ନୂଆଦିଲ୍ଲୀ,୧୫ା୧: ଇରାନର ପରିସ୍ଥିତି ସଙ୍କଟଜନକ ହେବାରେ ଲାଗିଛି। ଆନ୍ଦୋଳନକାରୀମାନେ ଇରାନ ଶାସନ ବିରୋଧରେ ପ୍ରଦର୍ଶନ କରୁଥିବା ବେଳେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଶ ଉପରେ ଆକ୍ରମଣ କରିବା କଥା କହୁଛନ୍ତି। ଫଳରେ ମଧ୍ୟପ୍ରାଚ୍ୟ ପୁଣି ଥରେ ଅଶାନ୍ତ ହୋଇପଡ଼ିଛି। ଇରାନର ଆକାଶପଥ ବନ୍ଦ କରିଦିଆଯାଇଛି। ପରିସ୍ଥିତି ଖରାପ ହେବା ମଧ୍ୟରେ, ଇରାନରେ ପଢୁଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ପରିବାର ସେମାନଙ୍କ ସୁରକ୍ଷା ବିଷୟରେ ଚିନ୍ତିତ ପଡ଼ିଛନ୍ତି। ସେମାନଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରିବା ପାଇଁ ପରିବାର ସଦସ୍ୟମାନେ ସହାୟତା ଲାଗି କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି।ଅଶାନ୍ତ ମଧ୍ୟପ୍ରାଚ୍ୟ ଦେଶ ଇରାନରେ ପଢୁଥିବା କାଶ୍ମୀର ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାରଙ୍କୁ ସେମାନଙ୍କ ପିଲାମାନଙ୍କୁ ଫେରାଇ ଆଣିବା ପାଇଁ ନିବେଦନ କରିଛନ୍ତି। ଇରାନରେ ବର୍ତ୍ତମାନ ପରିସ୍ଥିତି ମଧ୍ୟରେ ସେଠାରେ ରହୁଥିବା ଭାରତୀୟ ନାଗରିକଙ୍କ ପାଇଁ ଚିନ୍ତା ବଢିଛି । ରିପୋର୍ଟ ଅନୁଯାୟୀ ପ୍ରାୟ ୧୦ହଜାରରୁ ୧୨ହଜାର ଭାରତୀୟ ବଂଶୋଦ୍ଭବ ଲୋକ ବର୍ତ୍ତମାନ ଇରାନରେ ରହିଛନ୍ତି । ସେମାନଙ୍କ ମଧ୍ୟରେ ଅଧିକାଂଶ ଛାତ୍ର ରହିଛନ୍ତି । ବିଶେଷ କରି ୨ହଜାରରୁ ୩ହଜାର କାଶ୍ମୀର ଛାତ୍ର ଡାକ୍ତରୀ ପାଠ ପଢିବା ପାଇଁ ଇରାନରେ ରହୁଛନ୍ତି । ଜମ୍ମୁ ଏବଂ କାଶ୍ମୀର ଛାତ୍ର ସଂଘ ଛାତ୍ରମାନଙ୍କ ସୁରକ୍ଷା ବିଷୟରେ ଗମ୍ଭୀର ଚିନ୍ତା ପ୍ରକାଶ କରିଛି । ସଂଗଠନ କହିଛି ଯେ ଅନେକ ଅଞ୍ଚଳରେ ବାରମ୍ବାର ଇଣ୍ଟରନେଟ୍ ବିଭ୍ରାଟ ଏବଂ ହିଂସାତ୍ମକ ପ୍ରତିବାଦ ଛାତ୍ରମାନଙ୍କ ସହିତ ଯୋଗାଯୋଗ କରିବା ଅତ୍ୟନ୍ତ କଷ୍ଟକର କରିଦେଇଛି । ଏହି ପରିସ୍ଥିତି ଭାରତରେ ରହୁଥିବା ସେମାନଙ୍କ ପରିବାର ମଧ୍ୟରେ ଚିନ୍ତା ବଢାଇଛି । ଜେକେଏସଏ ଭାରତ ସରକାର ଏବଂ ପ୍ରାସଙ୍ଗିକ କର୍ତ୍ତୃପକ୍ଷଙ୍କୁ ଇରାନରେ ଫସି ରହିଥିବା ଛାତ୍ରମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ଏବଂ ପରିସ୍ଥିତି ଉପରେ ନିରନ୍ତର ନଜର ରଖିବାକୁ ଅନୁରୋଧ କରିଛି ଯାହା ଦ୍ୱାରା ଯେକୌଣସି ଜରୁରୀକାଳୀନ ପରିସ୍ଥିତିରେ ସମୟୋଚିତ ସହାୟତା ଯୋଗାଇ ଦିଆଯାଇପାରେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |