ନବରଙ୍ଗପୁର(ପ୍ରିୟଦର୍ଶିନୀ ପାତ୍ର) : ଡାବୁଗାଁ ବ୍ଲକ ଚଚରାଗୁଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାଣୁଆଗୁଡ଼ା ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ବିଦ୍ୟାଧର ମାଝୀଙ୍କ ଅକାଳ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଶିକ୍ଷକ ବିଦ୍ୟାଧର ମାଝୀ ସକାଳ ପ୍ରାୟ ୧୦ଟା ସମୟରେ ବିଦ୍ୟାଳୟକୁ ଯାଇ ଉପସ୍ଥାନ ଖାତାରେ ଦସ୍ତଖତ କରିଥିଲେ। ଅସୁସ୍ଥତା ଅନୁଭବ କରିବାରୁ ସେ ପ୍ରଧାନ ଶିକ୍ଷକଙ୍କ ନିକଟରେ ଛୁଟି ପାଇଁ ଦରଖାସ୍ତ ଦେବା ସହ HRMS ପୋର୍ଟାଲରେ ମଧ୍ୟ ଛୁଟି ପାଇଁ ଆବେଦନ କରିଥିଲେ।
ପରେ ସେ ଚିକିତ୍ସା ପାଇଁ ଡାବୁଗାଁ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ। ଘରକୁ ଫେରି କିଛି ସମୟ ବିଶ୍ରାମ ନେବା ପରେ ହଠାତ୍ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ପକ୍ଷରୁ ସୂଚନା ମିଳିଛି। ଏହି ଦୁଃଖଦ ଖବର ପାଇ ପରିବାର ଲୋକେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଜଣାଇଥିଲେ। ପରେ ପ୍ରଧାନ ଶିକ୍ଷକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ।
ଶିକ୍ଷକଙ୍କ ଅକାଳ ବିୟୋଗ ଖବର ପ୍ରଚାରିତ ହେବା ପରେ ଅଞ୍ଚଳର ବହୁ ଶିକ୍ଷକ, ସହକର୍ମୀ, ଛାତ୍ରଛାତ୍ରୀ ଓ ଅଞ୍ଚଳବାସୀ ତାଙ୍କର ଶେଷ ଦର୍ଶନ ପାଇଁ ତାଙ୍କ ବାସଭବନରେ ପହଞ୍ଚିଥିଲେ।
ବିଦ୍ୟାଧର ମାଝୀ ଜଣେ ପ୍ରିୟ, ଆଦର୍ଶ ଓ ମେଳାପୀ ଶିକ୍ଷକ ଭାବେ ଅଞ୍ଚଳରେ ପରିଚିତ ଥିଲେ। ତାଙ୍କ ଅକାଳ ବିୟୋଗରେ ଶିକ୍ଷକ ସମାଜ, ଛାତ୍ରଛାତ୍ରୀ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଗଭୀର ଶୋକ ପ୍ରକାଶ ପାଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀ ମଧ୍ୟ ଏହି ଦୁଃଖଦ ଘଟଣାରେ ଗଭୀର ସମବେଦନା ପ୍ରକାଶ କରି ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି।
ତାଙ୍କ ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରକୁ ଏହି ଦୁଃଖଦ ସମୟରେ ଧୈର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ ବୋଲି ଅଞ୍ଚଳବାସୀ ପ୍ରାର୍ଥନା କରିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!