ଭୁବନେଶ୍ୱର,୨୨ା୪ : ରାଜ୍ୟ ସରକାରଙ୍କ ପକ୍ଷରୁ ମିଶନଶକ୍ତି ପୁନର୍ଗଠନ ନେଇ ନିଆଯାଇଥିବା ନିଷ୍ପତ୍ତି ଉପରେ ହାଇକୋର୍ଟଙ୍କ ଅଙ୍କୁଶ ଲାଗିଛି। ଚଳିତମାସ ୧୭ରେ ଏ ସଂକ୍ରାନ୍ତୀୟ ଏକ ଆବେଦନର ବିଚାରକରି ହାଇକୋର୍ଟ ବିଚାରପତି ଶଶିକାନ୍ତ ମିଶ୍ର ରାଜ୍ୟ ସରକାରଙ୍କ ମିଶନ ଶକ୍ତି ପୁନର୍ଗଠନ ସମ୍ପର୍କିତ ବିଜ୍ଞପ୍ତି ଉପରେ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଅଙ୍କୁଶ ଲଗାଇଛନ୍ତି। ଏହାସହିତ ରାଜ୍ୟ ସରକାରଙ୍କ ମିଶନଶକ୍ତି ବିଭାଗକୁ ଏନେଇ କାଉଣ୍ଟର ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ମେ’ ୧୫ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ରହିଛି।ମିଶନ ଶକ୍ତି, ଯାହା ଓଡ଼ିଶାରେ ୭୦ ଲକ୍ଷରୁ ଅଧିକ ମହିଳାଙ୍କୁ ସାମିଲ କରି ମହିଳା ସଶକ୍ତିକରଣରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି, ଏହାର ପୁନର୍ଗଠନ ନେଇ ବିଜେପି ସରକାରଙ୍କ ନିଷ୍ପତ୍ତି ବିବାଦର କାରଣ ହୋଇଛି। ରାଜ୍ୟ ସରକାରଙ୍କ ଏହି ପୁନର୍ଗଠନ ଯୋଜନା ଅନୁଯାୟୀ, ଗ୍ରାମ ପଞ୍ଚାୟତ ସ୍ତରୀୟ ଫେଡେରେସନ (GPLF), କ୍ଲଷ୍ଟର ସ୍ତରୀୟ ଫେଡେରେସନ (CLF), ଏବଂ ବ୍ଲକ ସ୍ତରୀୟ ଫେଡେରେସନ (BLF) ରେ ନୂଆ ନିଯୁକ୍ତି ପାଇଁ ନିର୍ବାଚନ କରାଯିବ। ଏହା ସହିତ, ପ୍ରତ୍ୟେକ ପରିବାରକୁ ଆୟ ସୃଷ୍ଟିକାରୀ କାର୍ଯ୍ୟକ୍ରମ ସହ ଯୋଡ଼ିବା ଲକ୍ଷ୍ୟ ରହିଛି। ଜାନୁଆରୀ ୨୨ରେ ରାଜ୍ୟ ସରକାରଙ୍କ ମିଶନଶକ୍ତି ବିଭାଗ ପକ୍ଷରୁ ମିଶନଶକ୍ତି ପୁନର୍ଗଠନ ସଂକ୍ରାନ୍ତରେ ବିଜ୍ଞପ୍ତି ଜାରି ହୋଇଥିଲା। ସେଥିରେ ରାଜ୍ୟ ସରକାର ପଞ୍ଚାୟତସ୍ତରରୁ ଜିଲାସ୍ତର ପର୍ଯ୍ୟନ୍ତ ବିଭିନ୍ନ କମିଟିର ପୁନର୍ଗଠନ କରିବାକୁ ବିଜ୍ଞପ୍ତି ପ୍ରକାଶ କରିଥିଲେ। ସେଥିରେ ଦୁଇଥରରୁ ଅଧିକ ସମୟ ଧରି ଥିବା କାର୍ଯ୍ୟକାରୀ ସଦସ୍ୟ ଉକ୍ତ ପଦରେ ରହିପାରିବେ ନାହିଁ। ଏହାସହିତ ଗୋଟିଏ ପରିବାରର ୨ଜଣ ସଦସ୍ୟ ମଧ୍ୟ କମିଟିରେ ନ ରହିବା ଭଳି କଟକଣା ରହିଥିଲା। ଏହାକୁ ନେଇ ଦିବ୍ୟଜ୍ୟୋତି ପ୍ରତିଭା ମିଶନଶକ୍ତି ଫେଡେରେଶନ ପକ୍ଷରୁ ହାଇକୋର୍ଟଙ୍କୁ ଗୁହାରି କରାଯାଇଥିଲା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |