ଉତ୍କଳ ବିଶ୍ୱବିଦ୍ୟାଳୟରେ ‘ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର,୩।୧୦:   ଆଜି ଉତ୍କଳ ବିଶ୍ୱବିଦ୍ୟାଳୟରେ ‘ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁର।  କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁରଙ୍କ ସହ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ନିଜ ସଂଗ୍ରାମୀମାନଙ୍କୁ ସମ୍ମାନ ଦେବା, ବିକଶିତ ଭାରତରେ ଯୋଗଦାନ ରଖିବା ଏବଂ ଦେଶର ଏକତା ଓ ଅଖଣ୍ଡତାକୁ ବଜାୟ ରଖିବା ପାଇଁ ଆୟୋଜନ ହେଉଥିବା ମୋ ମାଟି ମୋ ଦେଶ ସେତେବେଳେ ଆୟୋଜନ ହେଉଛି, ଯେତେବେଳେ ଭାରତର ଚନ୍ଦ୍ରାୟାନ- ୩ ମିଶନ ସଫଳ ହୋଇଛି ଏବଂ ସୂର୍ଯ୍ୟ ଅଭିଯାନ ପାଇଁ ଆଦିତ୍ୟଏଲ-୧ ଉତକ୍ଷେପଣ କରାଯାଇଛି । ବିଗତ ଦିନରେ ଜି-୨୦ ମାଧ୍ୟମରେ ବିଶ୍ୱ ନେତୃତ୍ୱମାନେ ଭାରତ ଗସ୍ତରେ ଆସି ଭାରତର ମାନ୍ୟବର ରାଷ୍ଟ୍ରପତିଙ୍କ ଦ୍ୱାରା ନିମନ୍ତ୍ରିତ ନୈଶ୍ୟଭୋଜିରେ ସାମିଲ ହୋଇଛନ୍ତି, ଏହି ସବୁ ବିଷୟ ସମଗ୍ର ଭାରତବର୍ଷ ପାଇଁ ଗୌରବମୟ ଉପଲବ୍ଧି । ଦେଶର ସ୍ୱାଧୀନତା ପାଇଁ ତ୍ୟାଗ ଦେଇଥିବା ସଂଗ୍ରାମୀ ଓ ସ୍ୱାଧୀନତା ପରେ ଦେଶକୁ ସୁରକ୍ଷିତ ରଖିବା ପାଇଁ ବଳିଦାନ ଦେଇଥିବା ଯବାନ ମାନଙ୍କ ସ୍ମରଣାର୍ଥେ ଆୟୋଜିତ ‘ମୋ ମାଟି ମୋ ଦେଶ’ ଦେଶରେ ନୂଆ ଜାଗରଣ ଆଣିଛି । ଆଜି ଏହି କାର୍ଯ୍ୟକ୍ରମରେ ଉତ୍କଳ ବିଶ୍ୱବିଦ୍ୟାଳୟର ସବୁ ହଷ୍ଟେଲରୁ ଯୁବସାଥୀଙ୍କ ଦ୍ୱାରା ସଂଗୃହିତ ମାଟି ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ସ୍ଥାନିତ ହେବ । ଅମୃତକାଳରେ ଭାରତ ନୂଆ ଉଚ୍ଚତାରେ ପହଞ୍ଚିବ ଏବଂ ଦେଶକୁ ଏହି ଉଚ୍ଚତାକୁ ନେବାର ନେତୃତ୍ୱ ଭାରତର ଶିକ୍ଷା ଜଗତ ନେବ । ଏଥିରେ ଉତ୍କଳ ବିଶ୍ୱବିଦ୍ୟାଳୟର ବି ଯୋଗଦାନ ରହିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ସହ ‘ପଞ୍ଚ ପ୍ରଣ’ର ଶପଥ ପାଠ ନେବା ସହ ଦେଶ ପାଇଁ ବଳିଦାନ ଦେଇଥିବା ବୀର ମାନଙ୍କ ପରିବାରକୁ ସମ୍ବର୍ଦ୍ଧିତ କରିଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟର କ୍ୟାମ୍ପସରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଓ ବ୍ୟାସକବି ଫକୀରମୋହନ ସେନାପତିଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପରେ ସେଠାରେ ଶହୀଦ ‘ସ୍ମାରକୀ ଫଳକ’ର ଉନ୍ମୋଚନ କରିବା ସହ ବୃକ୍ଷରୋପଣ କରିଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!