ବାଲେଶ୍ୱର ,୨୫।୮: ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଉତ୍ତର ଓଡ଼ିଶାରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି।ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା ଓ ବୈତରଣୀ । ଆସନ୍ତାକାଲି ବିପଦ ସଂକେତ ତଳକୁ ଖସିବ ବନ୍ୟାଜଳ । ମାତ୍ର ଯାମସୋଲାଘାଟରେ ଲଗାଣ ବର୍ଷା ଯୋଗୁଁ ରାଜଘାଟଠାରେ ସୁବର୍ଣ୍ଣରେଖା ବଢିବ । ଏନେଇ ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ ସୂଚନା ଦେଇଛନ୍ତି ।ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା ଓ ବୈତରଣୀ ନଦୀଜଳ ପ୍ରବାହିତ ହେଉଥିବାବେଳେ ଜଳକା ଜଳସ୍ତର ବଢ଼ୁଛି। ଏଭଳିସ୍ଥଳେ ଆସନ୍ତା ୪୮ ଘଣ୍ଟାରେ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳର ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା ୨୫ରୁ ୨୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବାକୁ ଥିବାବେଳେ କିଛି ସ୍ଥାନରେ ପ୍ରବଳ ଓ ଅତିପ୍ରବଳ ବର୍ଷା ହୋଇପାରେ, ଫଳରେ ଉତ୍ତର ଓ ଉପକୂଳ ଓଡ଼ିଶାରେ ବନ୍ୟା ସ୍ଥିତି ଗମ୍ଭୀର ହୋଇପାରେ। ଅନ୍ୟପକ୍ଷରେ ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରର ରବିବାର ସନ୍ଧ୍ୟା ସୁଦ୍ଧା ୧୨ ସ୍ଲୁଇସ୍ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଛି। ଏଭଳିସ୍ଥଳେ ତଳମୁଣ୍ଡରେ ବର୍ଷା ଲାଗିରହିଲେ ବ୍ୟାପକ ଅଞ୍ଚଳ ଜଳାର୍ଣ୍ଣବ ହୋଇପାରେ ବୋଲି ଅନୁମାନ କରାଯାଉଛି।ବାଲେଶ୍ୱର ଜିଲା ଦେଇ ପ୍ରବାହିତ ସୁବର୍ଣ୍ଣରେଖା ନଦୀରେ ଚଳିତବର୍ଷ ଷଷ୍ଠଥର ପାଇଁ ବନ୍ୟା ଆସିଥିବାରୁ ବାଲିଆପାଳ, ଜଳେଶ୍ୱର, ଭୋଗରାଇ ସମେତ ବସ୍ତା ବ୍ଲକର ବହୁ ପଞ୍ଚାୟତରେ ପରିସ୍ଥିତି ଦୟନୀୟ ହୋଇପଡ଼ିଛି। ଅପରପକ୍ଷରେ ଜଳକା ନଦୀର ଜଳସ୍ତର ବୃଦ୍ଧି ପାଉଥିବାରୁ ପୁଣି ବନ୍ୟା ଆଶଙ୍କା ଦେଖାଦେଇଛି। ଫଳରେ ନଦୀ ତଟବର୍ତ୍ତୀ ପଞ୍ଚାୟତବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ରାଜଘାଟଠାରେ ସୁବର୍ଣ୍ଣରେଖା ନଦୀର ବିପଦ ସଙ୍କେତ ୧୦.୩୬ ମିଟର ଓ ସତର୍କ ସଙ୍କେତ ୯.୪୫ ମିଟର ଥିବାବେଳେ ରବିବାର ଅପରାହ୍ନ ୫ଟା ସୁଦ୍ଧା ୧୧.୧୮ ମିଟର ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହୋଇଥିବା ଦେଖିବାକୁ ମିଳିଥିଲା। ବସ୍ତା ବ୍ଲକ ମଥାନୀଠାରେ ଜଳକା ନଦୀର ବିପଦ ସଙ୍କେତ ୬.୫୦ ମିଟର. ଓ ସତର୍କ ସଙ୍କେତ ୬ ମିଟର ଥିବାବେଳେ ରବିବାର ଅପରାହ୍ନ ୩ଟା ସୁଦ୍ଧା ୫.୩୪ ମିଟର ଉଚ୍ଚରେ ଜଳ ପ୍ରବାହିତ ହେଉଥିଲା।ସେପଟେ ବର୍ତ୍ତମାନ ହୀରାକୁଦରେ ୧୨ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି । ୨.୧୧ ଲକ୍ଷ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୨.୨୨ ଲକ୍ଷ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ରେଙ୍ଗାଲିର ଦୁଇଟି ଗେଟ୍ ଖୋଲା ଅଛି । ଆବଶ୍ୟକ ପଡିଲେ ରେଙ୍ଗାଳିର ଆଉ ଗୋଟିଏ ଗେଟ୍ ଖୋଲା ହେବ । ଗତକାଲି ସୁବର୍ଣ୍ଣରେଖା ବେସିନରେ ୧୭.୬୩ ମିମି ବର୍ଷା ହୋଇଛି । ଅନ୍ୟ କେଉଁଠି ୧୦ ମିମିରୁ ଅଧିକ ବର୍ଷା ହୋଇନଥିବାରୁ ଆଉ କେଉଁ ନଦୀରେ ବନ୍ୟା ନାହିଁ। ସୁବର୍ଣ୍ଣରେଖା ଯୋଗୁଁ ବାଲେଶ୍ୱର ଜିଲ୍ଲାର ଭୋଗରାଇ, ବସ୍ତା, ବାଲିଆପାଳ ପ୍ରଭାବିତ ହୋଇଛି । ବୈତରଣୀ ଯୋଗୁଁ ଯାଜପୁର ବ୍ଲକ, ଦଶରଥପୁର ଓ ଭଦ୍ରକ ଜିଲ୍ଲାର ଧାମନଗର ପ୍ରଭାବିତ ହୋଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |