ପୁରୀ,୧୮।୫: ପାକିସ୍ତାନର ସ୍ପାଏ ଭାବେ କାର୍ଯ୍ୟ କରୁଥିବା ହରିୟାଣାର ପ୍ରସିଦ୍ଧ ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ଗିରଫ ପରେ ପୁରୀର ପ୍ରିୟଙ୍କାଙ୍କ ସହ ଲିଙ୍କ ନେଇ ପୋଲିସ ତନାଘନା ଆରମ୍ଭ କରିଛି l ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ଗିରଫ ପରେ ତାଙ୍କର ପୁରୀ ସହ ସମ୍ପର୍କକୁ ନେଇ ଏବେ ଚର୍ଚ୍ଚା ବଢ଼ିବାରେ ଲାଗିଛି। ଜ୍ୟୋତି ଗତ ସେପ୍ଟେମ୍ବରରେ ପୁରୀ ବୁଲିବାକୁ ଆସିଥିଲେ। ପୁରୀ ବେଳାଭୂମି, ଶ୍ରୀମନ୍ଦିର ସହ ଅନ୍ୟାନ୍ୟ ସ୍ଥାନ ବୁଲିଥିଲେ। ଏପରିକି ପୁରୀରେ ପ୍ରିୟଙ୍କା ସେନାପତିଙ୍କ ସହ ବନ୍ଧୁତା କରିଥିଲେ lପାକିସ୍ତାନୀ ଗୁପ୍ତଚର ଜ୍ୟୋତି ମାଲହୋତ୍ରାକୁ ଗୁପ୍ତ ତଥ୍ୟ ଦେଇଛନ୍ତି କି ପୁରୀ ଝିଅ ପ୍ରିୟଙ୍କା ସେନାପତି? ଜ୍ୟୋତିଙ୍କ ସହ ପୁଳା ପୁଳା ଫଟୋ ଓ ଭିଡ଼ିଓର ଯାଞ୍ଚ କରିବା ସହ ପାକିସ୍ତାନ କରତାରପୁର ଗସ୍ତ ରହସ୍ୟ ଭେଦିବାକୁ ବି ଚାଲିଛି ଘଣ୍ଟାଚକଟା। ପ୍ରିୟଙ୍କାଙ୍କ ସବୁ ସୋସିଆଲ ମିଡିଆ ପ୍ରୋଫାଇଲ୍ ଯାଞ୍ଚ ପରେ ଏବେ ଚାଲିଛି ଘନ ଘନ ଜେରା। ପୁରୀ ଛାଡ଼ି ନଯିବାକୁ ବି ନିର୍ଦ୍ଦେଶ ଦେଇଛନ୍ତି ଏସପି। ସେପଟେ ହରିୟାଣା ପୋଲିସ୍, ଗିରଫ ଜ୍ୟୋତି ମାଲହୋତ୍ରା, ନିୟମିତ ପାକିସ୍ତାନ ଗସ୍ତ କରିଥିବାର ପ୍ରମାଣ ପାଇବା ପରେ ୫ଦିନିଆ ରିମାଣ୍ଡରେ ନେଇ ପାକ୍ ଗୁଇନ୍ଦା ଅଧିକାରୀଙ୍କ ସହ ଲିଙ୍କର ଗୁମର ଓଗାଳୁଛି।ବାନ୍ଧବୀ ପ୍ରିୟଙ୍କା ଜ୍ୟୋତିଙ୍କ ସାଙ୍ଗରେ ପାକିସ୍ତାନ ବୁଲିଛନ୍ତି। ଜ୍ୟୋତିଙ୍କ ସହ ପ୍ରିୟଙ୍କାଙ୍କ ସମ୍ପର୍କକୁ ନେଇ ମଧ୍ୟ ଆଶଙ୍କା ବଢ଼ିଛି । ପ୍ରିୟଙ୍କା ମଧ୍ୟ ପୂର୍ବରୁ ପାକିସ୍ତାନ ଯାଇ ଅନେକ ଭିଡିଓ ସୋସିଆଲ ମିଡି ଆରେ ସେୟାର କରିଛନ୍ତି। ଏହି ସମ୍ପର୍କରେ ପୁରୀ ପୋଲିସ ତଦନ୍ତ ଆରମ୍ଭ କରିଛି।ପ୍ରିୟଙ୍କା ପୁରୀ ଶ୍ରୀମନ୍ଦିର ନିକଟ କାଳିକାଦେବୀ ସାହିର ବାସିନ୍ଦା ଅଟନ୍ତି । ତେବେ ଏ ନେଇ ପ୍ରିୟଙ୍କାଙ୍କ ବାପା କହିଛନ୍ତି, ମୋ ଝିଅ କେବଳ ଅନଲାଇନରେ ସାଙ୍ଗ ହୋଇଛି ଏବଂ ଆମେ ଏସମସ୍ତ ଘଟଣାରେ ପୋଲିସକୁ ତଦନ୍ତରେ ସହଯୋଗ କରିବୁ ବୋଲି କହିଛନ୍ତି। ପ୍ରିୟଙ୍କାଙ୍କ ବାପା ରାଜ କିଶୋର ସେନାପତି l ସେହିପରି ଜ୍ୟୋତିଙ୍କ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରୁ ଜାଣିବା ପରେ ପ୍ରିୟଙ୍କା ନିଜ ଇନ୍ଷ୍ଟାଗ୍ରାମରେ ସ୍ପଷ୍ଟୀକରଣ ଦେଇ ଲେଖିଛନ୍ତି, ୟୁଟ୍ୟୁବ ମାଧ୍ୟମରେ ମୁଁ ଜ୍ୟୋତିଙ୍କୁ ଚିହ୍ନିଥିଲି। ତାଙ୍କ ସମ୍ପର୍କରେ ମୁଁ ଏତେ ମାତ୍ରାରେ ଅବଗତ ନ ଥିଲି। ସେ ପାକିସ୍ତାନ ଗୁପ୍ତଚର ଭାବେ କାମ କରୁଛନ୍ତି ବୋଲି ମୁଁ ଜାଣିଥିଲେ କେବେ ବି ତାଙ୍କ ସହ ଯୋଗାଯୋଗରେ ଆସି ନ ଥାନ୍ତି।ତାଙ୍କ ସମ୍ପର୍କରେ ଏସବୁ ଜାଣିବା ପରେ ଏବେ ମୋତେ ମଧ୍ୟ ଆଶ୍ଚର୍ଯ୍ୟ ଲାଗୁଛି। ଯଦି କୌଣସି ତଦନ୍ତକାରୀ ସଂସ୍ଥା ମୋତେ ପ୍ରଶ୍ନ ପଚାରନ୍ତି ତେବେ ମୁଁ ସମ୍ପୂର୍ଣ ସହଯୋଗ କରିବି। ଅନ୍ୟପଟେ ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକେ ଏବଂ ସାହି ବାସିନ୍ଦାଙ୍କ ମଧ୍ୟରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି l ଘଟଣାର ଉପଯୁକ୍ତ ତଦନ୍ତ ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି l
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |