ନୂନୂଆଦିଲ୍ଲୀ,୨୪।୪: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ବିରୋଧରେ ଅନେକ କଠୋର ପଦକ୍ଷେପ ନେଇଛି। ଏହାର ପ୍ରଭାବ ଏବେ ଦୃଶ୍ୟମାନ ହେବାରେ ଲାଗିଛି। ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପ୍ରାଣ ହରାଇଛନ୍ତି। ଏହା ପଛରେ ଲସ୍କର-ଏ-ତୈବାର ଡେପୁଟି କମାଣ୍ଡର ସୈଫୁଲ୍ଲାହ କସୁରୀଙ୍କ ହାତ ଥିବା କୁହାଯାଉଛି। ଭାରତର କାର୍ଯ୍ୟାନୁଷ୍ଠାନ ପରେ, କସୁରୀ ଏକ ଭିଡିଓ ଜାରି କରିଛନ୍ତି। ଏଥିରେ ସେ ଆକ୍ରମଣକୁ ନିନ୍ଦା କରିଛନ୍ତି ଏବଂ କହିଛନ୍ତି ଯେ ସେ ଏଥିପାଇଁ ଦାୟୀ ନୁହଁନ୍ତି।ବୁଧବାର ରାତିରେ CCS ବୈଠକରେ ଭାରତ ପାଞ୍ଚଟି ପ୍ରମୁଖ ନିଷ୍ପତ୍ତି ନେଇଛି। ଏଥିରେ ସିନ୍ଧୁ ଜଳ ଚୁକ୍ତିନାମାକୁ ବନ୍ଦ କରିବା ସହିତ ଅନେକ କଠୋର ପଦକ୍ଷେପ ନିଆଯାଇଥିଲା। ମଙ୍ଗଳବାର ଦିନ ଜମ୍ମୁ-କାଶ୍ମୀରର ଅନନ୍ତନାଗ ଜିଲ୍ଲାର ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କର ମୃତ୍ୟୁ ହୋଇଛି। ଏହି କାପୁରୁଷୋଚିତ ଆକ୍ରମଣରେ ୧୭ ଜଣ ଆହତ ମଧ୍ୟ ହୋଇଛନ୍ତି। ଏହି ଆକ୍ରମଣର ଶିକାର ହୋଇଥିବା ଅଧିକାଂଶ ପର୍ଯ୍ୟଟକ ଥିଲେ ଯେଉଁମାନେ ନିଜ ପରିବାର ସହିତ ‘ମିନି ସ୍ୱିଜରଲ୍ୟାଣ୍ଡ’ ନାମରେ ଜଣାଶୁଣା ଜମ୍ମୁ-କାଶ୍ମୀରର ବୈସରନ ଉପତ୍ୟକା ପରିଦର୍ଶନ କରିବାକୁ ଆସିଥିଲେ।ମଙ୍ଗଳବାର ଅପରାହ୍ନ ପ୍ରାୟ ୩ଟାରେ ପହଲଗାମର ବୈସରନ ଘାଟିରେ ଆତଙ୍କବାଦୀମାନେପ୍ରଥମେ ପର୍ଯ୍ୟଟକମାନଙ୍କୁ ସେମାନଙ୍କ ଧର୍ମ ବିଷୟରେ ପଚାରିଲେ, ସେମାନଙ୍କର ପରିଚୟପତ୍ର ଯାଞ୍ଚ କଲେ ଏବଂ ପରେ ସେମାନେ ହିନ୍ଦୁ ବୋଲି କହିବା ପରେ ଗୁଳି ଚଳାଇଲେ। ୨୬ ଜଣ ମୃତକଙ୍କ ମଧ୍ୟରୁ ଅଧିକାଂଶ ପର୍ଯ୍ୟଟକ, ୨ ଜଣ ବିଦେଶୀ ଏବଂ ୨ ଜଣ ସ୍ଥାନୀୟ ନାଗରିକ। ଫେବୃଆରୀ ୨୦୧୯ରେ ପୁଲୱାମା ଆକ୍ରମଣ ପରେ ଏହା ଜମ୍ମୁ ଏବଂ କାଶ୍ମୀରରେ ସବୁଠାରୁ ବଡ଼ ଆତଙ୍କବାଦୀ ଆକ୍ରମଣ। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, ମଙ୍ଗଳବାର ଅପରାହ୍ନ ପ୍ରାୟ ୩ଟାରେ ଆତଙ୍କବାଦୀମାନେ ବୈସାରନ ଉପତ୍ୟକାର ଘାସଭୂମିରେ ପ୍ରବେଶ କରିଥିଲେ। ଏହି ଆତଙ୍କବାଦୀମାନେ ଖାଦ୍ୟ ଦୋକାନ ପାଖରେ ବୁଲୁଥିବା ଏବଂ ଘୋଡ଼ା ଚଢ଼ି ଆସୁଥିବା ପର୍ଯ୍ୟଟକଙ୍କ ଉପରେ ଆଖିବୁଜା ଗୁଳି ଚଳାଇବା ଆରମ୍ଭ କରିଦେଲେ। ତଦନ୍ତକାରୀ ଏଜେନ୍ସିଗୁଡ଼ିକ ୩ ପାକିସ୍ତାନୀ ନାଗରିକଙ୍କୁ ଚିହ୍ନଟ କରିଛନ୍ତି – ଆସିଫ ଫୌଜି (କୋଡ ନାମ ମୁସା), ସୁଲେମାନ ଶାହ (କୋଡ ନାମ ୟୁନୁସ) ଏବଂ ଆବୁ ତଲହା (କୋଡ ନାମ ଆସିଫ)। ସେହିଭଳି ଉପତ୍ୟକାର ଆଉ ଦୁଇ ଜଣ ଆତଙ୍କବାଦୀ – ଅନନ୍ତନାଗର ବିଜବେହାରାର ବାସିନ୍ଦା ଆଦିଲ ଗୁରି ଯିଏ ୨୦୧୮ରେ ପାକିସ୍ତାନ ଯାଇଥିଲେ ଏବଂ ପୁଲୱାମାର ବାସିନ୍ଦା ଅହସାନ ଯିଏ ୨୦୧୮ରେ ପାକିସ୍ତାନ ଯାଇଥିଲେ ଭାବେ ମଧ୍ୟ ଚିହ୍ନଟ କରାଯାଇଛି।ଜମ୍ମୁ ଏବଂ କଶ୍ମୀରର କର୍ତ୍ତୃପକ୍ଷ ପୂର୍ବରୁ ୩ ଜଣ ସନ୍ଦିଗ୍ଧଙ୍କ ସ୍କେଚ ଜାରି କରିସାରିଛନ୍ତି ଏବଂ ସେମାନଙ୍କୁ ଗିରଫ କରିବା ପାଇଁ ସୂଚନା ଦେବା ପାଇଁ ପ୍ରତ୍ୟେକଙ୍କୁ ୨୦ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି। କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥାଗୁଡ଼ିକ ଆକ୍ରମଣକାରୀଙ୍କ ମଧ୍ୟରୁ ଜଣେକୁ ମୁସା ଭାବରେ ଚିହ୍ନଟ କରିଛନ୍ତି, ଯିଏ ମେ ୨୦୨୪ ରେ ପୁଞ୍ଚରେ ଭାରତୀୟ ବାୟୁସେନା (IAF) କନଭୟ ଉପରେ ହୋଇଥିବା ଆକ୍ରମଣରେ ମଧ୍ୟ ସାମିଲ ଥିଲା ବୋଲି ଅଧିକାରୀ କହିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |