ପବିତ୍ର ଶ୍ରବଣା ମକର ନକ୍ଷତ୍ର, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାମାଭିଷେକ ନୀତି

ପୁରୀ ,୨୨।୦୪ : ଆଜି ପବିତ୍ର ଶ୍ରବଣା ମକର ନକ୍ଷତ୍ର। ଏହି ଅବସରରେ ରାତିରେ ମହାପ୍ରଭୁଙ୍କ ଅନୁଷ୍ଠିତ ହେବ ରାମାଭିଷେକ ନୀତି। ଏହା ସହ ଶ୍ରୀରାମ ନବମୀରୁ ଆରମ୍ଭ ହୋଇଥିବା ଶ୍ରୀକ୍ଷେତ୍ର ସାହିଯାତ ମଧ୍ୟ ଚଳିତବର୍ଷ ପାଇଁ ଶେଷ ହେବ। ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ପରେ ନକ୍ଷତ୍ର ଦିଅଁ ଭିତରକୁ ବିଜେ କରିବା ପରେ ନକ୍ଷତ୍ର ବନ୍ଦାପନା କରାଯାଇ ନକ୍ଷତ୍ର ବେଢାକୁ ଦିଅଁ ବିଜେ କରିବେ। ଜୟବିଜୟ ଦ୍ୱାରରେ ଭୋଗ ଓ ବନ୍ଦାପନା ନୀତି ସରିବା ପରେ ଦିଅଁ ଦକ୍ଷିଣୀ ଘରକୁ ବିଜେ କରିବେ। ସେଠାରେ ଅନ୍ୟାନ୍ୟ ନୀତି ସରିବା ପରେ ସନ୍ଧ୍ୟାରେ ଆଜ୍ଞାମାଳ ପାଇ ଶ୍ରୀରାମ, ଶ୍ରୀଲକ୍ଷ୍ମଣ ଓ ଦେବୀ ସୀତା ପାଲିଙ୍କିଙ୍କୁ ବିଜେ କରି ଶ୍ରୀଜଗନ୍ନାଥ ବଲ୍ଳବ ମଠକୁ ବିଜେ କରିବେ। ଦୁଇ ସେବାୟତ ଭରତ ଓ ଶତ୍ରୁଘ୍ନ ଚରିତ୍ର ଧାରଣ କରି ପ୍ରଭୁ ଶ୍ରୀରାମଙ୍କ ରୂପାର ପାଦୁକା ଦ୍ବୟ ସାଙ୍ଗରେ ଧରି ଶ୍ରୀଜଗନ୍ନାଥ ବଲ୍ଳବ ମଠରେ ପହଂଚିବା ପରେ ଗୌଡ଼ବାଡ଼ ସାହି ଆଖେଡା ପକ୍ଷରୁ ସେଠାରେ ଶ୍ରୀରାମଙ୍କ ଅଭିଷେକ ନୀତି ଅନୁଷ୍ଠିତ ହେବା ପରେ ଶ୍ରୀମନ୍ଦିରକୁ ଠାକୁର ବାହୁଡା଼ ବିଜେ କରିବେ। ତ୍ରେତୟା ଯୁଗରେ ମହାପ୍ରଭୁ ଅଯୋଧ୍ୟା ଧାମରେ ଶ୍ରୀରାମଙ୍କ ରୂପରେ ଜନ୍ମ ନେଇଥିଲେ। ଯେହେତୁ ଶ୍ରୀରାମ ମହାପ୍ରଭୁ ଅବତାରୀ ସେହି ଦୃଷ୍ଟିରୁ ପ୍ରତିବର୍ଷ ଶ୍ରୀମନ୍ଦିରରେ ଶ୍ରୀରାମଙ୍କ ଜନ୍ମନୀତି ଠାରୁ ରାମାଭିଷେକ ନୀତି ପାଳନ କରାଯାଇ ଆସୁଛି। ଆଜି ସାହିଯାତ୍ରାର ଅନ୍ତିମ ଦିନରେ ଗୌଡ଼ବାଡ଼ ସାହି ପକ୍ଷରୁ ନାଗା, ମେଢ଼, ନବଶିରା, ସପ୍ତଶିରା, ପଞ୍ଚଶିରା, ପାରମ୍ପରିକ ସମରକଳା ଆଦି ପରିବେଷଣ କରାଯିବ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!