ସୁନ୍ଦରଗଡ଼,୧୫ା୧ : ସୁନ୍ଦରଗଡ଼ରେ ଗୋଷ୍ଠୀ ସଂଘର୍ଷ ଘଟଣାରେ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ । ସମ୍ପୂର୍ଣ୍ଣ ସହରରେ BNSର ଧାରା ୧୬୩ ବଳବତ୍ତର । ସୁନ୍ଦରଗଡ଼ ଟାଉନ୍ ଥାନା ରିଜେଣ୍ଟ ମାର୍କେଟରେ ଗୋଷ୍ଠୀ ସଂଘର୍ଷ । ଗୋମାଂସ ବିକ୍ରିକୁ ନେଇ ଏହି ଉତ୍ତେଜନା ହୋଇଥିବା ସୂଚନା ରହିଛି । ତେବେ ଗୋଷ୍ଠୀ ସଂଘର୍ଷ ପରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ପାରିପାର୍ଶ୍ବିକ ସ୍ଥିତିକୁ ଦେଖି BNS ୧୬୩ ଜାରି କରାଯାଇଛି । ପଶ୍ଚିମଞ୍ଚଳ ଡିଆଇଜି ବ୍ରିଜେଶ ରାୟ,ଏସପି ଅମ୍ରିତ ପାଲ କୌର, ଅତିରିକ୍ତ ଏସପି, ଡିଏସପି, ସମସ୍ତ ଥାନାର ଅଧିକାରୀ, ଅତିରିକ୍ତ ଜିଲ୍ଲାପାଳ ଅଭିମନ୍ୟୁ ମାଝୀ, ସୂରଜ କୁମାର ପଟ୍ଟନାୟକ, ସଦର ଉପଜିଲ୍ଲାପାଳ ତେଜସ୍ବିନୀ ବେହେରାଙ୍କ ସମେତ ସ୍ବତନ୍ତ୍ର ମାଜିଷ୍ଟ୍ରେଟଙ୍କ ସହ ୧୦ପ୍ଲାଟୁନ ପୋଲିସ ଫୋର୍ସ ମୂତୟନ ହୋଇଛନ୍ତି । ତେବେ ସଂଘର୍ଷ ବେଳେ ଏକ କାର୍, ସ୍କୁଟି ଏବଂ ଏକ ପିକଅପ ଭ୍ୟାନ ପୋଡି ଦେଇଥିବା ଜଣାପଡ଼ିଛି ।ଘଟଣା ଘଟିଥିବା ରିଜେଣ୍ଟ ମାର୍କେଟ ସମେତ ସହର ବିଭିନ୍ନ ସମ୍ବେଦନଶୀଳ ସ୍ଥାନ, ବସଷ୍ଟାଣ୍ଡ, ମାର୍କେଟ ଓ ବିଭିନ୍ନ ଛକର ବ୍ୟାପକ ପୋଲିସ ରହିଛନ୍ତି । ପରିସ୍ଥିତି ଉପରେ ପ୍ରଶାସନ ନଜର ରଖିଛି । ଅପରାହ୍ନ ୫ଟାରୁ ସୁନ୍ଦରଗଡ ସହରରେ BNS ୧୬୩ ଜାରି ହୋଇଛି। ପରିସ୍ଥିତି ନିୟନ୍ତ୍ରଣାଧୀନ ଥିବା ଡିଆଇଜି ଗଣମାଧ୍ୟମକୁ କହିବା ସହ ସୁନ୍ଦରଗଡ ସହରରେ ସ୍ବାଭାବିକ ପରିସ୍ଥିତି ଫେରାଇ ଆଣିବାକୁ ନିବେଦନ କରିଛନ୍ତି । ଏନେଇ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି । ସହରରେ ସମସ୍ତ ଦୋକାନ ବଜାର ଗୁଡିକୁ ବନ୍ଦ କରିବାକୁ ଡାକବାଜୀ ଯନ୍ତ୍ର ଜରିଆରେ ନିବେଦନ କରାଯାଇଛି । କୌଣସି ସ୍ଥାନରେ ୫ଜଣରୁ ଅଧିକ ଏକାଠି ନହେବାକୁ ଅନୁରୋଧ କରାଯାଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |