ଆଜିଠୁ କଳିଙ୍ଗ ସୁପର୍‌ କପ୍ ଫୁଟବଲ୍ ଆରମ୍ଭ

ଭୁବନେଶ୍ୱର,୨୦ା୪ : ଆଇକନିକ୍‌ କଳିଙ୍ଗ ଷ୍ଟାଡିୟମରେ ରବିବାରଠାରୁ ଆରମ୍ଭ ହେବାକୁଯାଉଛି କଳିଙ୍ଗ ସୁପର କପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟ। ଉଦ୍‌ଘାଟନୀ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିୟନ ଇଷ୍ଟ ବେଙ୍ଗଲ ଓ କେରଳ ବ୍ଲାଷ୍ଟର୍ସ ମୁହଁାମୁହିଁ ହେବେ। ଏହି ପ୍ରତିଯୋଗିତାରେ ଭାଗନେଉଥିବା ୧୫ଟି ଦଳ ଟ୍ରଫି ଓ ଆଗାମୀ ସିଜନର ଏଏଫ୍‌ସି ଚାମ୍ପିୟନ୍ସ ଲିଗ୍‌ ୨ରେ ଉପଲବ୍ଧ ଥିବା ଏକମାତ୍ର ସ୍ଥାନ ଲାଗି ପ୍ରତିଦ୍ୱନ୍ଦ୍ୱିତା କରିବେ। ଘରୋଇ ଦଳ ଓଡ଼ିଶା ଏଫ୍‌ସି ଗତବର୍ଷ ଫାଇନାଲରେ ଇଷ୍ଟ ବେଙ୍ଗଲ ଏଫ୍‌ସିଠାରୁ ୩-୨ ଗୋଲରେ ପରାସ୍ତ ହୋଇ ରନରଅପ ରହିଥିଲା। ଗତ ସଂସ୍କରଣରେ ଏହି ଟ୍ରଫି ସହ ଜାତୀୟ ଟାଇଟଲ ଲାଗି ଇଷ୍ଟ ବେଙ୍ଗଲର ୧୨ ବର୍ଷର ଅପେକ୍ଷା ଶେଷ ହୋଇଥିଲା। ଏଥର ଦଳ ତା’ର ଟାଇଟଲକୁ ସମାନ ଭେନ୍ୟୁରେ ଡିଫେଣ୍ଡ କରିବାକୁ ଲକ୍ଷ୍ୟ ରଖିଛି। ବେଙ୍ଗଲ ୨୦୦୯-୧୦ ଓ ୨୦୧୦ରେ ଲଗାତର ଫେଡେରେଶନ କପ୍‌ ଜିତିଥିବାବେଳେ କେରଳ ବ୍ଲାଷ୍ଟର୍ସ ଜାତୀୟସ୍ତରରେ ତା’ର ପ୍ରଥମ ଟ୍ରଫି ଅପେକ୍ଷାରେ ରହିଛି। ଉଭୟ ଦଳ ଇଣ୍ଡିଆନ ସୁପର ଲିଗ୍‌ରେ ଆଶାନୁଯାୟୀ ପ୍ରଦର୍ଶନ କରି ନ ପାରି ପଏଣ୍ଟ ଟେବୁଲରେ ଯଥାକ୍ରମେ ନବମ ଓ ଅଷ୍ଟମ ସ୍ଥାନରେ ରହିଥିଲେ। ଏହି ମ୍ୟାଚ୍‌ର ବିଜେତା ମୋହନ ବାଗାନ ସୁପର ଜାଏଣ୍ଟ୍ସକୁ ଭେଟିବ। ଆଇ-ଲିଗ୍‌ କ୍ଲବ ଚର୍ଚ୍ଚିଲ ବ୍ରଦର୍ସ ଟୁର୍ନାମେଣ୍ଟରୁ ଓହରିଯିବାରୁ ମୋହନ ବାଗାନ ବାଇ ପାଇ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ଏହି କ୍ୱାର୍ଟର ଫାଇନାଲ ମ୍ୟାଚ୍‌ ଆସନ୍ତା ୨୬ ତାରିଖରେ ଖେଳାଯିବ। ଏପ୍ରିଲ ୨୧ ତାରିଖରେ ୨୦୧୯ ସଂସ୍କରଣର ଚାମ୍ପିୟନ ଏଫ୍‌ସି ଗୋଆ ଓ ଗୋକୁଳମ କେରଳ ଏଫ୍‌ସି ପରସ୍ପରକୁ ଭେଟିବେ। ଗତ ଦୁଇ ସଂସ୍କରଣରେ ଗ୍ରୁପ୍‌ ପର୍ଯ୍ୟାୟ ଅତିକ୍ରମ କରିପାରି ନ ଥିବା ଗୋଆ ଏଥର ଟ୍ରଫି ସହ ୨୦୨୧ ପରେ ଦ୍ୱିତୀୟଥର ପାଇଁ ଏଏଫ୍‌ସି ଚାମ୍ପିୟନ୍ସ ଲିଗ୍‌ରେ ଖେଳିବା ଲକ୍ଷ୍ୟରେ ରହିଛି।ମେ’ ୩ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା କଳିଙ୍ଗ ସୁପର କପ୍‌ର ପ୍ରଥମ ମ୍ୟାଚ୍‌ରେ ଆଇଲିଗ୍ ଏବଂ ଆଇଏସ୍‌ଏଲ୍‌ର ବଛାବଛା ଦଳ ଅଂଶଗ୍ରହଣ କରିବେ। ପୂର୍ବରୁ ଏଥିରେ ୧୬ଟି ଦଳ ଅଂଶଗ୍ରହଣ କରିବାର ଥିଲା। ଚର୍ଚ୍ଚିଲ ବ୍ରଦର୍ସ ଓହରିଯିବା ପରେ ଏବେ ଏହି ସଂଖ୍ୟା ୧୫କୁ କମିଛି। ଫଳରେ ଏହି ଦଳ ବିପକ୍ଷରେ ନିଜ ଅଭିଯାନ ଆରମ୍ଭ କରିବାକୁ ଥିବା ମୋହନ ବାଗାନ ସୁପର ଜାଏଣ୍ଟସ୍‌ ସିଧାସଳଖ କ୍ବାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛି। ପ୍ରଥମ ଦିନର ଡବଲ୍‌ ହେଡର ଏକକ ମ୍ୟାଚ୍‌କୁ କମିବା ସହ କେରଳା ବ୍ଲାଷ୍ଟର୍ସ ଏବଂ ଗତଥର ବିଜେତା  ଇଷ୍ଟ ବେଙ୍ଗଲ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ୍ ରାତି ୮ଟାରୁ ଖେଳାଯିବ। ଓଡ଼ିଶା ଏଫ୍‌ସି ପରଦିନ ଅର୍ଥାତ୍ ସୋମବାର ପଞ୍ଜାବ ଏଫ୍‌ସି ବିପକ୍ଷରେ ଖେଳି ନିଜ ଅଭିଯାନ ଆରମ୍ଭ କରିବ। ଏହି ମ୍ୟାଚ୍ ରାତି ୮ଟାରୁ ଖେଳାଯିବ। ଏହା ପୂର୍ବରୁ ଏଫ୍‌ସି ଗୋଆ ଏବଂ ଗୋକୁଳମ କେରଳା ମ୍ୟାଚ୍ ଅପରାହ୍ଣ ୪ଟା ୩୦ରୁ ଖେଳାଯିବ। ପ୍ରତିଯୋଗିତାର କ୍ବାର୍ଟର ଫାଇନାଲ୍ ପର୍ଯ୍ୟାୟ ଚଳିତ ଏପ୍ରିଲ ୨୬ ଓ ୨୭ ତାରିଖରେ ଖେଳାଯିବ। ଦୁଇଟି ଯାକ ସେମିଫାଇନାଲ୍ ୩୦ରେ ଆୟୋଜିତ ହେବ। ଷ୍ଟାର୍ ସ୍ପୋର୍ଟସ ଏବଂ ଜିଓ ହଟଷ୍ଟାର୍‌ରେ ଏହାର ପ୍ରସାରଣ କରାଯିବ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!