ଭୁବନେଶ୍ୱର,୧୫।୧: ବିଜେଡିର ବଡ଼ କାର୍ଯ୍ୟାନୁଷ୍ଠାନ। ଦଳ ବିରୋଧି କାର୍ଯ୍ୟ ଯୋଗୁ ୨ ବିଧାୟକଙ୍କୁ ସସ୍ପେଣ୍ଡ (ନିଲମ୍ବନ) କଲେ ସୁପ୍ରିମୋ ନବୀନ। ସେମାନେ ହେଲେ ବିଧାୟକ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ର।ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ବିଦା ହେଲେ ଦୁଇ ବିଧାୟକ । ଦୁଇ ବିଧାୟକଙ୍କୁ ଦଳରୁ ନିଲମ୍ବନ କଲେ ବିଜୁ ଜନତା ଦଳ ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ଓ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ନିଲମ୍ବନ କଲେ ନବୀନ । ଗତକଲି ସନାତନ କେନ୍ଦୁଝରର ଏକ ସଭାରେ କହିଥିଲେ ଯେ, ନବୀନ କେନ୍ଦୁଝର ପାଇଁ କିଛି କରି ନାହାନ୍ତି । କେନ୍ଦୁଝରର ନେତା ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ପାଇଁ ବିକାଶ କରିବେ । ଯାହାକୁ ନେଇ ସନାଙ୍କୁ ଦଳରୁ ନିଲମ୍ବନ କରିଛନ୍ତି ନବୀନ ।କିନ୍ତୁ ଅରବିନ୍ଦଙ୍କୁ ନିଲମ୍ବନ କରିବା ପଛରେ କୌଣସି ପ୍ରମୁଖ କାରଣ ସାମ୍ନାକୁ ଆସିନାହିଁ । କିନ୍ତୁ ବିଜେଡି ଭିତିରି ମହଲରୁ ମିଳିଥିବା ଖବର ଅନୁସାରେ ଅରବିନ୍ଦଙ୍କ ନିଲମ୍ବନ ପଛରେ ଅଧା ଡଜନରୁ ଅଧିକ କାରଣ ରହିଛି । ସେଥିରୁ ପ୍ରମୁଖ କାରଣ ଅନୁସାରେ, କିଛିଦିନ ତଳେ ନିଜ ନିର୍ବାଚନ ମଣ୍ଡଳୀରେ ଏକ ବୈଠକ କରିଥିଲେ ଅରବିନ୍ଦ । ଯେଉଁଥିରେ ଦଳ ମୁଖିଆଙ୍କ ନାମ ଓ ଫଟୋ ନଥିଲା । ବିଧାନସଭା ଭିତରେ ନିଜ ଦଳର ବିଧାୟକଙ୍କ ବିରୋଧରେ ପ୍ରଶ୍ନ କରିଥିଲେ ଅରବିନ୍ଦ । ସେ ଆସନ୍ତା କିଛିଦିନ ଭିତରେ ଏକ ଗୁପ୍ତ ବୈଠକ ପାଇଁ ଦିଲ୍ଲୀ ଯିବା ପାଇଁ ଯୋଜନା କରୁଥିଲେ । ଶେଷ ଓ ଗୁରୁତ୍ୱପୂର୍ଣ୍ଣ କାରଣ ଅନୁସାରେ ଅରବିନ୍ଦ ମୁଖ୍ୟମନ୍ତ୍ରୀଙ୍କୁ ବିଳମ୍ବିତ ରାତିରେ ଭେଟିଥିବା ନେଇ ଚର୍ଚ୍ଚା ହୋଇଥିଲା ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |