ଜିଲ୍ଲାପାଳ ମାନଙ୍କୁ ୯ଟି ଟାସ୍କ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୮।୧୧:ଆଜିଠୁ ଦୁଇ ଦିନିଆ ଜିଲ୍ଲାପାଳ ଓ ଏସପି ସମ୍ମିଳନୀ ଆରମ୍ଭ ହୋଇଛି। ଲୋକସେବା ଭବନର କନଭେନସନ୍ ସେଣ୍ଟରରେ ଏହାର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ବୈଠକରେ ସମସ୍ତ ଜିଲ୍ଲାପାଳ ଏବଂ ଏସପି ଉପସ୍ଥିତ ରହିଛନ୍ତି। ସରକାରୀ ଯୋଜନା କେତେ ଦୂର ଗ୍ରାଉଣ୍ଡରେ କାର୍ଯ୍ୟକାରୀ ହେଉଛି। କେଉଁ ବିଭାଗର କେଉଁ କାର୍ଯ୍ୟକ୍ରମ, କେତେ ଲୋକଙ୍କ ପାଖରେ ପହଞ୍ଚିଛି। ସେନେଇ ଦୁଇ ଦିନ ଧରି ଚାଲିଛି ବିଚାର ବିମର୍ଶ। ଏହାସହ ଆଇନ ଶୃଙ୍ଖଳା ସ୍ଥିତି ନେଇ ମଧ୍ୟ ହେଉଛି ଆଲୋଚନା।ଆଜି ଉଦଘାଟନୀ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବୋଧିତ କରିବା ସହ ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ଲକ୍ଷ୍ୟରେ ବିଭିନ୍ନ ପରାମର୍ଶ ଦେଇଛନ୍ତି। ୨୦୨୭ ସୁଦ୍ଧା ପାଣି, ରାସ୍ତା ଓ ବିଦ୍ୟୁତ ସଂଯୋଗ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ଦେଇଥିବା ୯ଟି ଟାସ୍କରେ ରହିଛି:-

•    ଦୁର୍ନୀତି ହଟାଅ, ସଚ୍ଚୋଟତା ଓ ସାଧୁତା ରଖିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ଦୁର୍ନୀତିରେ ସରକାର ବଦନାମ ହେଲେ ବରଦାସ୍ତ କରାଯିବନି ବୋଲି କହିଛନ୍ତି।
•    ଅଧିକ ଫିଲଡ଼ ଭିଜିଟ କର, କେବଳ ଅଫିସରେ ଶୀତତାପ ନିୟନ୍ତ୍ରିତ ରୁମରେ ନ ବସି ଲୋକଙ୍କ ପାଖକୁ ଯାଅ। ତୃଣମୂଳ ସ୍ତରରେ କାମ କରନ୍ତୁ।
•    ଶାସନ ପ୍ରଶାସନରେ ଟେକ୍ନୋଲୋଜିର ବ୍ୟବହାର କରନ୍ତୁ। ରିୟଲ ଟାଇମ ଡାଟା ବ୍ୟବହାର କରି ସମସ୍ୟାର ସମାଧାନ କରନ୍ତୁ।
•    ସାଧାରଣ ଲୋକଙ୍କ ସମସ୍ୟା ସମାଧାନ କରିବାକୁ ଅଭିଯୋଗ ଶୁଣାଣିକୁ ପ୍ରାଧାନ୍ୟ ଦିଅନ୍ତୁ ଓ ଜିଲ୍ଲା ସ୍ତରରେ ଲୋକଙ୍କ ଅଭିଯୋଗ ଶୁଣିବାକୁ ଜିଲ୍ଲାପାମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ରହିଛି।
•    ଓଡ଼ିଆ ଅସ୍ମିତାର ସୁରକ୍ଷା, ପ୍ରଶାସନିକ ସ୍ତରରେ ଓଡିଆ ଭାଷାର ବହୁଳ ବ୍ୟବହାର କରନ୍ତୁ। ସରକାରୀ ନୋଟିସ ଓ ଵିଜ୍ଞାପନ ଓଡିଆ ଭାଷାରେ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
•    ଲୋକଙ୍କ ପାଖକୁ ସହଜରେ ସରକାରୀ କାମର ସଫଳତା ପହଞ୍ଚାଇବା ପାଇଁ ସୋସିଆଲ ମିଡ଼ିଆ ଜରିଆରେ ସରକାରଙ୍କ କାମର ପ୍ରଚାର ଓ ସରକାରୀ ସୂଚନା ବ୍ୟାପକ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
•    ଆଉଟସୋର୍ସିଙ୍ଗ କମାଇବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟସ୍ତରରେ pmu ଏବଂ ଜିଲ୍ଲା ସ୍ତରରେ ଆଉଟ ସୋର୍ସ କରାଯାଉଛି, ଏ ଅଭ୍ୟାସକୁ ସମୀକ୍ଷା କରି ଛାଡ଼ନ୍ତୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
•    ସରକାରୀ କାର୍ଯ୍ୟାଳୟକୁ ଆସୁଥିବା ନିର୍ବାଚିତ ପ୍ରତିନିଧିଙ୍କୁ ସମ୍ମାନ ଦେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି।
•    ଗାଦି ମଡ଼ା ବାବୁଙ୍କୁ ଚିହ୍ନଟ କରି ତୁରନ୍ତ ଅନ୍ୟତ୍ର ବଦଳାଇବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି।

ଜିଲ୍ଲାପାଳ ସମ୍ମିଳନୀରେ ବାଲି ଚୋରି ଏବଂ ଚୋରା ମଦ କାରବାର ରୋକିବାକୁ ମୁଖ୍ୟମନ୍ତ୍ରୀଙ୍କ କଡା ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ବାଲି ଓ ମଦ ଚୋରା ଚାଲାଣ ରୋକିବା ପାଇଁ ସଠିକ୍ ପଦକ୍ଷେପ ନେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ, ବାଲି ମାଫିଆକୁ ସାବାଡ଼ କର, ଚୋରା ମଦ କାରବାର ରୋକ। ଦରକାର ପଡିଲେ ଡ୍ରୋନର ସାହାଯ୍ୟ ନିଅ। ରାଜ୍ୟରେ ଲଘୁ ଖଣିଜ ଚୋରା ଚାଲାଣ ହେଉଛି। ତେଣୁ ମାଫିଆଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବା ଦରକାର। ଅଧିକାରୀ ମାନଙ୍କୁ କ୍ଷମତା ଦିଆଯାଇଛି। ଦୃଢ଼ ଆକ୍ସନ ନିଅନ୍ତୁ। କୌଣସି ରାଜନୈତିକ ଚାପର ବଶବର୍ତ୍ତୀ ହୁଅନ୍ତୁ ନାହିଁ। ଆବଶ୍ୟକ ହେଲେ ଡ୍ରୋନର ବ୍ୟବହାର କରନ୍ତୁ। ସେହିପରି ଚୋରା ମଦ କାରବାର ରୋକିବା ପାଇଁ ନିୟମିତ ଚଢ଼ାଉ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଚୋରା ମଦ ଭାଇରସକୁ ମୂଳ ପୋଛ କରନ୍ତୁ। ଯଦି ଚୋରା ମଦ କାରବାର ପାଇଁ କୌଣସି ଘଟଣା ଘଟେ ତାହେଲେ ସମ୍ପୃକ୍ତ ଅଧିକାରୀ ଦାୟୀ ରହିବେ ଏବଂ ସରକାର କଡା କାର୍ଯ୍ୟନୁଷ୍ଠାନ ନେବେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!