ସାବଧାନ! ଭୁବନେଶ୍ୱରରେ ମାତିଛନ୍ତି ସୁନ୍ଦରୀ

ଭୁବନେଶ୍ଵର,୧୩/୯: କାହାକୁ କହୁଥିଲା, ‘‘ଶୁଣ, ଆଜି ସ୍ବାମୀ ଘରେ ନାହାନ୍ତି, ମୁଁ ଏକା ଅଛି। ମୋତେ ଫୋନ୍‌ କରି ଆସିବ।’’ ପୁଣି ଟୋକାଟୋକାଳିଆ ଆଉ କାହାକୁ କହୁଥିଲା, ‘‘ଜାନୁ, ଏକା ଭଲ ଲାଗୁନି। ଘରକୁ ଆସ।’’ କେବେ କାହା ପାଇଁ ଗାର୍ଲଫ୍ରେଣ୍ଡ ପାଲଟୁଥିଲା ତ କେବେ କାହା ପାଇଁ ‘ଭାଉଜ’। ଲୋକ ଦେଖି ଭିନ୍ନ ଭିନ୍ନ ଅଭିନୟ କରୁଥିଲା। ମିଠା ମିଠା କହି ଯୁବକଠାରୁ ଆରମ୍ଭ ମଧ୍ୟବୟସ୍କ, ଛାତ୍ରଠୁ ଆରମ୍ଭ କରି ଚାକିରିଆ ଓ ବ୍ୟବସାୟୀଙ୍କୁ ନିଜ ଜାଲରେ ଫସାଉଥିଲା। ସେ ରଙ୍ଗିନ ଜାଲରେ ବି ଫସୁଥିଲେ ଅନେକ ମାଛ। ସେମାନେ ଘରକୁ ଆସିବା ପରେ ସ୍ବାମୀ ଓ ସହଯୋଗୀଙ୍କୁ ଲଗାଇ ମାଡ଼ମାରି ଟଙ୍କା ଛଡ଼ାଇ ନେଉଥିଲା। ପୁଣି କାହାର ନଗ୍ନ ଭିଡିଓ ରଖି ବ୍ଲାକମେଲ କରି ଅଧିକ ଟଙ୍କା ଝଡ଼ାଉଥିଲା। ରାଜଧାନୀରେ ସକ୍ରିୟଥିବା ଏଭଳି ଏକ ଲେଡି ବ୍ଲାକମେଲର ଗ୍ୟାଙ୍ଗକୁ ତମାଣ୍ଡୋ ଥାନା ପୁଲିସ ଠାବ କରିଛି। ଗ୍ୟାଙ୍ଗର ରାଣୀ ମହୁମାଛି ସମେତ ୪ଜଣଙ୍କୁ ଗିରଫ ହୋଇଛନ୍ତି। ପୁଲିସ ହାତରେ ଧରା ପଡ଼ିଥିବା ଏ ଖେଳାଳିମାନେ ହେଉଛନ୍ତି ତମାଣ୍ଡୋ ନରଗଦା ସିଟି‌ହୋମ୍‌ ଅଞ୍ଚଳର ନିଶିକାନ୍ତ ପାତ୍ର ଓରଫ ବାପି (୩୩), ତାଙ୍କ ପତ୍ନୀ ଇରାନୀ ପାତ୍ର (୨୭), ସିଜୁପୁଟର ମନୋରଞ୍ଜନ ପ୍ରଧାନ ଓରଫ ଗଣେଶ (୩୦) ଏବଂ ଶକ୍ତିକାନ୍ତ ହରିଚନ୍ଦନ ଓରଫ ଗିରିଜା (୩୬)। ସେମାନଙ୍କ ନିକଟରୁ ପୁଲିସ ୩୦ ହଜାର ଟଙ୍କା, ୯ଲକ୍ଷ ଟଙ୍କାର ଏକ ଚେକ୍‌, ଛୁରି ଓ ଦୁଇଟି ମୋବାଇଲ ଫୋନ୍‌ ଜବତ କରିଛି।

ଡାକ୍ତରଙ୍କୁ ବ୍ଲାକମେଲ ଧରାଇଲା
ଗତ ୨୦୧୬ ମସିହାରେ ଇରାନୀ ମଧୁବନ ପିଏଚ୍‌ସିର ଜଣେ ଡ଼ାକ୍ତରଙ୍କ ସମ୍ପର୍କରେ ଆସିଥିଲା। ମଝିରେ ମଝିରେ ତାଙ୍କୁ ଫୋନ୍‌କରି ଔଷଧ ଖାଇବା ପାଇଁ ପରାମର୍ଶ ନେଉଥିଲା। ତେବ‌େ ଗତ ୯ତାରିଖ ରାତିରେ ଇରାନୀ ସମ୍ପୃକ୍ତ ଡ଼ାକ୍ତରଙ୍କ ସହ ଯୋଗାଯୋଗ କରି ପେଟରେ ଭୀଷଣ ଯନ୍ତ୍ରଣା ଅନୁଭବ କରୁଥିବା କହି କାନ୍ଦିପକାଇଥିଲା। କହିଥିଲା, ‘‘ସାର ଘରକୁ ଆସନ୍ତୁ! ନଚେତ୍‌ ମୁଁ ବଞ୍ଚିବିନି।’’ ଫୋନ୍‌ରେ ଇରାନୀର ଏଭଳି କଥା ଶୁଣି ଡ଼ାକ୍ତର ଜଣକ ତା’ କହିବା ମୁତାବକ ଇରାନୀର ତମାଣ୍ଡୋ ସ୍ଥିତ ଘରକୁ ଯାଇଥିଲେ। ରାତି ପାଖାପାଖି ସାଢ଼େ ୧୧ଟା ସମୟରେ ଇରାନୀ ଘରେ ସେ ପଶିବା ପରେ ସବୁ କିଛି ଓଲଟପାଲଟ ହୋଇ ଯାଇଥିଲା। ସେ କିଛି ବୁଝିବା ପୂର୍ବରୁ ଅଚାନକ ଇରାନୀ ତାଙ୍କୁ ନିଜ ପାଖକୁ ଟାଣି ନେଇଥିଲା। ସାଙ୍ଗେ ସାଙ୍ଗେ ସେଠାରେ ଛପି ବସିଥିବା ତା’ ସ୍ବାମୀ ଓ ଅନ୍ୟ ଦୁଇ ସହ‌ଯୋଗୀ ଭିଡିଓ ସୁଟିଂ କରିଥିଲେ। ଏହାପରେ ଡାକ୍ତରଙ୍କୁ ମାଡ଼ ମଧ୍ୟ ମାରିଥିଲେ। ବ୍ଲାକମେଲ୍‌ କରି ଧମକାଇଥିଲେ ଯେ ୨୫ ଲକ୍ଷ ଟଙ୍କା ନଦେଲେ ଭିଡିଓ ଭାରଇରାଲ୍‌ କରିବା ସହିତ ପୁଲିସରେ କେସ୍ କରିବେ। ଭୟରେ ଡ଼ାକ୍ତର ଫୋନ୍‌ ପେ’ ମାଧ୍ୟରେ ଏକ ଲକ୍ଷ ଟଙ୍କା ଦେଇଥିଲେ। ପରେ ତଳକୁ ଆସି କାର୍‌ରୁ ଚେକ୍‌ବହି ନେଇ ଆଉ ୯ଲକ୍ଷ ଟଙ୍କାର ଏକ ଚେକ୍‌ ମଧ୍ୟ ଦେଇଥିଲେ। ଟଙ୍କା ଓ ଚେକ୍‌ ନେବା ପରେ ବ୍ଲାକମେଲର ରୢାକେଟ୍‌ ଡ଼ାକ୍ତରଙ୍କୁ ଛାଡ଼ିଥିଲେ। ସେଠାରୁ ମୁକୁଳିବା ପରେ ଡ଼ାକ୍ତର ତମାଣ୍ଡୋ ଥାନାରେ ଅଭିଯୋଗ କରିଥିଲେ। ଏନେଇ ପୁଲିସ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଥିଲା।

ଯାତ୍ରାପାର୍ଟିରୁ ବ୍ଲାମେଲର
ତଦନ୍ତ ବେଳେ ଜଣା ପଡିଛି ଯେ ଇରାନୀ ଜଣେ ଛୋଟକାଟିଆ ଯାତ୍ରା କଳାକାର। ସେ ଯାତ୍ରାରେ ଅଭିନୟକରି ରୋଜଗାର କରୁଥିଲା। ହେଲେ ସମୟ କ୍ରମେ ତା’ର ଆବଶ୍ୟକତା ଓ ଲୋଭ ବଢ଼ିବାରୁ ରାତାରାତି ଲକ୍ଷପତି ବନିବାର ସ୍ବପ୍ନ ଦେଖିଥିଲା। ଆଉ ଏଥିପାଇଁ ଯାତ୍ରାପାର୍ଟି ଛାଡ଼ି ଲୋକଙ୍କୁ ଫସାଇ ଟଙ୍କା ରୋଜଗାରର ବାଟ ବାଛିଥିଲା। ଅଭିନୟରେ ଥିବା ଅଭିଜ୍ଞତା ତା’କୁ ଏ କ୍ଷେତ୍ରରେ ଭାରି ସାହାଯ୍ୟ କରୁଥିଲା।

ସୋସିଆଲ୍‌ ମିଡିଆରେ ଜାଲ ବିଛାଇଥିଲା
ଏହି ଡାକ୍ତରଙ୍କ ସହିତ ଇରାନୀ ଆହୁରି ବହୁ ଯୁବକ ଓ ବ୍ୟବସାୟୀଙ୍କୁ ନିଜ ପାଲରେ ପକାଇ ଲୁଟିଥିବା ସୂଚନା ମିଳିଛି। ସେ ଫେସ୍‌ବୁକ୍‌ ମେସେଞ୍ଜର ଓ ଇନ୍‌ଷ୍ଟା ମାଧ୍ୟମରେ ଭଲ ଭଲ ପ୍ରୋଫାଇଲ୍‌ ଦେଖି ମେସେଜ୍‌ କରୁଥିଲା। ଯେଉଁ ଆଇଡିରୁ ଉତ୍ତର ମିଳୁଥିଲା, ଇରାନୀ ତାକୁ ଫସାଇବା ପାଇଁ ପୂରା ଲାଗି ପଡ଼ୁଥିଲା। ହ୍ବାଟସ୍‌ଆପ୍‌ ନମ୍ବର ଆଣିବା ପରେ ଚାଟିଂ ମାଧ୍ୟମରେ ଘନି‌ଷ୍ଠ ହୋଇ ମନ ଜିଣିବା ଭଳି ସୁନ୍ଦର ଅଭିନୟ ପାରୁଥିଲା। ସମ୍ପର୍କ ରଖିବା ପାଇଁ ଟାର୍ଗେଟରେ ଥିବା ଲୋକକୁ ଘରକୁ ଡ଼ାକୁଥିଲା। ଯିଏ ଥରେ ସେଠାକୁ ଆସୁଥିଲା, ଟଙ୍କା ନଦେଇ ଖସିବାର ବାଟ ପାଉ ନଥିଲା।

ମୋବାଇଲ୍‌, ହ୍ବାଟସ୍‌ଆପ୍‌ରେ ମାଳ ମାଳ ଗ୍ରାହକ
ଇରାନୀ କେତେ ଜଣଙ୍କୁ ଯେ ଏଭଳି ଲୁଟିଛି ତା’ର ହିସାବ ନାହିଁ। ପୁଲିସ ତଦନ୍ତ ବେଳେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ହାତେଇଛି। ‌ତା’ର ମୋବାଇଲ୍‌ ଓ ହ୍ବାଟସ୍‌ଆପ୍‌ ଯାଞ୍ଚ ବେ‌ଳେ ଜଣାପଡ଼ିଛି ଯେ, ଗତ ୧ ତାରିଖ ଦିନ ଜଣେ ଛାତ୍ର ଓ ୮ ତାରିଖ ଦିନ କେନ୍ଦ୍ରାପଡ଼ା ଅଞ୍ଚଳର ଜଣେ ଯୁବକଙ୍କୁ ନିଜ ପାଲରେ ପକାଇଥିଲା। ଏହାଛଡ଼ା ସେ ଆହୁରି ଅନ୍ୟ ଅନେକଙ୍କୁ ମଧ୍ୟ ଫସାଇଥିବା ଚାଟିଂରୁ ଜଣାପଡ଼ିଛି। ପୁଲିସ ଚାର୍ଟ ଓ ମୋବାଇଲ୍‌ରୁ ନମ୍ବର ସଂଗ୍ରହ କରି ସେମାନଙ୍କ ସହ ଯୋଗାଯୋଗ କରୁଛି। ସେମାନେ ଥାନାରେ ଅଭିଯୋଗ ପରେ ଇରାନୀ ପ୍ରକୃତରେ କାହାଠାରୁ କେତେ ଟଙ୍କା ଲୁଟିଛି ତାହା ଜଣାପଡ଼ିବ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!