ପୁରୀ ,୨୭।୧: ଆସନ୍ତା ୩ ତାରିଖରେ ପୁରୀ ଆସିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ମଙ୍ଗଳବାର ବସିବ ଛତିଶା ନିଯୋଗର ଗୁରୁତ୍ବପୂର୍ଣ୍ଣ ବୈଠକ । ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶ୍ରୀମନ୍ଦିର ଦର୍ଶନ ନେଇ ଆଲୋଚନା ହେବ । ଅପରାହ୍ନ ୪ଟା ୩୦ରେ ବସିବ ବୈଠକ । ବୈଠକରେ ଜିଲ୍ଲାପାଳ, ଏସ୍ପି, ଛତିଶା ନିଯୋଗ ସେବାୟତ ପ୍ରତିନିଧିଙ୍କ ସହ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ ।ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆସନ୍ତା ଫେବ୍ରୁଆରୀ ୩ ତାରିଖରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ପରିବାର ସହ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବେ । ଏନେଇ ରାଷ୍ଟ୍ରପତିଙ୍କ ଗସ୍ତର ସୂଚନା ପୁରୀ ଜିଲ୍ଲା ପ୍ରଶାସନ ନିକଟକୁ ଆସିବା ପରେ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି । ରାଷ୍ଟ୍ରପତିଙ୍କୁ କିଭଳି ସ୍ବାଗତ କରାଯିବ ଏବଂ କଡ଼ା ସୁରକ୍ଷା ବ୍ୟବସ୍ଥା ରହିବ ସେନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସ୍ପି ଏବଂ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ସମୀକ୍ଷା କରିଛନ୍ତି ।ତେବେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ସୂଚନା ଅନୁସାରେ ଆସନ୍ତା ଫେବ୍ରୁଆରୀ ୩ ତାରିଖରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଥମେ ପଞ୍ଚତୀର୍ଥ ପୁଷ୍କରିଣୀ ଶ୍ବେତଗଙ୍ଗାକୁ ଯିବେ । ସେଠାରେ ପିଣ୍ଡଦାନ କରିବାର କାର୍ଯ୍ୟକ୍ରମ ଥିବାବେଳେ ସେଠାରେ ଏନେଇ ସମସ୍ତ ପ୍ରସ୍ତୁତି ସଠିକ୍ ଭାବେ ହୋଇପାରିବ ସେନେଇ ଶ୍ବେତଗଙ୍ଗା ପୁଷ୍କରିଣୀକୁ ଯାଇ ଅନୁଧ୍ୟାନ କରିଥିଲେ ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ ଓ ଏସ୍ପି । ଶ୍ବେତଗଙ୍ଗା ପୁଷ୍କରିଣୀରେ ସ୍ବଚ୍ଛତା, ପୁଷ୍କରିଣୀର ଚତୁଃପାର୍ଶ୍ଵରେ ରଙ୍ଗ କାର୍ଯ୍ୟ, ରାସ୍ତାଘାଟର ମରାମତି କାର୍ଯ୍ୟ ଶୀଘ୍ର ଶେଷ କରିବା ପାଇଁ ନିଷ୍ପତ୍ତି ହୋଇଛି ।ଶ୍ବେତଗଙ୍ଗାରେ ରାଷ୍ଟ୍ରପତି ପିଣ୍ଡଦାନ କାର୍ଯ୍ୟ ସାରିବା ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ । ତେବେ ସିଂହଦ୍ଵାର ନିକଟରେ ରାଷ୍ଟ୍ରପତିଙ୍କୁ ସ୍ବାଗତ କରାଯାଇ ଗର୍ଭଗୃହରେ ମହାପ୍ରଭୁଙ୍କ ଦର୍ଶନ କରିବେ ମହାମହିମ । ରାଷ୍ଟ୍ରପତିଙ୍କୁ ଉପହାର ସ୍ବରୂପ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ଖଣ୍ଡୁଆ, ମହାପ୍ରସାଦ ଉପହାର ସ୍ବରୂପ ପ୍ରଦାନ କରାଯିବ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |