ପୁରୀ ,୨୭।୧୦ : ଶ୍ରୀମନ୍ଦିରରେ ବଡ଼ଠାକୁରଙ୍କ ହରିହର ବେଶ ଅନୁଷ୍ଠିତ|ସୋମବାର ଶ୍ରୀମନ୍ଦିରରେ ବଡ଼ଠାକୁରଙ୍କ ହରିହର ବେଶ ଅନୁଷ୍ଠିତ ହୋଇଛି। ଅବକାଶ ନୀତି ପରେ ବଡ଼ଠାକୁରଙ୍କୁ ହରିହର ବେଶରେ ସଜ୍ଜିତ କରାଯାଇଛି। ବଡ଼ଠାକୁରଙ୍କୁ ହର ବା ଶିବ ବୋଲି ବିବେଚନା କରାଯାଉଥିବାବେଳେ ଏହି ବେଶରେ ହରି (ବିଷ୍ଣୁ) ଓ ହର (ଶିବ)ଙ୍କ ଆତ୍ମୀୟତା ପ୍ରସ୍ଫୁଟିତ ହୋଇଥାଏ। ଏହି ବେଶରେ ବଡ଼ଠାକୁର ଅର୍ଦ୍ଧେକ ଧଳା ଓ ଅର୍ଦ୍ଧେକ କଳା ଦିଶିବା ସହ ୩୨ ପ୍ରକାର ସୁବର୍ଣ୍ଣ ଅଳଙ୍କାର ପରିଧାନ କରିଛନ୍ତି।ତେବେ କାର୍ତ୍ତିକ ମାସର ଦୀପାବଳି ଅମାବାସ୍ୟା ଠାରୁ ଶୁକ୍ଳ ଦଶମୀ ମଧ୍ୟରେ ସୋମବାର ପଡ଼ିଲେ, ରତ୍ନସିଂହାସନରେ ଅଧିଷ୍ଠିତ ବଡ଼ଠାକୁରଙ୍କ ବାଡ଼ରେ ହରିହର ବେଶ ହେବାର ବିଧି ରହିଛି। ଚଳିତ ବର୍ଷ ଦୀପାବଳି ଅମାବାସ୍ୟା ପରେ ଆଜି ସୋମବାର ହୋଇଥିବାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅବକାଶ ନୀତି ପରେ ବଡ଼ଠାକୁରଙ୍କୁ ହରିହର ବେଶରେ ସଜ୍ଜିତ କରାଯାଇଛି। କିନ୍ତୁ ମହାପ୍ରଭୁ ଶ୍ରୀ ଜଗନ୍ନାଥ ରାଧାଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ପୁଷ୍ପାଳକ ସେବକ ବଡ଼ଠାକୁରଙ୍କୁ ହରିହର ବେଶରେ ଏବଂ ଶ୍ରୀଜଗନ୍ନାଥଙ୍କୁ ରାଧାଦାମୋଦର ବେଶରେ ସଜ୍ଜିତ କରିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |