NCERT ଅଷ୍ଟମ ଶ୍ରେଣୀ ଇତିହାସ ପାଠ୍ୟପୁସ୍ତକରେ ମୋଗଲଙ୍କ ଉପରେ ନୂଆ ଅଧ୍ୟାୟ

ନୂଆଦିଲ୍ଲୀ ,୧୭।୭: ନ୍ୟାସନାଲ କାଉନସିଲ ଅଫ ଏଜୁକେସନାଲ ରିସର୍ଚ ଆଣ୍ଡ ଟ୍ରେନିଂ (NCERT) ଅଷ୍ଟମ ଶ୍ରେଣୀର ନୂଆ ସାମାଜିକ ବିଜ୍ଞାନ ପାଠ୍ୟପୁସ୍ତକ ‘ଏକ୍ସପ୍ଲୋରିଂ ସୋସାଇଟି: ଇଣ୍ଡିଆ ଆଣ୍ଡ ବିଓଣ୍ଡ’ରେ ମୋଗଲ ଶାସନ ଉପରେ ଏକ ନୂଆ ଅଧ୍ୟାୟ ସାମିଲ କରିଛି। ଏହି ଅଧ୍ୟାୟ ମୋଗଲ ସମ୍ରାଟମାନଙ୍କର ଶାସନକାଳୀନ ସଫଳତା ସହିତ ସେମାନଙ୍କ ଅତ୍ୟାଚାର ଓ ନିର୍ମମତାର କାହାଣୀକୁ ମଧ୍ୟ ଉଜାଗର କରିଛି। ଏହା ଭାରତୀୟ ଇତିହାସକୁ ଅଧିକ ସନ୍ତୁଳିତ ଓ ପ୍ରମାଣଭିତ୍ତିକ ଦୃଷ୍ଟିକୋଣରୁ ଉପସ୍ଥାପନ କରିବାର ଏକ ପ୍ରୟାସ ବୋଲି କୁହାଯାଉଛି।ପୂର୍ବ ପାଠ୍ୟପୁସ୍ତକମାନଙ୍କରେ ମୋଗଲ ଶାସନକୁ ପ୍ରାୟତଃ ସାମ୍ପ୍ରଦାୟିକ ସହନଶୀଳତା, ସାଂସ୍କୃତିକ ବିକାଶ ଓ ପ୍ରଶାସନିକ ଦକ୍ଷତାର ପ୍ରତୀକ ଭାବେ ଉପସ୍ଥାପନ କରାଯାଉଥିଲା। କିନ୍ତୁ ନୂଆ ପାଠ୍ୟପୁସ୍ତକରେ ମୋଗଲ ଶାସକମାନଙ୍କ ଦ୍ୱାରା ସଂଘଟିତ ନୃଶଂସ ଘଟଣାଗୁଡ଼ିକୁ ମଧ୍ୟ ସ୍ଥାନ ଦିଆଯାଇଛି। ଉଦାହରଣ ସ୍ୱରୂପ, ଆକବରଙ୍କ ଦ୍ୱାରା ୧୫୬୭-୬୮ରେ ଚିତ୍ତୋରଗଡ଼ ଅବରୋଧ ସମୟରେ ହୋଇଥିବା ନିର୍ମମ ହତ୍ୟାକାଣ୍ଡକୁ ଏହି ଅଧ୍ୟାୟରେ ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇଛି। ଏହି ଅବରୋଧ ସମୟରେ ଆକବରଙ୍କ ନିର୍ଦ୍ଦେଶରେ ପ୍ରାୟ ୩୦,୦୦୦ ନିରସ୍ତ୍ର ନାଗରିକଙ୍କୁ ହତ୍ୟା କରାଯାଇଥିଲା ଏବଂ ଅନେକ ମହିଳା ଓ ଶିଶୁଙ୍କୁ ଦାସ କରାଯାଇଥିଲା। ଏହା ସହିତ ରାଜପୁତ ମହିଳାମାନଙ୍କ ଜୌହର (ଆତ୍ମବଳିଦାନ) ଓ ରାଜପୁତ ଯୋଦ୍ଧାଙ୍କ ସାକା (ଶେଷ ଯୁଦ୍ଧ) ଭଳି ଘଟଣାଗୁଡ଼ିକୁ ମଧ୍ୟ ଉଲ୍ଲେଖ କରାଯାଇଛି।ଏହି ଅଧ୍ୟାୟ କେବଳ ମୋଗଲଙ୍କ ଅତ୍ୟାଚାରକୁ ହିଁ ଉଜାଗର କରୁନାହିଁ, ବରଂ ସେହି ସମୟରେ ରାଜପୁତ, ମରାଠା, ଶିଖ ଓ ଅହୋମ ଭଳି ସ୍ଥାନୀୟ ଶକ୍ତିମାନଙ୍କର ପ୍ରତିରୋଧକୁ ମଧ୍ୟ ଗୁରୁତ୍ୱ ଦେଇଛି। ମହାରାଣା ପ୍ରତାପ, ଛତ୍ରପତି ଶିବାଜୀ ମହାରାଜ ଓ ରାଣୀ ଦୁର୍ଗାବତୀଙ୍କ ଭଳି ବ୍ୟକ୍ତିତ୍ୱଙ୍କ ସାହସୀ ସଂଗ୍ରାମକୁ ଛାତ୍ରମାନଙ୍କ ଆଗରେ ଉପସ୍ଥାପନ କରାଯାଇଛି। ଏହା ସହିତ, ପାଠ୍ୟପୁସ୍ତକରେ ଏକ ସତର୍କୀକରଣ ନୋଟ୍‌ ମାଧ୍ୟମରେ କୁହାଯାଇଛି ଯେ ଅତୀତର ଘଟଣାଗୁଡ଼ିକ ପାଇଁ ଆଜିର କୌଣସି ସମୁଦାୟ ବା ବ୍ୟକ୍ତିଙ୍କୁ ଦାୟୀ କରାଯିବା ଉଚିତ୍‌ ନୁହେଁ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!