ଭୁବନେଶ୍ୱର, ୨୫/୦୮:ରାଜ୍ୟରେ ନିୟନ୍ତ୍ରଣରେ ରହିଛି ବନ୍ୟା ସ୍ଥିତି ।ରାଜ୍ୟରେ ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କର ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସେ କହିଛନ୍ତି ଯେ, ବ୍ରାହ୍ମଣୀ ସତର୍କ ସଂକେତ ଉପରେ, ଆଖୁଆପଦାରେ ବୈତରଣୀ ସ୍ଥିର ଅଛି । ଆଗକୁ ବିଭିନ୍ନ ନଦୀରେ ଜଳସ୍ତର ଆହୁରି ଖସିବ । ପ୍ରଭାବିତ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଚାଲିଛି । କ୍ଷୟକ୍ଷତି ଆକଳନ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ପାଣି ଛାଡୁ ଛାଡୁ କ୍ଷତିପୂରଣ ମିଳିବ । ବନ୍ୟା ସ୍ଥିତିକୁ ନେଇ ଏହି ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।ସେ ଆହୁରି କହିଛନ୍ତି ଯେ, ରାଜଘାଟ, ମଥାନିରେ ସୁବର୍ଣ୍ଣରେଖା ସାମାନ୍ୟ ବିପଦ ସଂକେତ ଉପରେ ଅଛି । ଯାଜପୁରର ସର୍ବାଧିକ ୪୬ ଗାଁ, ୧୪ ପଞ୍ଚାୟତ ପ୍ରଭାବିତ ହୋଇଛି । ସମସ୍ତ ସେବା ଯୋଗାଇବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।ସାପ ବିପଦକୁ ନେଇ ରାଜସ୍ୱ ମନ୍ତ୍ରୀ କହିଛନ୍ତି ଯେ, ବନ୍ୟାରେ ମୃତାହତ ଖବର ନାହିଁ, ହେଲେ ବେଶୀ ସମୟ ପାଣିରେ ରୁହନ୍ତୁ ନାହିଁ । କାରଣ ସାପ ବିପଦ ଅଛି । ଆଶ୍ରୟସ୍ଥଳୀକୁ ଆସନ୍ତୁ । ପୋଲିସକୁ ଘର ଜଗିବାକୁ ନିର୍ଦ୍ଦେଶ ଦିଆଯାଇଛି ।ଚଳିତ ବର୍ଷା ଓ ବନ୍ୟାରେ ପ୍ରଭାବିତ ହୋଇଛି ବାଲେଶ୍ୱର, ଯାଜପୁର, ଭଦ୍ରକ, ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲା । ଯାଜପୁର ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି। ଯାଜପୁର ଜିଲ୍ଲାରେ ପ୍ରଭାବିତ ହୋଇଛି ୪୬ଟି ଗାଁ ଓ ୧୪ ପଞ୍ଚାୟତ। ସେହିପରି ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ବି ପ୍ରଭାବିତ ହୋଇଛି । ଘରକୁ ଫେରିବା ଯାଏଁ ପ୍ରଶାସନ ପକ୍ଷରୁ ଆଶ୍ରୟସ୍ଥଳୀରେ ବିପନ୍ନଙ୍କୁ ମାଗଣା ରନ୍ଧା ଓ ଶୁଖିଲା ଖାଦ୍ୟ ଦିଆଯିବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |