ନୂଆଦିଲ୍ଲୀ,୨୯।୮ : ଘରୋଇ ରନ୍ଧନ ଗ୍ୟାସ ସିଲିଣ୍ଡର (ଏଲପିଜି ମୂଲ୍ୟ)କୁ ୨୦୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ କରିଛନ୍ତି ସରକାର । ଘରୋଇ ରନ୍ଧନ ଗ୍ୟାସ ସିଲିଣ୍ଡର ଉପରେ ୨୦୦ଟଙ୍କା ସବସିଡି ଘୋଷଣା କରିଛନ୍ତି । ବର୍ଷକୁ ୧୨ଟି ପର୍ଯ୍ୟନ୍ତ ସିଲିଣ୍ଡର ଉପରେ ମିଳିବ ୨ଶହ ଟଙ୍କା ଲେଖାଏଁ ସବସିଡି। ସରକାର ଆଜି ରନ୍ଧନ ଗ୍ୟାସର ମୂଲ୍ୟରେ ଉଲ୍ଲେଖନୀୟ ହ୍ରାସ ଘୋଷଣା କରିଛନ୍ତି। ୩୦.୦୮.୨୦୨୩ ରୁ ଦେଶର ସମସ୍ତ ବଜାରରେ ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ ୨୦୦ ଟଙ୍କା ହ୍ରାସ ପାଇବ। ଉଦାହରଣ ସ୍ୱରୂପ, ଦିଲ୍ଲୀରେ ଏହି ନିଷ୍ପତ୍ତି ଦ୍ୱାରା ୧୪.୨ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟ ବର୍ତ୍ତମାନର ସିଲିଣ୍ଡର ପିଛା ୧୧୦୩ ଟଙ୍କାରୁ ଅଧିକ ଶସ୍ତା ହୋଇ ୯୦୩ ଟଙ୍କାକୁ ହ୍ରାସ ପାଇବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ରକ୍ଷାବନ୍ଧନ ଅବସରରେ ଦେଶର କୋଟି କୋଟି ଭଉଣୀଙ୍କୁ ଏହା ଏକ ଉପହାର। ଲୋକଙ୍କ ଜୀବନଧାରଣମାନରେ ଉନ୍ନତି ଆଣିବା ଏବଂ ଗରିବ ଓ ମଧ୍ୟବିତ୍ତ ବର୍ଗଙ୍କୁ ଉପକୃତ କରିବା ଲାଗି ଆମ ସରକାର ସର୍ବଦା ଯଥାସମ୍ଭବ କାର୍ଯ୍ୟ କରିବେ ।ଏହି ମୂଲ୍ୟ ହ୍ରାସ ବ୍ୟତୀତ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା (ପିଏମୟୁୱାଇ) ପରିବାରକୁ ସିଲିଣ୍ଡର ପିଛା ୨୦୦ ଟଙ୍କା ସବସିଡି ମଧ୍ୟ ଜାରି ରହିବ। ତେଣୁ ଏହି ମୂଲ୍ୟ ହ୍ରାସ ପରେ ପିଏମୟୁୱାଇ ପରିବାର ପାଇଁ ଦିଲ୍ଲୀରେ ସିଲିଣ୍ଡର ପିଛା ପ୍ରଭାବୀ ମୂଲ୍ୟ ୭୦୩ ଟଙ୍କା ହେବ ।
ସୂଚନାଯୋଗ୍ୟ ଯେ ୯.୬ କୋଟି ପିଏମୟୁୱାଇ ହିତାଧିକାରୀ ପରିବାର ସମେତ ଦେଶରେ ୩୧ କୋଟିରୁ ଅଧିକ ଘରୋଇ ଏଲପିଜି ଉପଭୋକ୍ତା ଅଛନ୍ତି ଏବଂ ଏହି ହ୍ରାସ ଦେଶର ସମସ୍ତ ଏଲପିଜି ଉପଭୋକ୍ତାଙ୍କୁ ଲାଭାନ୍ୱିତ କରିବ । ପଡ଼ି ରହିଥିବା ପିଏମୟୁୱାଇ ଆବେଦନଗୁଡ଼ିକୁ ସମାଧାନ କରିବା ଏବଂ ସମସ୍ତ ଯୋଗ୍ୟ ପରିବାରକୁ ମାଗଣାରେ ଏଲପିଜି ସଂଯୋଗ ପ୍ରଦାନ କରିବା ପାଇଁ ସରକାର ଖୁବ୍ ଶୀଘ୍ର ଏଲପିଜି ସଂଯୋଗ ନଥିବା ଗରିବ ପରିବାରର ୭୫ ଲକ୍ଷ ମହିଳାଙ୍କୁ ପିଏମୟୁୱାଇ ଯୋଜନାରେ ରୋଷେଇ ଗ୍ୟାସ ବଣ୍ଟନ ଆରମ୍ଭ କରିବେ । ଏହା ଦ୍ୱାରା ପିଏମୟୁୱାଇ ଅଧୀନରେ ମୋଟ ହିତାଧିକାରୀଙ୍କ ସଂଖ୍ୟା ୯.୬ କୋଟିରୁ ୧୦.୩୫ କୋଟିକୁ ବୃଦ୍ଧି ପାଇବ । ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂ ପୁରୀ ଏହି ନିଷ୍ପତ୍ତିରେ ଖୁସି ବ୍ୟକ୍ତ କରି କହିଛନ୍ତି ଯେ, ବଜେଟ୍ ପରିଚାଳନାରେ ଦେଶର ସାଧାରଣ ପରିବାରଗୁଡିକ ସମ୍ମୁଖୀନ ହେଉଥିବା ଆହ୍ୱାନଗୁଡ଼ିକୁ ଆମେ ବୁଝିଛୁ । ରନ୍ଧନ ଗ୍ୟାସ ଦର ହ୍ରାସର ଉଦ୍ଦେଶ୍ୟ ହେଉଛି ଏସବୁ ସାଧାରଣ ପରିବାର ଏବଂ ବ୍ୟକ୍ତିବିଶେଷଙ୍କୁ ସିଧାସଳଖ ଆଶ୍ୱସ୍ତି ପ୍ରଦାନ କରିବା ଏବଂ ଅତ୍ୟାବଶ୍ୟକ ସାମଗ୍ରୀର ସୁଲଭ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ବୃହତ ଲକ୍ଷ୍ୟକୁ ମଧ୍ୟ ସମର୍ଥନ କରିବା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |