ଏସୀୟ କ୍ରୀଡ଼ାରେ ୧୦୦-ପଦକ ଲକ୍ଷ୍ୟ ହାସଲ କଲା ଭାରତ

ହାଙ୍ଗଝୋ, ୭।୧୦ : ଚୀନ୍‌ର ହାଙ୍ଗ୍‌ଜୌରେ ଚାଲିଥିବା ୧୯ତମ ଏସୀୟ କ୍ରୀଡ଼ାରେ ଆଜି ୧୦୦ତମ ପଦକ ଜିଣି ଭାରତୀୟ ଦଳ ତା’ର ଲକ୍ଷ୍ୟ ‘ଇସ୍‌ ବାର୍‌ ସୌ ପାର୍’ (ଏଥର ଏକଶହ ଟପିବ) ହାସଲ କରିଛି। ପ୍ରଥମଥର ପାଇଁ ଭାରତ ପଦକ ସଂଖ୍ୟାରେ ଶତକ ସ୍ପର୍ଶ କରିବା ନିଶ୍ଚିତ ହୋଇଯାଇଛି। ଶୁକ୍ରବାର ଭାରତୀୟ ରେସଲରମାନେ ୩ ପଦକ ଜିତିଥିବାବେଳେ ସିପକ୍‌ଟାକ୍ରରୁ ପ୍ରଥମଥର ପାଇଁ ବ୍ରୋଞ୍ଜ ପଦକ ଆସିଛି। ଭାରତୀୟ ପୁରୁଷ ହକି ଦଳ ପ୍ରତୀକ୍ଷାର ଅବସାନ ଘଟାଇ ସ୍ବର୍ଣ୍ଣିମ ସଫଳତା ପାଇଛି। ବର୍ତ୍ତମାନ ସୁଦ୍ଧା ଭାରତ ୨୨ ସ୍ବର୍ଣ୍ଣ, ୩୪ ରୌପ୍ୟ ଓ ୩୯ ବ୍ରୋଞ୍ଜ ସହିତ ୯୫ଟି ପଦକ ହାସଲ କରିସାରିଛି। ଏହା ବ୍ୟତୀତ କବାଡ଼ିରେ ୨ଟି, ଆର୍ଚେରୀରେ ୩ଟି, ହକି, ବ୍ୟାଡ୍‌ମିଣ୍ଟନ ଓ କ୍ରିକେଟରୁ ଗୋଟିଏ ଲେଖାଏ ଏହିପରି ଆଉ ୬ଟି ପଦକ ପାଇବା ନିଶ୍ଚିତ ହୋଇଛି। ତେଣୁ ଶନିବାର ଭାରତ ଗେମ୍ସ ଇତିହାସରେ ପ୍ରଥମଥର ପାଇଁ ପଦକରେ ଶତକ ପୂରଣ କରିବାକୁ ଯାଉଛି। ପ୍ରତିଯୋଗିତାର ଅନ୍ତିମ ଦିବସରେ ୪ ରେସଲର ପ୍ରତିଦ୍ୱନ୍ଦ୍ୱିତା କରିବେ। ତେଣୁ ପଦକ ସଂଖ୍ୟା ବଢ଼ିଲେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ଇଣ୍ଡୋନେସିଆରେ ଅନୁଷ୍ଠିତ ପ୍ରତିଯୋଗିତାର ଗତ ସଂସ୍କରଣରେ ଭାରତ ୭୦ଟି ପଦକ ପାଇଥିଲା। ଏହା ମଧ୍ୟରେ ୧୬ ସ୍ବର୍ଣ୍ଣ, ୨୩ ରୌପ୍ୟ ଓ ୩୧ ବ୍ରୋଞ୍ଜ ସାମିଲ ଥିଲା। ଏହା ଏସିଆନ ଗେମ୍ସରେ ଭାରତର ଶ୍ରେଷ୍ଠ ପ୍ରଦର୍ଶନ ଥିଲା। ଏଥର ଏହାକୁ ଅନେକ ପଛରେ ପକାଇ ସାରିଛନ୍ତି ଭାରତୀୟ ପ୍ରତିଯୋଗୀ। ଚଳିତ ସଂସ୍କରଣରେ କେବଳ ଶୁଟରମାନେ ୨୨ଟି ଓ ଆଥଲେଟିକ୍ସ ଫିଲ୍ଡରୁ ୨୯ ପଦକ ଆସିଛି। ଏମାନେ ୫୧ ପଦକ ହାସଲ କରିବାରୁ ଭାରତ ଗତ ବୁଧବାର ଶ୍ରେଷ୍ଠ ସଫଳତାର ମ୍ୟାଜିକ ସଂଖ୍ୟାକୁ ଅତିକ୍ରମ କରି ଯାଇଥିଲା। ଭାରତୀୟ ପ୍ରତିନିଧି ଦଳ ଏଥର ଅନେକ ଇଭେଣ୍ଟରେ ଆଶ୍ଚର୍ଯ୍ୟ କଲାଭଳି ପ୍ରଦର୍ଶନ କରିଥିଲେ। ସୁତୀର୍ଥା ମୁଖାର୍ଜୀ ଓ ଅହିକା ମୁଖାର୍ଜୀ ମହିଳା ଟେବୁଲ ଟେନିସ ଟିମ୍‌ ଇଭେଣ୍ଟରେ ବ୍ରୋଞ୍ଜ ପଦକ ବିଜୟୀ ହୋଇଥିଲେ। ଏମାନେ ଶକ୍ତିଶାଳୀ ଚାଇନାକୁ ସେମିଫାଇନାଲରେ ଚକ୍‌ମା ଦେଇଥିଲେ। ସେହିପରି ପାରୁଲ ଚୌଧାରୀ ଅତି ଚମତ୍କାର ପ୍ରଦର୍ଶନ କରି ମହିଳା ୫୦୦୦ ମିଟର ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଅର୍ଜନ କରିଥିଲେ। ସଂଘର୍ଷପୂର୍ଣ୍ଣ ରେସ୍‌ରେ ସେ ଜାପାନର ରିରିକା ହିରୋନାକାଙ୍କୁ ପଛରେ ପକାଇ ଦେଇଥିଲେ। ଓଡ଼ିଶାର କିଶୋର କୁମାର ଜେନା ୮୬.୭୭ ମିଟର ଦୂରକୁ ଜାଭେଲିନ୍‌ ଥ୍ରୋ କରି କିଛି ସମୟ ପାଇଁ ସୁପରଷ୍ଟାର ନୀରଜ ଚୋପ୍ରାଙ୍କ ଆଗରେ ରହିଥିଲେ। ଏହା ଚଳିତ ପ୍ରତିଯୋଗିତାର ଅନ୍ୟତମ ଅବିସ୍ମରଣୀୟ ଘଟଣା ଥିଲା। ଶେଷରେ ନୀରଜ ସ୍ବର୍ଣ୍ଣ ଓ କିଶୋର ରୌପ୍ୟ ପଦକ ଜିତିଥିଲେ। ପୁରୁଷ ଡବଲ୍ସ ୧୦୦୦ ମିଟର କାନୋଇଂରେ ଅର୍ଜୁନ ସିଂ ଓ ସୁନୀଲ ସିଂ ସାଲାମଙ୍କ ଐତିହାସିକ ବ୍ରୋଞ୍ଜ, ମିକ୍ସଡ ୩୫ କିମି ରେସ୍‌ ଓ୍ବାକ୍‌ରେ ମଞ୍ଜୁ ରାଣୀଙ୍କ ତୃତୀୟ ସ୍ଥାନ ହାସଲ ଅନ୍ୟ ଗୋଟିଏ ଗୋଟିଏ ଉଦାହରଣ ଥିଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!