ଆଜି ଫେରିବେ  ଶୁଭାଂଶୁ ଶୁକ୍ଲା,ଅପରାହ୍ନ ୩ଟାରେ କାର୍ଲିଫଣ୍ଣିଆ ଉପକୂଳରେ ଅବତରଣ

ନୂଆଦିଲ୍ଲୀ, ୧୫।୭ : ଆଜି ଫେରିବେ  ଶୁଭାଂଶୁ ଶୁକ୍ଲା। ବିଶ୍ବ ସ୍ତରରେ ଭାରତକୁ ଗୌରବାନ୍ବିତ କରିଥିବା ଶୁଭାଂଶୁ ଏବେ ପୃଥିବୀ ଅଭିମୁଖେ ନିଜର ଯାତ୍ରା ଆରମ୍ଭ କରିସାରିଛନ୍ତି। ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ଆଇଏସଏସ)ରୁ ଗତକାଲି ନିଜର ଯାତ୍ରା ଆରମ୍ଭ କରିଥିବା ବେଳେ ଆଜି ପୃଥିବୀରେ ଅବତରଣ କରିବେ।ଆଇଏସଏସରେ ୧୮ ଦିନର ରହଣି ଭିତରେ ଜୀବବିଜ୍ଞାନ, କୁତ୍ରିମ ବୁଦ୍ଧିମତା, ପଦାର୍ଥ ବିଜ୍ଞାନ ଓ ମାନବ ସ୍ବାସ୍ଥ୍ୟ ଉପରେ ୬୦ରୁ ଅଧିକ ଉନ୍ନତ ବୈଜ୍ଞାନିକ ପରୀକ୍ଷଣ ଶେଷ କରିଛନ୍ତି ।  ଗତ ଜୁନ୍ ୨୫  ତାରିଖରେ ଆକ୍ସିଅମ- ଫୋର୍ ମିଶନରେ ଅନ୍ୟ ୩ଜଣ ମହାକାଶଚାରୀଙ୍କ ସହ ଆନ୍ତର୍ଜାତିକ ମହାକାଶ କେନ୍ଦ୍ର -ଆଇଏସଏସକୁ ଯାଇଥିଲେ ଭାରତର ଶୁଭାଂଶୁ ଶୁକ୍ଲା। ପୃଥିବୀକୁ ଫେରିବା ପରେ ପରିବେଶ ସହ ଖାପ ଖୁଆଇବା ପାଇଁ ଏବେ ପ୍ରସ୍ତୁତି ଚାଲିଛି ।  ତାଙ୍କ ସହିତ ଆକ୍ସିଅମ-୪ ମିଶନ (ଏକ୍ସ-୪)ରେ ଯାଇଥିବା ଚାରି ଜଣିଆ ଦଳ ସୋମବାର ସନ୍ଧ୍ୟା ପ୍ରାୟ ୪:୫୦ (ଭାରତୀୟ ସମୟ)ରେ ଆଇଏସଏସକୁ ବିଦାୟ ଦେଇଥିଲେ। ସ୍ପେସଏକ୍ସର ଡ୍ରାଗନ୍ ମହାକାଶଯାନ ‘ଗ୍ରେସ୍’ ଏବେ ସାଢ଼େ ୨୨ ଘଣ୍ଟାର ଯାତ୍ରା ପରେ ୧୫ ଜୁଲାଇ ମଙ୍ଗଳବାର ଦିନ ଭାରତୀୟ ସମୟ ପ୍ରାୟ ୩ଟାରେ ଆମେରିକାର କାଲିଫର୍ନିଆ ଉପକୂଳବର୍ତ୍ତୀ ସମୁଦ୍ରରେ ଅବତରଣ କରିବ ।ଏହି ମିଶନ ଭାରତ, ପୋଲାଣ୍ଡ ଏବଂ ହଙ୍ଗେରୀ ପାଇଁ ଐତିହାସିକ ଥିଲା। କାରଣ ଚାରି ଦଶନ୍ଧି ପରେ, ଏହି ଦେଶଗୁଡ଼ିକର ମହାକାଶଚାରୀମାନେ ଏକ ମାନବ ମିଶନରେ ଅଂଶଗ୍ରହଣ କରିଥିଲେ। ଏହି ମିଶନର ନେତୃତ୍ୱ ଆମେରିକାର ଅଭିଜ୍ଞ ମହାକାଶଚାରୀ ଏବଂ ଆକ୍ସିଅମ କମାଣ୍ଡର ପେଗି ହ୍ୱିଟସନ ନେଇଥିଲେ।ମଙ୍ଗଳବାର ସକାଳେ ଏକ୍ସରେ ଏକ ପୋଷ୍ଟ କରି ସ୍ପେସଏକ୍ସ କହିଛି ଯେ, ‘ଡ୍ରାଗନ୍ ସ୍ପେସକ୍ରାଫ୍ଟ ଏବଂ ଆକ୍ସିଅମ୍ ସ୍ପେସର ଆକ୍ସ-୪ ମିଶନର ଚାରି ଜଣ ମହାକାଶଚାରୀ ଭାରତୀୟ ସମୟ ଅପରାହ୍ନ ୩.୦୧ରେ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବେ ଏବଂ କାଲିଫର୍ନିଆର ସାନ ଡିଏଗୋ ଉପକୂଳ ନିକଟରେ ଥିବା ପ୍ରଶାନ୍ତ ମହାସାଗରରେ ଅବତରଣ କରିବେ। ଡ୍ରାଗନ୍ ସ୍ପେସକ୍ରାଫ୍ଟ ଜୋରରେ ଶବ୍ଦ କରି ବା ଗର୍ଜନ କରି ନିଜର ଆଗମନ ବିଷୟରେ ଜଣାଇବ।’ ସ୍ପେସକ୍ରାଫ୍ଟ ଉଚ୍ଚ ବେଗରେ ବାୟୁମଣ୍ଡଳରେ ପ୍ରବେଶ କରିବା ସମୟରେ ଜୋରରେ ଶବ୍ଦ ଉତ୍ପନ୍ନ ହୁଏ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!