ. ଲିମିଟେଡ୍‌ ଟେକ୍ସଟାଇଲ କ୍ଷେତ୍ରରେ ପୁଞ୍ଜି ନିବେଶ କରିବ। ଏହାବ୍ୟତୀତ ଆସୋସିଏଶନ ଅଫ୍‌ ଇଣ୍ଡିଆନ ମାନ୍ୟୁଫାକ୍ଚର୍ସ ଅଫ୍‌ ମେଡିକାଲ ଡିଭାଇସେସ୍‌ (ଏଆଇଏମ୍‌ଇଡି), ଟଏ ଆସୋସିଏଶନ ଅଫ୍‌ ଇଣ୍ଡିଆ, ୟୁନାଇଟେଡ୍‌ ଷ୍ଟେଟ୍‌ସ ଇଣ୍ଡିଆ ବିଜନେଶ୍‌ କାଉନସିଲ୍‌ ଏବଂ ଅନ୍ୟାନ୍ୟ କମ୍ପାନୀ ସହ ଆଲୋଚନା ଫଳପ୍ରଦ ହୋଇଛି। ଏହା ରାଜ୍ୟରେ ଶିଳ୍ପ ଭିତ୍ତିଭୂମି ବିକାଶ କରିବା ସହ ଅର୍ଥନୀତି ଅଭିବୃଦ୍ଧିକୁ ନୂଆରୂପ ଦେବ। ସେହିପରି ବିପୁଳ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ଦକ୍ଷତା ବୃଦ୍ଧିରେ ମଧ୍ୟ ସହାୟକ ହେବ। କେମିକାଲ, ପେଟ୍ରୋକେମିକାଲ, ବସ୍ତ୍ର ଓ ଅନ୍ୟାନ୍ୟ କ୍ଷେତ୍ରରେ ନୂଆ ମାଇଲଖୁଣ୍ଟ ସ୍ଥାପନ କରି ଜାତୀୟ ଓ ଅର୍ନ୍ତଜାତୀୟ ସ୍ତରରେ ରପ୍ତାନି ବୃଦ୍ଧି କରିବ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!