ନୂଆଦିଲ୍ଲୀ,୪ା୫: ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ପାକିସ୍ତାନ ସହ ଉତ୍ତେଜନା ବଢ଼ିଚାଲିଥିବାବେଳେ କେନ୍ଦ୍ର ସରକାର ସେଠାରୁ ସମସ୍ତ ପ୍ରକାର ପ୍ରତ୍ୟକ୍ଷ ଓ ପରୋକ୍ଷ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏଥିସହ ପାକିସ୍ତାନରୁ ଆସୁଥିବା ମେଲ୍ ଓ ପାର୍ସଲଗୁଡ଼ିକୁ ମଧ୍ୟ ବନ୍ଦ କରିଦିଆଯାଇଛି। କେବଳ ସେତିକି ନୁହେଁ, ପାକିସ୍ତାନୀ ଜାହାଜଗୁଡ଼ିକ ଭାରତୀୟ ବନ୍ଦରରେ ନ ଲଗାଇବାକୁ କଟକଣା ଲଗାଯାଇଛି।ଆଜି ପ୍ରଥମେ ପାକିସ୍ତାନରୁ ସମସ୍ତ ଆମଦାନୀ-ରପ୍ତାନୀ ବନ୍ଦ କରିବା ସହ ପାକିସ୍ତାନୀ ପତାକା ଉଡ଼ାଉଥିବା କୌଣସି ଜାହାଜକୁ ଭାରତର କୌଣସି ବନ୍ଦରରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ। ଏଥି ସହିତ ଭାରତୀୟ ପତାକା ଉଡ଼ାଉଥିବା କୌଣସି ଜାହାଜ ପାକିସ୍ତାନର କୌଣସି ବନ୍ଦରକୁ ଯିବ ନାହିଁ। ଏହି କଟକଣା ପରେ ଭାରତ ପାକିସ୍ତାନକୁ ସମସ୍ତ ପ୍ରକାରର ଡାକ ଏବଂ ପାର୍ସଲ ସେବାକୁ ବନ୍ଦ କରିଦେଇଛି। ଏବେ ପୋଷ୍ଟ ଏବଂ ପାର୍ସଲଗୁଡ଼ିକ ବିମାନ କିମ୍ବା ସ୍ଥଳପଥରେ ପଠାଯାଇପାରିବ ନାହିଁ କିମ୍ବା ଗ୍ରହଣ କରାଯାଇପାରିବ ନାହିଁ। ଶନିବାର ଡାକ ବିଭାଗ ଏ ସମ୍ପର୍କରେ ଏକ ସାର୍ବଜନୀନ ନୋଟିସ୍ ଜାରି କରି ଏହି ସୂଚନା ଦେଇଛି।ବୈଦେଶିକ ବାଣିଜ୍ୟ ନୀତି (ଏଫ୍ଟିପି) ୨୦୨୩ର ନୂଆ ନିୟମାବଳୀ ଅନୁଯାୟୀ, ଆମଦାନୀ ଓ ଦ୍ରବ୍ୟ ପରିବହନ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି କଟକଣା ତୁରନ୍ତ ଲାଗୁ ହୋଇଥିବାବେଳେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ। ଜାତୀୟ ସୁରକ୍ଷା ଏବଂ ଜନସ୍ବାର୍ଥ ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ନେବା ଜରୁରୀ ଥିଲା ବୋଲି ସରକାର କହିଛନ୍ତି। ଯଦି କୌଣସି ବ୍ୟତିକ୍ରମ ଆବଶ୍ୟକ ପଡ଼େ, ତେବେ ଏଥିପାଇଁ କେନ୍ଦ୍ର ସରକାରଙ୍କ ସ୍ବତନ୍ତ୍ର ଅନୁମୋଦନ ଆବଶ୍ୟକ ପଡ଼ିବ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |