ପୁରୀ,୨୫ା୮ :ପୁରୀ – ଭୁବନେଶ୍ବର ଜାତୀୟ ରାଜପଥକୁ ୮ ଲେନ୍ କରାଯିବ। ଏଥିପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯିବ ବୋଲି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ଜାତୀୟ ଟୁର୍ ଅପରେଟର ସଂଘ ପକ୍ଷରୁ ଆୟୋଜିତ ବାର୍ଷିକ ସମ୍ମିଳନୀର ରବିବାର ଉଦ୍ଯାପନୀ ଉତ୍ସବରେ ଯୋଗଦେଇ ମନ୍ତ୍ରୀ କହିଲେ ପୁରୀ-କୋଣାର୍କ, ପୁରୀ ସାତପଡ଼ା ଏବଂ ପିପିଲି କୋଣାର୍କ ରାଜପଥ ୪ ଲେନ୍ ବିଶିଷ୍ଟ କରାଯିବ। ଏଥିପାଇଁ ନୀତିଗତ ଭାବେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ସେହିପରି ରାଜ୍ୟରେ ଥିବା ୨୦ କୋଠରିରୁ ଅଧିକ ହୋଟେଲଗୁଡ଼ିକରେ ମଦ ବାର୍ ଖୋଲିବା ପାଇଁ ଅନୁମତି ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି। ଏଥିପାଇଁ ଖୁବ୍ଶୀଘ୍ର ଆନୁଷ୍ଠାନିକ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ। ଆଧ୍ୟାତ୍ମିକ ଓ ଐତିହ୍ୟ ପର୍ଯ୍ୟଟନର ବିକାଶ ପାଇଁ ଅଧିକ ଗୁରୁତ୍ବ ଦିଆଯିବ। ଶ୍ରୀଜଗନ୍ନାଥ ମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା ଖୁବ୍ଶୀଘ୍ର ଆରମ୍ଭ କରାଯିବ। ଏହାଦ୍ବାରା ଭକ୍ତମାନେ ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କ ଦର୍ଶନ ସୁଯୋଗ ପାଇବେ। ରାଜ୍ୟରେ ଥିବା ୫୭୨ କିମି ଉପକୂଳରେ ପର୍ଯ୍ୟଟନ ଭିତ୍ତିଭୂମି ବିକାଶ କରାଯିବ। ଏଥିପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ ନିମନ୍ତେ ଏକ ବୈଷୟିକ ସଂସ୍ଥାକୁ ଦାୟିତ୍ବ ଦିଆଯାଇଛି। ଜଗନ୍ନାଥଙ୍କ ଲୀଳାକ୍ଷେତ୍ରଗୁଡ଼ିକୁ ପର୍ଯ୍ୟଟନ ତାଲିକାରେ ସାମିଲ କରାଯିବ। ସୋନାପୁର – ଗୋପାଳପୁର ବେଳାଭୂମି ନିକଟରେ ହୋଟେଲ ପ୍ରକଳ୍ପ ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଏଭଳି ଆଉ କିଛି ସ୍ଥାନ ଚିହ୍ନଟ କରାଯିବ ବୋଲି ସେ କହିଛନ୍ତି।ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଲେ ସଂରକ୍ଷିତ ଜଙ୍ଗଲରେ ପ୍ରକୃତି ସ୍ବାସ୍ଥ୍ୟ ରିସର୍ଟ ନିର୍ମାଣ ସହ ପରିବେଶଭିତ୍ତିକ ପର୍ଯ୍ୟଟନର ବିକାଶ କରାଗଲେ ତାହା ଅଧିକ ଆକର୍ଷଣୀୟ ହେବ। ପୁରୀ ସମୁଦ୍ରକୂଳ ନିକଟରେ ଥିବା ଗୁରୁ ନାନକଙ୍କ ବାଉଳି ମଠର ପୁନରୁଦ୍ଧାର କରାଯିବ। ହିନ୍ଦୁ ଓ ବୁଦ୍ଧିଷ୍ଟ ସର୍କିଟ୍ ସମେତ ଶକ୍ତିପୀଠଗୁଡ଼ିକର ଆବଶ୍ୟକ ବିକାଶ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଭାରତୀୟ ଟୁର୍ ଅପରେଟର ସଂଘ ଜାତୀୟ ସଭାପତି ରବି ଗୋସାଇଁ ସଭାରେ ଅଧ୍ୟକ୍ଷତା କରିଥିଲେ। ୨୦୩୦ ସୁଦ୍ଧା ଓଡ଼ିଶାକୁ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ଯେପରି ବୃଦ୍ଧି ପାଇବ ତାହାକୁ ଦୃଷ୍ଟିରେ ରଖି ଯୋଜନା ପ୍ରସ୍ତୁତ କରାଯିବାକୁ ସେ ପରାମର୍ଶ ଦେଇଥିଲେ। ପୂର୍ବାଞ୍ଚଳ ସଭାପତି ଜିତେନ୍ଦ୍ର କୁମାର ମହାନ୍ତି କହିଲେ ପୁରୀରେ ସ୍ବଚ୍ଛତା, ନିରାପତ୍ତା ଓ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ପ୍ରତି ଦୃଷ୍ଟି ଦିଆଗଲେ ପର୍ଯ୍ୟଟକ ସୁଖଦ ଅନୁଭୂତି ନେଇ ଫେରିବେ। ଉପସଭାପତି ସଞ୍ଜୟ ରାଜନ୍ ପର୍ଯ୍ୟଟନର ଅଭିବୃଦ୍ଧି ଦ୍ବାରା ନିଯୁକ୍ତି ସୁଯୋଗ ସୃଷ୍ଟି ହେବାସହ ଦେଶର ଆର୍ଥିକ ଅଭିବୃଦ୍ଧି ହେବ ବୋଲି ମତ ଦେଇଥିଲେ। ସଂଘର ରାଜ୍ୟ ଶାଖା ସଭାପତି ଗଗନ ଷଡ଼ଙ୍ଗୀ ଧନ୍ୟବାଦ ଦେଇଥିଲେ। ଚାରିଦିନ ଧରି ସ୍ବସ୍ତି ବିଚ୍ ହୋଟେଲରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ପର୍ଯ୍ୟଟନ ସଚିବ ବଲୱନ୍ତ ସିଂହ ଶନିବାର ଅତିଥି ଭାବେ ଯୋଗଦେଇ ପର୍ଯ୍ୟଟନର ବିକାଶ ପାଇଁ ରାଜ୍ୟ ସରକାର ଗ୍ରହଣ କରୁଥିବା ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |