ମୁମ୍ବାଇ, ୧୯ା୮: ଭୀଷଣ ବର୍ଷା ଯୋଗୁ ସୋମବାର ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇର ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଇଛି। ସହରର ଅନେକ ସ୍ଥାନ ବର୍ଷାପାଣିରେ ଜଳମଗ୍ନ ହୋଇଯାଇଥିବା ବେଳେ ସ୍ଥିତିକୁ ଦୃଷ୍ଟିରେ ରଖି ବ୍ରିହନ୍ ମୁମ୍ବାଇ ମ୍ୟୁନିଶପାଲ କର୍ପୋରେଶନ (ବିଏମ୍ସି) ପକ୍ଷରୁ ସୋମବାର ସହରର ସମସ୍ତ ସ୍କୁଲ ଏବଂ କଲେଜକୁ ବନ୍ଦ କରିବା ପାଇଁ ଘୋଷଣା କରାଯାଇଥିଲା। ସେହିପରି ଲଗାଣ ବର୍ଷାରେ ମୁମ୍ବାଇରେ ବିମାନ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି। ସହରର ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ଲାଣ୍ଡିଂ ପୂର୍ବରୁ ୯ ବିମାନ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ସେହିପରି ଖରାପ ପାଗ ଯୋଗୁ ମୁମ୍ବାଇରେ ଲାଣ୍ଡିଂ ହେବାକୁ ଥିବା ଏକ ଫ୍ଲାଇଟକୁ ଗୁଜରାଟର ସୁରଟରେ ଜରୁରୀ ଅବତରଣ କରାଯାଇଥିଲା। ବର୍ଷାକୁ ଦୃଷ୍ଟିରେ ରଖି ଜରୁରୀ କାର୍ଯ୍ୟ ନ ଥିଲେ ଘରୁ ନ ବାହାରିବାକୁ ବିଏମ୍ସି ପକ୍ଷରୁ ସ୍ଥାନୀୟ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ସହରର ଅନ୍ଧେରୀ, ଲୋଖଣ୍ଡ୍ଓ୍ବାଲା ପରି ତଳିଆ ଅଞ୍ଚଳରେ ପାଣି ଜମା ହୋଇ ରହିଥିଲା, ଯାହା ଗମନାଗମନକୁ ପ୍ରଭାବିତ କରିବା ସହ ଟ୍ରାଫିକ୍ ସମସ୍ୟା ସୃଷ୍ଟି କରିଥିଲା। ସେହିପରି ସହରର ବିଭିନ୍ନ ଟ୍ରେନ୍ ବିଳମ୍ବରେ ଚାଲୁଥିବା ନେଇ ସ୍ଥାନୀୟ ଅଧିକାରୀ କହିଛନ୍ତି। ବିଳମ୍ବିତ ରାତିରୁ ଏତେ ବର୍ଷା ହୋଇଛି ଯେ ମୁମ୍ବାଇର ରାସ୍ତାଗୁଡ଼ିକ ପାଣିରେ ବୁଡ଼ି ରହିଛି। ଯାନବାହନ ଫସି ରହିଛି। ମୁଷଳଧାରାରେ ବର୍ଷା ମଧ୍ୟରେ ମୁମ୍ବାଇବାସୀଙ୍କ ଉପରେ ସଙ୍କଟ ବଢ଼ିବାରେ ଲାଗିଛି। ସେପଟେ IMD ଜାରି କରିଛି ରେଡ୍ ଓ୍ୱାର୍ଣ୍ଣିଂ। ପାଣିପାଗ ବିଭାଗ ଦ୍ୱାରା ଜାରି ହୋଇଥିବା ଅତ୍ୟନ୍ତ ପ୍ରବଳ ବର୍ଷାର ସତର୍କତାକୁ ଦୃଷ୍ଟିରେ ରଖି ମୁମ୍ବାଇର ସମସ୍ତ ସରକାରୀ କାର୍ଯ୍ୟାଳୟ ମଙ୍ଗଳବାର ବନ୍ଦ ରହିବ ବୋଲି ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ କହିଛି। ମୁମ୍ବାଇର ସମସ୍ତ ଘରୋଇ କମ୍ପାନୀଗୁଡ଼ିକୁ ମଧ୍ୟ ସେମାନଙ୍କ କର୍ମଚାରୀମାନଙ୍କୁ ଘରୁ କାମ କରିବାକୁ ଏବଂ ଅନାବଶ୍ୟକ ଯାତ୍ରା ଏଡାଇବାକୁ ଅନୁରୋଧ କରାଯାଇଛି। ସହର ଏବଂ ଉପକଣ୍ଠରେ ପ୍ରବଳ ବର୍ଷା ଏବଂ ଆଇଏମଡି ଦ୍ୱାରା ଜାରି ‘ରେଡ୍ ଆଲର୍ଟ’କୁ ଦୃଷ୍ଟିରେ ରଖି ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ସମସ୍ତ ସରକାରୀ ଏବଂ ଅର୍ଦ୍ଧସରକାରୀ କାର୍ଯ୍ୟାଳୟ ବନ୍ଦ ରଖିବାକୁ ମଙ୍ଗଳବାର ସକାଳେ ଏକ ବିବୃତ୍ତିରେ ଘୋଷଣା କରାଯାଇଛି। ଏହି ନିଷ୍ପତ୍ତି ଅତ୍ୟାବଶ୍ୟକୀୟ ସେବା ବ୍ୟତୀତ ସମସ୍ତ ବିଏମସି କାର୍ଯ୍ୟାଳୟ ଏବଂ ରାଜ୍ୟ ପରିଚାଳିତ ପ୍ରତିଷ୍ଠାନ ପାଇଁ ପ୍ରଯୁଜ୍ୟ ହେବ।ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଆଜି ପାଇଁ ମୁମ୍ବାଇର ସବୁ ସ୍କୁଲ, କଲେଜ, ଶିକ୍ଷାନୁଷ୍ଠାନ, ସରକାରୀ ଏବଂ ବେସରକାରୀ ଅପିସକୁ ଛୁଟି ଘୋଷଣା କରାଯାଇଛି । ଅଯଥା ବାହାରକୁ ନବାହାରିବାକୁ ପରାମର୍ଶ ଦିଆଯାଇଛି । ଘରେ ରହିବାକୁ ସମସ୍ତଙ୍କୁ ସତର୍କ କରାଯାଇଛି । ବର୍ଷାର ମାତ୍ରା ଧିରେଧିରେ ବଢୁଥିବା ବେଳେ ଆଗାମୀ ୨୧ ତାରିଖ ଯାଏଁ ଏମିତି ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |